Unknown

 

 

 

 

 

 

 

 

 

ଅତିବଡ଼ୀ ଜଗନ୍ନାଥ ଦାସ

ପ୍ରାଧ୍ୟାପକ ସୁନୀଲ ରଥ

 

ପ୍ରାକ୍ କଥନ

 

ଉତ୍କଳୀୟ ଜନଜୀବନକୁ ଏକ ସାଂସ୍କୃତିକ ରୂପରେଖ ଦେବାରେ ଯେଉଁ ସାଧକମାନେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ଅତିବଡ଼ୀ ଜଗନ୍ନାଥ ଦାସ । ଓଡ଼ିଶାର ସ୍ୱାତନ୍ତ୍ର‌୍ୟ, ଧର୍ମଧାରଣା, ଇଷ୍ଟପୁରୁଷ, ଆଧ୍ୟାତ୍ମିକ ସାଧନା, ଜ୍ଞାନଗାରିମାର ପରାକାଷ୍ଠା ଯେତେବେଳେ, ଯୁଦ୍ଧ, ବିଗ୍ରହ, ବର୍ହିଶତ୍ରୁ ଆକ୍ରମଣ, ଅସ୍ଥିରତା ଆଦି ମଧ୍ୟରେ ଲୁପ୍ତପ୍ରାୟ ହେବାକୁ ବସିଥିଲା ସେହି ସମୟରେ ଏହି ମହାପୁରୁଷଙ୍କ ଆବିର୍ଭାବ ଓଡ଼ିଶାର ଜନଜୀବନରେ ଏକ ସାଂସ୍କୃତିକ ହିଲ୍ଲୋଳ ସୃଷ୍ଟି କରିଥିଲେ । ଯାହାଫଳରେ ଜନଜୀବନ ନିଜ ଅସ୍ମିତାକୁ ଚିହ୍ନିବାକୁ, ଜାଣିବାକୁ ସମର୍ଥ ହୋଇଥିଲା । ଏହି ମହାପୁରୁଷଙ୍କୁ ନେଇ ବହୁ କାହାଣୀ କିମ୍ବଦନ୍ତୀ ଅଲୌକିକତା ଇତ୍ୟାଦି କ୍ରମଶଃ ପ୍ରଚାରିତ ହେବାକୁ ଆରମ୍ଭ କରି ଦେଇଥିଲା ଫଳରେ ଓଡ଼ିଶାର ଆଧ୍ୟାତ୍ମିକ ଜୀବନକୁ ସଂପୂର୍ଣ୍ଣ ଦିଗନ୍ତ ଦେଇଥିବା ଅତିବଡ଼ୀଙ୍କର ବାସ୍ତବିକ ଜୀବନ କୁହେଳିକାଚ୍ଛନ୍ନ ହୋଇପଡ଼ିଥିଲା । କୌଣସି ମହାପୁରୁଷଙ୍କପାଇଁ ଏହା ଆଦୌ ଶୁଭଙ୍କର ନୁହେଁ । ଅଥଚ ଏହି ଗଡ୍ଡାଳିକା ପ୍ରବାହ ମଧ୍ୟରୁ ଜୀବନୀ ଲେଖକମାନେ ନିଜକୁ ମୁକ୍ତ କରିନପାରି ସେହି ସ୍ରୋତରେ ଭାସି ଉତ୍କଳୀୟ ମହାପୁରୁଷମାନଙ୍କ କାର୍ଯ୍ୟ, ଚିନ୍ତାଧାର ବୈପ୍ଳବିକ ଚେତନା ତଥା ସମାଜ ଗଠନରେ ସେମାନଙ୍କର ଭୂମିକାକୁ ଗୌଣ କରିଦେଇଛନ୍ତି, ଏହି ପରିପ୍ରେକ୍ଷୀରେ ପ୍ରାଧ୍ୟାପକ ସୁନୀଲ ରଥଙ୍କର “ଅତିବଡ଼ୀ ଜଗନ୍ନାଥ ଦାସ” ପୁସ୍ତକ ଏହି ମହାପୁରୁଷଙ୍କ ସମ୍ପର୍କିତ ଅନ୍ୱେଷାକୁ ଏକ ନୂତନ ଦିଗନ୍ତ ଦେବ କହିଲେ ଅତ୍ୟୁକ୍ତି ହେବନାହିଁ । ସଂପୂର୍ଣ୍ଣ ଗ୍ରନ୍ଥଟିକୁ ସେ ବାରଟି ଅନୁଚ୍ଛେଦରେ ବିଭକ୍ତ କରି ଅତିବଡ଼ୀଙ୍କ ଜୀବନ ଜିଜ୍ଞାସାର ପ୍ରତ୍ୟେକ ପୃଷ୍ଠା ଉପରେ ଗଭୀର ଦୃଷ୍ଟିପାତ କରିବାର ଏକ ଅଭିନନ୍ଦନୀୟ ପ୍ରଚେଷ୍ଟା କରିଛନ୍ତି । ପ୍ରଥମ ଅନୁଚ୍ଛେଦରେ ସେ ସନ୍ଥ ଜଗନ୍ନାଥ ଦାସଙ୍କ ଜୀବନ ଚରିତର କେତେକ ଅଣଆଲୋଚିତ ଦିଗ ଉପରେ ଆଲୋକପାତ କରିଛନ୍ତି । ତାଙ୍କର ଜନ୍ମକାଳ, ବାଲ୍ୟଜୀବନ, ଶ୍ରୀଚୈତନ୍ୟଙ୍କ ସହିତ ତାଙ୍କ ସାକ୍ଷାତ୍‍କାର ଦୀକ୍ଷାଗ୍ରହଣ, ଅତିବଡ଼ୀ ସଂପ୍ରଦାୟର ପ୍ରତିଷ୍ଠା ସହିତ ତାଙ୍କ ସହିତ ସଂଯୁକ୍ତ ହୋଇ ରହିଥିବା ଅଲୌକିକତା, ପ୍ରକୃତରେ ଅଲୌକିକ ନା ତାଙ୍କ ଯୋଗ ସାଧନାର ଚରମ ପ୍ରକାଶ; କିଛି ଅକାଟ୍ୟ ଯୁକ୍ତି ମଧ୍ୟରେ ତାହାକୁ ଆଲୋଚନା କରି ଏକ ନୂତନ ସମୀକ୍ଷାର ଦିଗକୁ ଉନ୍ମୋଚିତ କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ଅତିବଡ଼ୀ ପରମ୍ପରାର ସ୍ୱାତନ୍ତ୍ର‌୍ୟ ପ୍ରତିଷ୍ଠା ଏବଂ ତତ୍‌ପରବର୍ତ୍ତୀ ଅନୁଚ୍ଛେଦରେ ତାଙ୍କଦ୍ୱାରା ରଚିତ ଗ୍ରନ୍ଥମାନଙ୍କର ଉତ୍କର୍ଷତା ଓ ପ୍ରମାଣିକ ସତ୍ୟ ଉପରେ ଆଲୋକପାତ କଲା ପରେ ତାଙ୍କଦ୍ୱାରା ରଚିତ ଶ୍ରେଷ୍ଠ ଗ୍ରନ୍ଥ ଭାଗବତ ଓ ତାର ସ୍ୱାତନ୍ତ୍ର‌୍ୟ ଉପରେ ଆଲୋକପାତ କରିବା ସହିତ ଏହା କିପରି ଓଡ଼ିଶାର ଧର୍ମଧାରଣାରେ ଏକ ବିଶାଳ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଥିଲା ତାହା ଦର୍ଶାଇଛନ୍ତି । ସଂସ୍କୃତ ଭାଗବତର ଆକ୍ଷରିକ ଅନୁବାଦ ନକରି ସ୍ୱକୀୟ ଧର୍ମଦର୍ଶନ ଓ ଚିନ୍ତାଧାରାର ପ୍ରୟୋଗ କରି ବ୍ୟାସ ରଚିତ ଭାଗବତକୁ କିପରି ସାଧାରଣ ଜନତାଙ୍କର ବୋଧଗମ୍ୟ କରିବାର ଦୁରୂହ ପ୍ରଚେଷ୍ଟା ସେ କରିଥିଲେ ତାହା ପ୍ରାବନ୍ଧିକ ଦର୍ଶାଇଛନ୍ତି । ଏହି ଅନୁଶୀଳନ ଅତ୍ୟନ୍ତ ତାତ୍ତ୍ୱିକ ତଥା ଜ୍ଞାନ ଗର୍ଭକ । ଲେଖକ ସ୍ୱକୀୟ ମତ ପ୍ରଦାନ ସହିତ ବିଭିନ୍ନ ସମାଲୋଚକମାନଙ୍କ ମତକୁ ମଧ୍ୟ ଉଦ୍ଧାର କରି ଏଥିରେ ସଂଯୋଗ କରିଛନ୍ତି । ପରବର୍ତ୍ତୀ ଅନୁଚ୍ଛେଦରେ ଅତିବଡ଼ୀଙ୍କ ସାହିତ୍ୟର ଦାର୍ଶନିକ ମୂଲ୍ୟବୋଧ ଉପରେ ଏକ ଅନୁସନ୍ଧାନଧର୍ମୀ ତାତ୍ତ୍ୱିକ ଆଲୋଚନା ସଂଯୋଗ କରିଛନ୍ତି । ଦର୍ଶନତତ୍ତ୍ୱ ଅନେକ ସମୟରେ ସାମାଜିକ ପରିବେଶ ଉପରେ ନିର୍ଭରଶୀଳ । ଏହା ଏକ ଚେତନା । ଏହି ଚେତନାକୁ ସମାଜ କିପରି ଗ୍ରହଣ କରିବ ତା ଉପରେ ସ୍ରଷ୍ଟାଙ୍କର ତୀବ୍ରଦୃଷ୍ଟି ରହିଥାଏ ଫଳରେ ପ୍ରତ୍ୟେକ ଦାର୍ଶନିକଙ୍କର ତତ୍ତ୍ୱ ସମାଜରେ ଗ୍ରହଣୀୟ ବା ଅଗ୍ରାହ୍ୟ ହୋଇଥାଏ । ଏ ଦୃଷ୍ଟିରେ ଜଗନ୍ନାଥ ଦାସ ଓ ତାଙ୍କ ଉତ୍କଳୀୟ ଦାର୍ଶନିକ ସଖାମାନେ ଅତ୍ୟନ୍ତ ସତର୍କ ଥିଲେ ଯାହା ସେମାନଙ୍କୁ କାଳଜୟୀ କରିବାରେ ସାହାଯ୍ୟ କରିଥିଲା । ଏହି ସୂକ୍ଷ୍ମ ତତ୍ତ୍ୱ ଉପରେ ଶ୍ରୀଯୁକ୍ତ ରଥ ଅତ୍ୟନ୍ତ ତାତ୍ତ୍ୱିକ ଆଲୋଚନା କରିଛନ୍ତି । ଏହା ସହିତ ଶ୍ରୀଜଗନ୍ନାଥ ଦାସଙ୍କ ଆଧ୍ୟାତ୍ମିକ ଚେତନା; ଯେଉଁ ଚେତନାମାନଙ୍କଦ୍ୱାରା ପ୍ରସୂତ ଓ ପ୍ରଭାବିତ ତା ଉପରେ ଆଲୋକପାତ କରିବାକୁ ମଧ୍ୟ ଭୁଲି ନାହାନ୍ତି-

ଶ୍ରୀଜଗନ୍ନାଥଙ୍କୁ ଗଣଦେବତାରୁ ବୈଦିକ ଦେବତାରେ ପରିଣତ କରିବାରେ ଉତ୍କଳୀୟ ପଞ୍ଚସଖାମାନଙ୍କର ଅବଦାନ ଥିଲା ଅତୁଳନୀୟ । ତାଙ୍କୁ ଅବତାରୀ ଭାବରେ, ପୂର୍ଣ୍ଣବ୍ରହ୍ମ ଭାବରେ, ଶୂନ୍ୟପୁରୁଷ ଭାବରେ ତଥା ନିତ୍ୟ ଗୋଲକର ଲୀଳାବିହାରୀ ଭାବରେ ପ୍ରତିଷ୍ଠିତ କରିବାର ଶ୍ରେୟ ନିଶ୍ଚିତ ଭାବରେ ଜଗନ୍ନାଥ ଦାସ ଓ ତାଙ୍କର ଚର୍ତୁସଖାଙ୍କର ଏଥିରେ କୌଣସି ଦ୍ୟୁରୁକ୍ତି ନାହିଁ । ଏହା ସହିତ ରହିଛି ଓଡ଼ିଆ ଭାଷା ସାହିତ୍ୟକୁ ଜଗନ୍ନାଥ ଦାସଙ୍କ ଅବଦାନ । ଆଜି ମଧ୍ୟ ଶୁଦ୍ଧ ଓଡ଼ିଆ ଭାଷା କହିଲେ ଜଗନ୍ନାଥ ଦାସଙ୍କଦ୍ୱାରା ରଚିତ ଭାଗବତକୁ ହିଁ ଦୃଷ୍ଟାନ୍ତ ଦିଆଯାଇଥାଏ । ଭାଷା ଓ ଶିକ୍ଷା କ୍ଷେତ୍ରରେ ଭାଗବତର ଅବଦାନକୁ ପ୍ରାବନ୍ଧିକ ଅସଂଖ୍ୟ ଉଦାହରଣ ସହିତ ପ୍ରତିଷ୍ଠା କରିଛନ୍ତି ।

ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଆ ଭାଗବତର ଅନୈକ୍ୟ ଉପରେ ଯଥେଷ୍ଟ ଆଲୋକପାତ କରି ଭାଗବତରେ ସାଧାରଣରୁ ସାଧାରଣ ଲୋକଙ୍କପାଇଁ ଯେଉଁ ଶିକ୍ଷାଦାନର ବ୍ୟବସ୍ଥା ରହିଛି ତାହାଉପରେ ଲେଖକ ଦୃଷ୍ଟିପାତ କରିଛନ୍ତି ପରିଚ୍ଛେଦଟିର ନା ରଖିଛନ୍ତି ‘ଓଡ଼ିଆ ଭାଗବତରେ ଲୋକଶିକ୍ଷା’ ଏହା ଉଦ୍ଦେଶ୍ୟ ହେଉଛି ଧର୍ମ ଏକ ଶୁଷ୍କ ଆଚରଣବିଧି ମାତ୍ର ନୁହଁ କି କେବଳ ଶିଷ୍ଟସମାଜ ମଧ୍ୟରେ ସୀମାବଦ୍ଧ ନୁହଁ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମାଜ କଲ୍ୟାଣ । ଯଦି କୌଣସି ଧର୍ମଗ୍ରନ୍ଥ ଏହି କାର୍ଯ୍ୟ କରିବାକୁ ସକ୍ଷମ ହେଲାନାହିଁ ତାହା କେବେବି ସମାଜରେ ଆଦୃତ ହେବନାହିଁ । କିନ୍ତୁ ଭାଗବତ ନିତ୍ୟନୈମିତିକ ଜୀବନର ‘ଜୀବନ ବେଦ’ରେ ପରିଣତ ହେବାର ପ୍ରଧାନ ଉପାଦନ ହେଉଛି ଏହାର ଲୋକ କଲ୍ୟାଣକାରୀ ଆଭିମୁଖ୍ୟ ଏହାକୁ ଅତି ବିସ୍ତୃତ ଭାବରେ ଏହି ଅନୁଚ୍ଛେଦରେ ଲେଖକ ବର୍ଣ୍ଣନା କରିଛନ୍ତି । ଲୋକଚଳଣି, ଲୋକସଂସ୍କୃତି, ଗଣଧର୍ମକୁ କିପରି ଭାଗବତ ଏକ ମହାସ୍ରୋତ ପାଲଟି ଶତ ଶତ ବର୍ଷ ଧରି ବାନ୍ଧି ରଖିଛି ତାହା ଏହି ଅଧ୍ୟାୟରୁ ଜଣାଯାଏ । ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ଉତ୍କଳୀୟ ବୈଷ୍ଣବ ଧର୍ମର ସ୍ୱାତନ୍ତ୍ର‌୍ୟ ଓ ଏହାର ମାନ୍ୟତା, ମୌଳିକ ଉପାଦାନ, ରାସ ସୃଷ୍ଟି, ସଂକୀର୍ତ୍ତନ କଳାର ଅୟମାରମ୍ଭ ଆଦି ଆଲୋଚିତ ହୋଇଛି । ଯାହା ଫଳରେ ପ୍ରେମଭକ୍ତି ସୁଧାରସର ଅନନ୍ୟ ପ୍ରଚାରକ ହୋଇ ମଧ୍ୟ ଶ୍ରୀଚୈତନ୍ୟ ଓଡ଼ିଶାର ଧର୍ମଧାରା ସଂସ୍କୃତି ମଧ୍ୟରେ ମଗ୍ନ ହୋଇ ଏହି ଶ୍ରୀକ୍ଷେତ୍ରରେ ଚିରସ୍ଥାୟୀ ହୋଇ ରହିଗଲେ-। ତାଙ୍କ କୃଷ୍ଣଭକ୍ତି ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ଲୀନ ହୋଇଗଲା । ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଜଗନ୍ନାଥ ଦାସ । ଏହା ଅବିଶ୍ୱାସନୀୟ ମନେ ହେଲେବି ଏହାହିଁ ସତ୍ୟ । ଖାଲି ଶ୍ରୀଚୈତନ୍ୟ ନୁହଁନ୍ତି ଆସାମିୟା ଭକ୍ତି ଶଙ୍କର ଦେବ ମଧ୍ୟ ଜଗନ୍ନାଥ ଦାସଙ୍କ ଚିନ୍ତା ଓ ଚେତନାଦ୍ୱାରା ପ୍ରଭାବିତ ହୋଇ ଶ୍ରୀଜଗନ୍ନାଥ ଧର୍ମକୁ ପୂର୍ବ ଭାରତରେ ପ୍ରଚାର ଓ ପ୍ରସାର କରାଇଥିଲେ ।

ଅଭୂତକର୍ମା ଜଗନ୍ନାଥ ଦାସଙ୍କର ଏହି ମହାନ କୃତି ଉପରେ ଅନେକ ଯୁକ୍ତିସମ୍ମତ ତଥ୍ୟ ପ୍ରଦାନ କରି ଶ୍ରୀଯୁକ୍ତ ରଥ ଏହି ପୁସ୍ତକଟିକୁ ଏକ ଅନନ୍ୟ ସମାଲୋଚନା ଓ ଜୀବନୀ ଗ୍ରନ୍ଥ ଭାବରେ ସୃଷ୍ଟି କରିଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ । ଏହି ଗ୍ରନ୍ଥଟି ଓଡ଼ିଆ ସାହିତ୍ୟର ପାଠକଙ୍କ ନିମିତ୍ତ ନିଶ୍ଚିତ ପ୍ରେରଣାଦାୟକ ହେବ ଓ ଗବେଷକମାନଙ୍କ ଦୃଷ୍ଟି ଆକର୍ଷିତ କରିବ ଏଥିରେ ସନ୍ଦେହ ନାହିଁ-। ମୁଁ ଲେଖକଙ୍କର ଏହି ଅନୁସନ୍ଧିତ୍ସା ନିମିତ୍ତ କୃତଜ୍ଞତା ଜଣାଉଛି ।

ଧନ୍ୟବାଦ ସହ ।

ଡକ୍ଟର ତୁଳସୀ ଓଝା, ପ୍ରାକ୍ତନ ଅଧ୍ୟକ୍ଷା,

ସରକାରୀ ମହିଳା ମହାବିଦ୍ୟାଳୟ, ପୁରୀ

Image

 

ପଦେ କଥା

 

କାଳଜୟୀ ସ୍ରଷ୍ଟା ଏବଂ ତାଙ୍କ ସୃଷ୍ଟିକୁ ଜାଣିବା, ତାଙ୍କୁ ଭଲଭାବରେ ଚିହ୍ନିବାପାଇଁ ଇଛା ମଣିଷର ଏକ ସହଜାତ ପ୍ରବୃତ୍ତି । ଏହି ଚିହ୍ନିବା ଭିତରୁ ହିଁ ଆସିଥାଏ ତାଙ୍କ ଉପରେ ଆସ୍ଥା, ବିଶ୍ୱାସ ଏବଂ ଅନ୍ତରଙ୍ଗତା । ଆମ ଓଡ଼ିଆ ସାହିତ୍ୟ କାହିଁକି ସମଗ୍ର ପୂର୍ବ ଭାରତର ମଧ୍ୟଯୁଗର ଶ୍ରେଷ୍ଠ ସାଧକ କବି-ଭାଗବତକାର ଅତିବଡ଼ୀ ଜଗନ୍ନାଥ ଦାସଙ୍କ ସାହିତ୍ୟ ଓ ସାଧନାର କୃତି ତାଙ୍କଦ୍ୱାରା ପ୍ରତିଷ୍ଠିତ ଅତିବଡ଼ୀ ପରମ୍ପରା ଏବଂ ସର୍ବୋପରେ ତାଙ୍କ ଜୀବନ ଚରିତ ମୋତେ ଆକର୍ଷିତ କରିଥିଲା ଜଗନ୍ନାଥ ଦାସଙ୍କ ପ୍ରତି । ତାଙ୍କ ରଚନା ପଢ଼ିଲି, ପଢ଼ିଲି ବିଭିନ୍ନ ଆଲୋଚନା । ମନେହେଲା କିଛି ଅକୁହା କଥା ରହିଯାଇଛି ଏହି ମହାନ୍ ସାଧକଙ୍କ ସଂପର୍କରେ । ଏହି କାଳଖଣ୍ଡର ଅନ୍ୟତମ ସନ୍ଥ ଶ୍ରୀଚୈତନ୍ୟଙ୍କୁ ବଡ଼ କରିବାପାଇଁ ଇଛାକୃତ ଭାବରେ ଜଗନ୍ନାଥ ଦାସଙ୍କୁ ନ୍ୟୂନ କରିବାର ପ୍ରଚେଷ୍ଟା ମଧ୍ୟ ହୋଇଛି ।

 

ଏହି କାରଣରୁ ଛୋଟ ଇଚ୍ଛାଟିଏ ମନକୁ ଆସିଲା ଅତିବଡ଼ୀଙ୍କ ପରମ୍ପରା ଓ ଜୀବନ ଚରିତକୁ ନେଇ ଖଣ୍ଡେ ବହି ଲୋକଲୋଚନକୁ ଆଣିବାପାଇଁ । ଅବଶ୍ୟ ଏହା ପୂର୍ବରୁ କିଛି ରାଜ୍ୟସ୍ତରୀୟ ଆଲୋଚନା ଚକ୍ରରେ ଜଗନ୍ନାଥ ଦାସଙ୍କୁ କେନ୍ଦ୍ର କରି ନିବନ୍ଧ ଉପସ୍ଥାପନା କରିଥିଲି, ତା ସହିତ ଆଉ କିଛି ଅକୁହା ରହିଯାଇଥିବା କଥାକୁ ସଂଯୋଜିତ କରି “ଅତିବଡ଼ୀ ଜଗନ୍ନାଥ ଦାସ” ପୁସ୍ତକଟି ପ୍ରକାଶ କରୁଛି ।

 

ଏହି ପୁସ୍ତକ ପ୍ରକାଶପାଇଁ ମୋର ପ୍ରଥମ ପ୍ରେରଣାର ଉତ୍ସ ହେଉଛନ୍ତି ତୁଳସୀ ନାନୀ (ଡଃ ତୁଳସୀ ଓଝା) ଏବଂ ପ୍ରଶାନ୍ତ ଭାଇ । ଦ୍ୱିତୀୟତଃ ଯାହାର ବିନା ସହାୟତାରେ ମୋର ଲେଖା ସଂପୂର୍ଣ୍ଣ ହୋଇପାରି ନଥାନ୍ତା ସେ ହେଲେ ମୋର ପତ୍ନୀ ଶ୍ରୀମତୀ ତପସ୍ୱିନୀ ରଥ । ଏହି ଅବସରରେ ସେମାନଙ୍କ ନିକଟରେ ମୁଁ କୃତଜ୍ଞ ।

 

ପରିଶେଷରେ ‘ସତ୍ୟନାରାୟଣ ବୁକ୍‌ଷ୍ଟୋର’ର ସତ୍ୱାଧିକାରୀ ଶ୍ରୀ ସତ୍ୟନାରାୟଣ ଚୌଧୁରୀ ଏହି ପୁସ୍ତକ ପ୍ରକାଶନର ଦାୟିତ୍ୱ ବହନ କରିଥିବାରୁ ମୁଁ ତାଙ୍କୁ ଗଭୀର କୃତଜ୍ଞତା ଜଣାଉଛି ।

 

ପୁରୀ

ସୁନୀଲ ରଥ

ଅକ୍ଷୟ ତୃତୀୟା-୨୦୧୭

 

Image

 

ବିଷୟ ସୂଚୀ

 

୧.

ସନ୍ଥ ଜଗନ୍ନାଥ ଦାସଙ୍କ ଜୀବନ ଚରିତ

୨.

ଜଗନ୍ନାଥ ଦାସଙ୍କ ଅତିବଡ଼ୀ ପରମ୍ପରା ଓ ସଂପ୍ରଦାୟ

୩.

ଅତିବଡ଼ୀ ସଂପ୍ରଦାୟର ଇତିହାସ ଓ ଜଗନ୍ନାଥ ଦାସ

୪.

ପରମଶାସ୍ତ୍ର ଭାଗବତ

୫.

ଶ୍ରୀମଦ୍ ଭାଗବତ ଏବଂ ଓଡ଼ିଆ ଭାଗବତ : ଏକ ଅନୁଶୀଳନ

୬.

ଅତିବଡ଼ୀଙ୍କ ସାହିତ୍ୟର ଦାର୍ଶନୀକ ମୂଲ୍ୟବୋଧ

୭.

ଓଡ଼ିଆ ଭାଗବତର ସାହିତ୍ୟିକ ମୂଲ୍ୟ

୮.

ଓଡ଼ିଆ ଭାଗବତରେ ମାୟାବାଦର ସ୍ୱରୂପ

୯.

ଓଡ଼ିଆ ଭାଗବତର ଲୋକଶିକ୍ଷା

୧୦.

ଭାଗବତ ଟୁଙ୍ଗୀର ସାମାଜିକ ପ୍ରଭାବ

୧୧.

ମାଧବ ପଟ୍ଟନାୟକଙ୍କ ବୈଷ୍ଣବ ଲୀଳାମୃତ ଓ ଜଗନ୍ନାଥ ଦାସ

୧୨.

ଶ୍ରୀମନ୍ତ ଶଙ୍କର ଦେବ ଏବଂ ଅତିବଡ଼ୀ ଜଗନ୍ନାଥ ଦାସଙ୍କ

Image

 

ଭାଗବତ : ଏକ ତୁଳନା

ସନ୍ଥ ଜଗନ୍ନାଥ ଦାସଙ୍କ ଜୀବନ ଚରିତ

 

ସନ୍ଥ ଜଗନ୍ନାଥ ଦାସଙ୍କ ଜନ୍ମ ସ୍ଥାନ ହେଉଛି ଶ୍ରୀପୁରୁଷୋତ୍ତମ କ୍ଷେତ୍ରର ପଶ୍ଚିମକୁ ଚିଲିକା ଦିଗକୁ ଗଲାବେଳେ ପ୍ରାୟ ପୁରୀଠାରୁ ୧୨ କିଲୋମିଟର ଦୂରରେ ସୂର୍ଯ୍ୟବଂଶୀ ମହାରାଜା କପିଳେନ୍ଦ୍ର ଦେବଙ୍କଦ୍ୱାରା ପ୍ରତିଷ୍ଠିତ କପିଳେଶ୍ୱରପୁର ଶାସନ । ଏହାଙ୍କ ପିତାଙ୍କ ନାମ ଶ୍ରୀଯୁକ୍ତ ଭଗବାନ ଦାଶ ଏବଂ ମାତାଙ୍କ ନାମ ପଦ୍ମାବତୀ ଦେବୀ । ପିତା ଥିଲେ ପ୍ରସିଦ୍ଧ କୌଶିକ ଗୋତ୍ର ଜାତ ଶାସନୀ ବ୍ରାହ୍ମଣ ତଥା ଶ୍ରୀଜଗନ୍ନାଥ ମନ୍ଦିରର ଜଣେ ବରିଷ୍ଠ ପୁରାଣପଣ୍ଡା । ତାଙ୍କରି ଔରସ ଜାତ ଜଗନ୍ନାଥ ଦାସଙ୍କ ଜନ୍ମ ମଧ୍ୟ ଏକ ଦିବ୍ୟଲୀଳା ତଥା ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦେଶରେ ଜନ୍ମଗ୍ରହଣ କରିଥିଲେ ବୋଲି ଦିବାକର ଦାସ ତାଙ୍କ ଜଗନ୍ନାଥ ଚରିତାମୃତ ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି । ତାଙ୍କ ମତରେ-

 

ଆଜ୍ଞାପ୍ରମାଣେ ସେ ଅଇଲେ ।

ଓଡ଼ିଶା ରାଜ୍ୟେ ଜନ୍ମ ନେଲେ

ନାମ କପିଳେଶ୍ୱର ପୁର ।

ଶାସନ ମଧ୍ୟେ ତାଙ୍କ ଘର

 

ଜଗନ୍ନାଥ ଦାସଙ୍କ ନିର୍ଦ୍ଦିଷ୍ଟ ଜନ୍ମ ସମୟ ଓ ବର୍ଷକୁ ନେଇ ଏକାଧିକ ମତ ରହିଛି । ଏଥିପାଇଁ ଭିନ୍ନ ଭିନ୍ନ ଗବେଷକ ନିଜ ନିଜ ଦୃଷ୍ଟିରୁ ଯୁକ୍ତି ଉପସ୍ଥାପନା କରି ୧୪୮୭ ମସିହାଠାରୁ ୧୪୯୨ ମସିହା ମଧ୍ୟରେ ଭିନ୍ନ ଭିନ୍ନ ବର୍ଷକୁ ଗ୍ରହଣ କରିଛନ୍ତି । ତେବେ ଜଗନ୍ନାଥ ଦାସଙ୍କ ଜନ୍ମ ବୃତ୍ତାନ୍ତ ସଂପର୍କରେ ଦିବାକର ଦାସ ଜଗନ୍ନାଥ ଚରିତାମୃତରେ ଯେଉଁ ପ୍ରସଙ୍ଗ ଅବତାରଣା କରିଛନ୍ତି ତାହାକୁ ଲକ୍ଷ୍ୟ କଲେ ଅନୁମାନ କରିହୁଏ ଯେ, ତାଙ୍କ ଜନ୍ମ କାଳ ୧୪୯୦ ଖ୍ରୀଷ୍ଟାବ୍ଦ ହେବ । ଦିବାକର ଦାସଙ୍କ ବର୍ଣ୍ଣନା ଅନୁସାରେ-

 

ଅଷ୍ଟାଦଶ ବରଷ ଗଲେ ।

ଶ୍ରୀ ଚୈତନ୍ୟ ଭେଟ ହେଲେ

ଷଡ଼ ବରଷ ନିରନ୍ତର ।

ସେବିଲେ ଚୈତନ୍ୟ ପୟର

ଏ ଅନ୍ତେ ତିରିଶ ବରଷ ।

ପ୍ରେମ ସାଧିଲେ ଅହର୍ନିଶ

ଷାଠି ବରଷ କ୍ଷେତ୍ରେ ଥିଲେ ।

ପ୍ରେମ ସାଧି ଥାନେ ଗମିଲେ

 

ଇତିହାସ ଦୃଷ୍ଟିରୁ ବିଚାର କଲେ ଶ୍ରୀଚୈତନ୍ୟଙ୍କ ପ୍ରଥମ ଶ୍ରୀକ୍ଷେତ୍ର ଆଗମନ ଘଟିଥିଲା ୧୫୦୯ ଖ୍ରୀଷ୍ଟାବ୍ଦ ଦୋଳ ଉତ୍ସବ ସମୟରେ । ସେତେବେଳକୁ ଜଗନ୍ନାଥ ଦାସ ଅଷ୍ଟାଦଶ ବର୍ଷ ବୟସ ଅତିକ୍ରମ କରି ଉନ୍ନବିଂଶ ବର୍ଷରେ ପାଦ ଦେଇଥିଲେ । ଏହିଠାରୁ ପଛକୁ ଫେରିଲେ ଆମେ ଲକ୍ଷ୍ୟ କରିପାରିବା ଯେ, ଜଗନ୍ନାଥ ଦାସଙ୍କ ଜନ୍ମ ସମୟ ୧୪୯୦ ଖ୍ରୀଷ୍ଟାବ୍ଦରେ ପଡୁଛି । ଏ ସଂପର୍କରେ ବିଶିଷ୍ଟ ଧର୍ମଶାସ୍ତ୍ରବିତ୍ ତଥା ଜ୍ୟୋତିର୍ବିଦ୍ ପଣ୍ଡିତ କୁଳମଣି ମିଶ୍ର, “ଶ୍ରୀକୃଷ୍ଣଭକ୍ତଲତାଫଳ” ଗ୍ରନ୍ଥର ମୁଖବନ୍ଧରେ ଲେଖିଛନ୍ତି,- “ବୈଷ୍ଣବ ଶିରୋମଣି ଶ୍ରୀଜଗନ୍ନାଥ ଦାସ ଗୋସ୍ୱାମୀ ୧୪୯୦ ଖ୍ରୀଷ୍ଟାବ୍ଦ ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଅନୁରାଧା ନକ୍ଷତ୍ରଯୁକ୍ତ ବୁଧବାର ମଧ୍ୟାହ୍ନ ସମୟରେ ଜନ୍ମଗ୍ରହଣ କରିଥିଲେ । ତଥା ଷାଠିଏ ବର୍ଷ ବୟସରେ ମାଘମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ ୧୫୫୦ ଖ୍ରୀଷ୍ଟାବ୍ଦରେ ନିଜର ପ୍ରଧାନ ଶିଷ୍ୟ ଶ୍ରୀହରିଦାସଙ୍କୁ ସ୍ୱପାଦୁକାଦ୍ୱୟ ଅର୍ପଣ କରି ଅପ୍ରକଟ ହୋଇଥିଲେ ।” ଏଠାରେ ସୂଚନା ଯୋଗ୍ୟ ଯେ, ଜଗନ୍ନାଥ ଦାସ ଛବିଶବର୍ଷ ବୟସରେ ଗଜପତି ପ୍ରତାପରୁଦ୍ର ଦେବଙ୍କ ପାଟରାଣୀଙ୍କୁ ନିଜର ଶିଷ୍ୟା ଭାବରେ ଗ୍ରହଣ କରିବା ପରେ ରାଣୀଙ୍କ ଉଆସକୁ ମଠ ସ୍ଥାପନାପାଇଁ ପ୍ରାପ୍ତ ହୋଇ, ସେହିଠାରେ ବଡ଼ ଓଡ଼ିଆ ମଠକୁ ସ୍ଥାପନା କରିଥିଲେ । କିନ୍ତୁ ଜୀବନର ଅନ୍ତିମ କିଛିବର୍ଷ ଏକାଗ୍ରଚିତ୍ତ ହୋଇ ସାଧନାରେ ମଗ୍ନ ହେବାପାଇଁ ସ୍ୱର୍ଗଦ୍ୱାର ନିକଟସ୍ଥ ଶ୍ମଶାନଠାରେ, ଏକାନ୍ତ ନିର୍ଜନ ଅବସ୍ଥାରେ ମଠ ସ୍ଥାପନା କରି ଅବସ୍ଥାନ କଲେ । ପରବର୍ତ୍ତୀ ସମୟରେ ଏହି ମଠ ସାତଲହଡ଼ି ମଠ ଭାବରେ ନାମିତ ହୋଇଥିଲା । ଅବଶ୍ୟ ଏହି ନାମକରଣ ପଛରେ ଏକ କିମ୍ବଦନ୍ତୀ ରହିଛି ଯେ, ଜଗନ୍ନାଥ ଦାସଙ୍କ ଆଦେଶରେ ମହୋଦଧି ଏଠାରେ ସାତଟି ଲହଡ଼ି ପରିମିତ ସ୍ଥାନ ତ୍ୟାଗ କରି ପଛକୁ ଘୁଞ୍ଚି ଯାଇଥିବାରୁ ମଠର ନାମ ସାତଲହଡ଼ି ହୋଇଥିଲା ।

Image

 

ଜଗନ୍ନାଥ ଦାସଙ୍କ ବାଲ୍ୟଜୀବନ

 

ବାଲ୍ୟ ଜୀବନ କହିଲେ ହିଁ ମୁଖ୍ୟତଃ ପୁତ୍ରର ଷୋଡ଼ଶ ବର୍ଷ ପ୍ରାପ୍ତି ପର୍ଯ୍ୟନ୍ତ ଅବସ୍ଥାକୁ ବୁଝାଏ ବୋଲି ଆମର ଆପ୍ତ ବାକ୍ୟ ରହିଛି । ଏହି କ୍ରମରେ ଦେଖିଲେ ଶ୍ରୀଚୈତନ୍ୟଙ୍କ ସହିତ ସାକ୍ଷାତ୍‍କାର ଦୁଇବର୍ଷ ପୂର୍ବ ପର୍ଯ୍ୟନ୍ତ ଅବସ୍ଥାକୁ ଜଗନ୍ନାଥ ଦାସଙ୍କ ବାଲ୍ୟାବସ୍ଥା କୁହାଯାଇ ପାରିବ ।

ବିଶିଷ୍ଟ ପଣ୍ଡିତ ତଥା ପୁରାଣପଣ୍ଡା ଭଗବାନ ଦାସ ଥିଲେ ଚରିତ୍ରବାନ୍‌, ଧାର୍ମିକ ଓ ଏକାନ୍ତ ଭାବରେ ଶ୍ରୀଜଗନ୍ନାଥ ପ୍ରାଣ । ତାଙ୍କ ଧର୍ମପତ୍ନୀ ପଦ୍ମାବତୀ ଦେବୀ ମଧ୍ୟ ଅନୁରୂପ ଭାବରେ ଥିଲେ ଧାର୍ମିକା, ସ୍ୱାମୀ ଅନୁଗତା ଓ ଶ୍ରୀଜଗନ୍ନାଥପ୍ରାଣ । ଦାରିଦ୍ର‌୍ୟ ଥିଲା ଏହି ପରିବାରର ସହଚର । ଏହିଭଳି ଏକ ପରିବାରରେ ବିଭୂ କରୁଣାରୁ ଜାତ ଜଗନ୍ନାଥ ଦାସ ମାତ୍ର ଦ୍ୱାଦଶ ବର୍ଷ ବୟସ ବେଳକୁ ବେଦ, ବେଦାନ୍ତ, ବ୍ୟାକରଣ, ତଥା ପ୍ରସ୍ଥାନତ୍ରୟୀ ଗ୍ରନ୍ଥପାଠ କରି ପାଣ୍ଡିତ୍ୟ ଅର୍ଜନ କରି ସାରିଥିଲେ । ତା ସହିତ ବଂଶ ପରମ୍ପରାକୁ ଆଧାର କରି ସେ ପିଲାଟି ଦିନରୁ ପୁରାଣପାଠ କରିବା ଓ ସାଧାରଣ ବ୍ୟକ୍ତିଙ୍କୁ ଓଡ଼ିଆରେ ଅର୍ଥକରି ବୁଝାଇବାଦ୍ୱାରା ତାଙ୍କ ଜ୍ଞାନ ପରିମାର୍ଜିତ ହେବା ସହିତ ପରିବର୍ଦ୍ଧିତ ହୋଇ ଚାଲିଥିଲା । ତା ସହିତ ବଢ଼ି ଚାଲିଥିଲା ସଂସାର ପ୍ରତି ବୈରାଗ୍ୟ । ଫଳରେ ପିଲା ଦିନରୁ ହିଁ ହରେ ରାମ କୃଷ୍ଣ ମନ୍ତ୍ର ଜପ କରିବା ସହିତ ଚିରକୁମାର ରହିବାର ବ୍ରତ ଗ୍ରହଣ କରି ନେଇଥିଲେ ।

ସନ୍ଥ ଜଗନ୍ନାଥ ଦାସ ଦ୍ୱାଦଶ ବର୍ଷ ବୟସରୁ ଷୋଡ଼ଶ ବର୍ଷ ବୟସ ମଧ୍ୟରେ କାଶୀ ଯାତ୍ରା କରି ସେହିଠାରେ ଶ୍ରୀମଦ୍ ଭାଗବତ ମହାପୁରାଣ ତଥା ଏହାର ବିଭିନ୍ନ ଟୀକା ପାଠ କରିଥିବା କଥା ଡକ୍ଟର ନଟବର ସାମନ୍ତରାୟ “ଅତିବଡ଼ୀ ପରିକ୍ରମା” ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି । ତେବେ ସେ ଶ୍ରୀଧର ଦାସଙ୍କ ଟୀକାକୁ ଆଧାର କରି ଓଡ଼ିଆ ଭାଗବତକୁ ରଚନା କରିଥିଲେ । ଯାହାକି ମୂଳ ସଂସ୍କୃତ ଭାଗବତଠାରୁ ଅଧିକ ସମୃଦ୍ଧ ହୋଇ ଉଠିଥିଲା ।

ଷୋଡ଼ଶ ବର୍ଷ ବୟସବେଳକୁ ସଂସାର ପ୍ରତି ସଂପୂର୍ଣ୍ଣ ବିମୁଖ ହୋଇ ଶ୍ରୀଜଗନ୍ନାଥଙ୍କ ନିକଟରେ ସଂପୂର୍ଣ୍ଣ ଶରଣ ଯାଇ ଶ୍ରୀକ୍ଷେତ୍ରକୁ ପରମତୀର୍ଥ ଭାବରେ ଗ୍ରହଣ କରି ନେଇଥିଲେ । ଏହି ସମୟରେ ଶ୍ରୀଜଗନ୍ନାଥ ମନ୍ଦିର ବେଢ଼ାସ୍ଥ ବଟଗଣେଶଙ୍କ ନିକଟରେ ଶ୍ରୀମଦ୍ ଭାଗବତ ମହାପୁରାଣ ପାଠ କରିବା ସହ ଏହାର ଓଡ଼ିଆ ଅନୁବାଦ କରିବା ଆରମ୍ଭ କରିଦେଇଥିଲେ । ଅବଶ୍ୟ ଭାଗବତ ମହାପୁରାଣକୁ ଓଡ଼ିଆରେ ଅନୁବାଦ କରିବା ପୃଷ୍ଠଭୂମିରେ ମାତୃ ପ୍ରେରଣା ରହିଥିବା ବିଷୟକ କିମ୍ବଦନ୍ତୀ ମଧ୍ୟ ରହିଛି । ତେବେ ଏହା କେତେଦୂର ଗ୍ରହଣଯୋଗ୍ୟ ତାହା ବିଚାର୍ଯ୍ୟ । ଯେହେତୁ ଏହି କାଳଖଣ୍ଡ ଥିଲା ଭାରତୀୟ ପ୍ରାନ୍ତୀୟ ଭାଷାମାନଙ୍କର ଉତ୍ଥାନର ସମୟ ଓ ସଂସ୍କୃତ ଭାଷା ବିରୁଦ୍ଧରେ ବିଦ୍ରୋହ । ଯାହାର ପରିଣତିରେ ଏ ସମୟରେ କବୀର, ନାନକ, ତୁଳସୀଦାସ, ଶ୍ରୀମନ୍ତ ଶଙ୍କର ଦେବ, ତୁକାରାମ ପ୍ରଭୃତି ସନ୍ଥ ନିଜ ନିଜର ପ୍ରାନ୍ତୀୟ ଭାଷାକୁ ଧର୍ମ ଓ ଦର୍ଶନର ପ୍ରଚାର ମାଧ୍ୟମଭାବେ ଗ୍ରହଣ କରି ନେଇଥିଲେ । ଅନୁରୂପ ଭାବରେ ବଳରାମ ଦାସ ଆଦି ପଞ୍ଚସଖା ଓଡ଼ିଆ ଧର୍ମୀୟ ସାହିତ୍ୟ ରଚନା ଆରମ୍ଭ କରିଦେଇଥିଲେ ।

ଏ ସଂପର୍କରେ ମାଧବ ପଟ୍ଟନାୟକଙ୍କ “ବୈଷ୍ଣବ ଲୀଳାମୃତ” ଗ୍ରନ୍ଥରୁ ଜଣାଯାଏ ଯେ, ବଟ ଗଣେଶ ମୂଳରେ ଏକ କ୍ଷୁଦ୍ର ମଣ୍ଡପ ନିର୍ମାଣ କରି ସେଥିରେ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ରଖି ତାଙ୍କରି ସମ୍ମୁଖରେ ବସି ପ୍ରତ୍ୟହ ଭାଗବତ ରଚନା କରିବା ସହ ଭାଗବତର ଅର୍ଥ ବୁଝାଉଥିଲେ-

ବଟ ଗଣେଶ ମୂଳେ ବସେ ।

ଜଗନ୍ନାଥ ଦାସ ପ୍ରତକ୍ଷେ

ରାହାସ ମଣ୍ଡପ ନିର୍ମାଣି ।

ରାଧାକୃଷ୍ଣ ମୂର୍ତ୍ତି ଥାପଣି

ଭାଗବତ ରଚନା କରେ ।

ଭଗତେ ଶୁଣନ୍ତି ସଧୀରେ

(ବୈ.ଲୀ-୪ର୍ଥ ଅ.)

 

ମନେହୁଏ ଶ୍ରୀଚୈତନ୍ୟଙ୍କ ଆଗମନବେଳକୁ ଜଗନ୍ନାଥ ଦାସ ଭାଗବତର ଦଶମସ୍କନ୍ଧ ପର୍ଯ୍ୟନ୍ତ ରଚନା କରି ସାରି ବଟ ମୂଳରେ ପାଠ କରି ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କୁ ଶୁଣାଉଥିଲେ ।

Image

 

ଶ୍ରୀଚୈତନ୍ୟ ଏବଂ ଜଗନ୍ନାଥ ଦାସଙ୍କ ସାକ୍ଷାତ୍‍

 

ଭକ୍ତ ଜଗନ୍ନାଥ ଦାସ ଏବଂ ଶ୍ରୀଚୈତନ୍ୟଙ୍କ ସାକ୍ଷାତ୍‍ ଷୋଡ଼ଶ ଶତାବ୍ଦୀର ଆଦ୍ୟ ଦଶକର ଏକ କ୍ରାନ୍ତିକାରୀ ଘଟଣା । ଏ ସଂପର୍କରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ମତ ହେଲା- ଉତ୍କଳର ଧର୍ମ ଇତିହାସରେ ଶ୍ରୀ ଚୈତନ୍ୟଙ୍କ ସହିତ ଶ୍ରୀ ଜଗନ୍ନାଥ ଦାସଙ୍କ ମିଳନ ଏକ ଉଲ୍ଲେଖଯୋଗ୍ୟ ଘଟଣା । ଯାହାକି ଜ୍ଞାନମିଶ୍ରା ଭକ୍ତିମାର୍ଗୀ ବୈଷ୍ଣବ ଦର୍ଶନ ସହିତ ଶୁଦ୍ଧାଭକ୍ତିମାର୍ଗୀ ଦର୍ଶନର ମହାମିଳନର ଫଳଶ୍ରୁତି ବୋଲି ମଧ୍ୟ କୁହାଯାଇପାରେ ।

 

ଜଗନ୍ନାଥ ଦାସ ବଟଗଣେଶଙ୍କ ପାଖରେ ଭାଗବତ ଦଶମ ସ୍କନ୍ଧର ବ୍ୟାଖ୍ୟା କରୁଥିବା ଅବସରରେ, ନିଜର ସଖାଗଣଙ୍କ ସହିତ ଚୈତନ୍ୟ ସେଠାରେ ଉପସ୍ଥିତ ହୋଇ ତନ୍ମୟ ହୋଇ ପଡ଼ିଥିଲେ । ଜଗନ୍ନାଥ ଦାସଙ୍କ ସରଳ ବ୍ୟାଖା, ଉପସ୍ଥାପନା ଶୈଳୀ ଓ ତାତ୍ତ୍ୱିକ କଥାର ସରଳ ପରିପ୍ରକାଶ ତାଙ୍କୁ ମୁଗ୍‌ଧ କରି ତୋଳିଥିଲା । ସେ ତାଙ୍କର ସଂକୀର୍ତ୍ତନ ଏବଂ ମନ୍ଦିର ପରିକ୍ରମାକୁ ସ୍ଥଗିତ ରଖି ଅତ୍ୟନ୍ତ ଭାବବେଗର ସହିତ ଜଗନ୍ନାଥ ଦାସଙ୍କ ସହିତ ଆଲିଙ୍ଗନବଦ୍ଧ ହେଲେ । ଏହି ଆଲିଙ୍ଗନ ଅଢ଼େଇ ଦିବସ ଯାଏଁ ରହିଥିଲା ବୋଲି ଜଗନ୍ନାଥ ଚରିତାମୃତରେ ଉଲ୍ଲେଖ ଅଛି-

 

ଏହି ସମୟେ ଶ୍ରୀ ଚୈତନ୍ୟ ।

ସଙ୍ଗତେ ଘେନି ସଖା ଗଣ

ବଟ ତଳେଣ ବିଜେ କଲେ ।

ପୁରାଣ ଶୁଣି ତୋଷ ହେଲେ

 

ପ୍ରେମ ଭରେଣ ଶ୍ରୀଚୈତନ୍ୟ ।

ଦାସଙ୍କୁ କଲେ ଆଲିଙ୍ଗନ

ଅଢାଇ ଦିବସ ପର୍ଯ୍ୟନ୍ତେ ।

ଦୁହେଁ ରହିଲେ ପ୍ରେମ ଚିତ୍ତେ

(୨ଅ.)

ଏହି ପ୍ରସଙ୍ଗରେ “ବୈଷ୍ଣବ ଲୀଳାମୃତ”ରେ ମାଧବ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ଯେ, ଜଗନ୍ନାଥ ଦାସ ଭାଗବତର ଅର୍ଥ ବ୍ୟାଖ୍ୟାନ କରୁଥିବା ସମୟରେ ବଟମୂଳରେ ଚୈତନ୍ୟ ଉପସ୍ଥିତ ହୋଇ ଭାଗବତର ଅର୍ଥ ହୃଦୟଙ୍ଗମ କଲେ-

ଭାଗବତ ଅର୍ଥ ଶୁଣିଲେ ।

ସ୍ୱାମୀର ଭାବ ସେ ବୁଝିଲେ

ନୟନ ଅଶ୍ରୁ ଜର ଜର

ଅଙ୍ଗେଣ ପୁଲକ ଅପାର

ଜଗନ୍ନାଥର ଏତେ ଭାବ ।

ଚୈତନ୍ୟ କଲେ ତାହା ଠାବ

ବୋଇଲେ ତୁ ଭଗତ ଶ୍ରେଷ୍ଠ ।

ଭଗତି ଭାବେ ମତି ପୁଷ୍ଟ

ତୋ ଭାବ ମୁଁ କାହୁଁ ପାଇବି ।

ତୋହର ସଙ୍ଗ ନଛାଡ଼ିବି

ଅଢ଼େଇ ପ୍ରହର ପର୍ଯ୍ୟନ୍ତେ ।

ଦୁହେଁ ରହିଲେ କୋଳାଗ୍ରତେ

(୪ର୍ଥ ଅଧ୍ୟାୟ)

 

“ଜଗନ୍ନାଥ ଚରିତାମୃତ”ର ରଚନାକାଳ ଜଗନ୍ନାଥ ଦାସଙ୍କ ମୃତ୍ୟୁର ଅର୍ଦ୍ଧଶତାବ୍ଦୀ ପରେ । ଅପରପକ୍ଷରେ ବୈଷ୍ଣବ ଲୀଳାମୃତର କବିଙ୍କ ସହିତ ଜଗନ୍ନାଥ ଦାସଙ୍କର ବ୍ୟକ୍ତିଗତ ସଂପର୍କ ଥିଲା ଓ ଉଭୟେ ପ୍ରାୟ ସମବୟସ୍କ । ତେଣୁ ଦିବାକର ଦାସଙ୍କ ଅଢ଼େଇ ଦିବସ ଆଲିଙ୍ଗନବଦ୍ଧ ରହିବା ପ୍ରସଙ୍ଗଠାରୁ ମାଧବ ପଟ୍ଟନାୟକଙ୍କ ‘ଅଢ଼େଇ ପ୍ରହର’ ସତ୍ୟର ବେଶୀ ନିକଟବର୍ତ୍ତୀ ମନେହୁଏ । ଏହି ପ୍ରାରମ୍ଭିକ ଘନିଷ୍ଠ ସଂପର୍କ ପରଠାରୁ ପରସ୍ପର ପରସ୍ପରକୁ ସଠିକ୍ ଭାବରେ ବୁଝି ପାରିଥିଲେ । ତେଣୁ ଶ୍ରୀଚୈତନ୍ୟଙ୍କ ଅଲୌକିକ ବ୍ୟକ୍ତିତ୍ୱକୁ ଅନୁଭବ କରି ଜଗନ୍ନାଥ ଦାସ ତାଙ୍କୁ ‘ପ୍ରଭୁ’ ବୋଲି ସମ୍ବୋଧନ କରୁଥିଲେ । ଅପରପକ୍ଷରେ ଜଗନ୍ନାଥ ଦାସଙ୍କ ଭିତରେ ରହିଥିବା ସନ୍ଥ ସ୍ୱଭାବ ଏବଂ ଦିବ୍ୟ ବ୍ୟକ୍ତିତ୍ୱପାଇଁ ଶ୍ରୀଚୈତନ୍ୟ ତାଙ୍କୁ ‘ସ୍ୱାମୀ’ ବୋଲି ସମ୍ବୋଧନ କରୁଥିଲେ । ଉଭୟଙ୍କର ସୈଖ୍ୟଭାବ ଶ୍ରୀଚୈତନ୍ୟଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଅପ୍ରତିହତ ଭାବରେ ରହିଥିଲା । ଏତଦ୍‌ବ୍ୟତୀତ ଜ୍ଞାନମିଶ୍ରାଭକ୍ତିଧାରାର ସାଧକ ଜଗନ୍ନାଥ ଦାସ କ୍ରମଶଃ ପ୍ରତାପରୁଦ୍ର ଦେବଙ୍କର ପୃଷ୍ଠପୋଷକତାରେ ଲୋକଚୋତନାକୁ ଅଧିକ ପ୍ରଭାବିତ କରୁଥିବା ଚୈତନ୍ୟଙ୍କ ପ୍ରଚାରିତ ଶୁଦ୍ଧଭକ୍ତିଧାରାଦ୍ୱାରା କିଛି ପରିମାଣରେ ପ୍ରଭାବିତ ହୋଇଥିଲେ ହେଁ ସ୍ୱକୀୟ ସ୍ୱାତନ୍ତ୍ର‌୍ୟ ବଜାୟ ରଖିଥିଲେ । ଉଭୟ ଶ୍ରୀ ଚୈତନ୍ୟ ଏବଂ ଜଗନ୍ନାଥ ଦାସଙ୍କ ଘନିଷ୍ଠତାର ପରିଣାମସ୍ୱରୂପ, ଚୈତନ୍ୟଙ୍କଦ୍ୱାରା ଜଗନ୍ନାଥ ଦାସଙ୍କ ଶ୍ରେଷ୍ଠତ୍ୱ ଘୋଷିତ ହୋଇଥିଲା । ପରିଣାମତଃ ଶ୍ରୀ ଚୈତନ୍ୟ ତାଙ୍କୁ ଅତିବଡ଼ୀ ଉପାଧିରେ ଭୂଷିତ କରିଥିଲେ । ଏହି ଅତିବଡ଼ୀ ଉପାଧିର ଲୋକପ୍ରିୟତାପାଇଁ ଜଗନ୍ନାଥ ଦାସଙ୍କଦ୍ୱାରା ପ୍ରବର୍ତ୍ତିତ ସଂପ୍ରଦାୟକୁ ମଧ୍ୟ ଅତିବଡ଼ୀ ସଂପ୍ରଦାୟ ଭାବରେ ଗ୍ରହଣ କରି ନିଆଯାଇଛି । ଅତିବଡ଼ୀ ଉପାଧି ବିଷୟରେ ବୈଷ୍ଣବ ଲୀଳାମୃତରେ ବର୍ଣ୍ଣିତ ହୋଇଛି ଯେ-

 

ଅତିବଡ଼ ଏ କଥା କହୁ ।

ଅତିବଡ଼ ହେଲୁ ଆଜହୁଁ

କାନ୍ଧରୁ ଉତ୍ତରୀ କାଢ଼ିଲା ।

ସ୍ୱାମୀ ମସ୍ତକେ ଭିଡ଼ିଦେଲା

ବୋଲେ ଏ ଅତି ବଡ଼ପଣ ।

ସ୍ୱାମୀ ତୁ ମୋହର ପରାଣ

ପ୍ରଭୁ ବୋଇଲେ ସ୍ୱରୂପକୁ ।

ଏ ଅତିବଡ଼ ବୋଲିବାକୁ

ଆଉ ଯେତେକ ଭକ୍ତ ମେଳେ

ପ୍ରଭୁ ଅତିବଡ଼ ପ୍ରଚାରେ

ସକଳେ କଲେ ଅଙ୍ଗୀକାର

ଏ ଅତିବଡ଼ୀର ବେଭାର

(୫ମ ଅଧ୍ୟାୟ)

 

ଅତିବଡ଼ୀ ଉପାଧି ପ୍ରଦାନ କାଳରେ ସେଠାରେ ସ୍ୱରୂପ ଦାମୋଦର, କାଶୀ ମିଶ୍ର, ରାୟରାମାନନ୍ଦ, ବଳରାମ ଦାସ ପ୍ରଭୃତି ଶ୍ରେଷ୍ଠ ବ୍ୟକ୍ତିଗଣ ମଧ୍ୟ ଉପସ୍ଥିତ ଥିଲେ ବୋଲି ମାଧବ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି । ତେବେ ଏକ କିମ୍ବଦନ୍ତୀକୁ ଆଧାର କରି କୁରାମଣି ପାଠିଶର୍ମା ଅତିବଡ଼ୀ ପରିକ୍ରମାରେ ଉଲ୍ଲେଖ କରିଛନ୍ତି,- ଚୈତନ୍ୟ ଶିଷ୍ୟମାନଙ୍କ ସହିତ ଜଗନ୍ନାଥ ଦାସଙ୍କ ଗୃହରେ ଶ୍ରୀକୃଷ୍ଣ ବେଶ ପରିଧାନ କରାଉଥିବାବେଳେ ଭାବ ତନ୍ମୟ ହୋଇଯାଇଥିଲେ ଏବଂ ପ୍ରଥମେ ଶ୍ରୀକୃଷ୍ଣଙ୍କ ମସ୍ତକରେ ମୁକୁଟ ପରିଧାନ କରାଇ ପରେ ରତ୍ନମାଳା ଦେଲାବେଳେ ମୁକୁଟ ଥିବାରୁ ରତ୍ନମାଳା ଗଳାରେ ପ୍ରବେଶ କରିବା ଅସୁବିଧା ହେତୁ ପିନ୍ଧା ମୁକୁଟକୁ ବାହାର କରିବାକୁ ଉଦ୍ୟତ ହୁଅନ୍ତେ ଚୈତନ୍ୟଙ୍କୁ ଜଗନ୍ନାଥ ଦାସ କହିଲେ କ’ଣ କରୁଛନ୍ତି ପ୍ରଭୁ ! ଚୈତନ୍ୟ ଅଟକି ଗଲେ ଓ ଚେତନା ଫେରିବା ପରେ ସଙ୍ଗେ ସଙ୍ଗେ ଉତ୍ତରୀୟ ପାଟଟି କାଢ଼ି ଜଗନ୍ନାଥ ଦାସଙ୍କ ମୁଣ୍ଡରେ ବାନ୍ଧି ଦେଇ ଅତିବଡ଼ୀ ବୋଲି ସମ୍ବୋଧନ କରିଥିଲେ-

 

ଆପଣା ଶ୍ରୀଅଙ୍ଗୁ ପାଛୋଡ଼ି ।

କସାବସନ ଅଙ୍ଗୁ କାଢ଼ି

ଦାସଙ୍କ ଶିରେ ବାନ୍ଧିଦେଲେ ।

ଅତିବଡ଼ୀ ବୋଲି ବୋଇଲେ

 

ତେବେ ଉପରୋକ୍ତ ମତଦ୍ୱୟରୁ ମାଧବ ପଟ୍ଟନାୟକଙ୍କ ମତଟି ସତ୍ୟର ନିକଟବର୍ତ୍ତୀ ମନେହୁଏ ।

Image

 

ଅତିବଡ଼ୀଙ୍କ ଦୀକ୍ଷା ଗ୍ରହଣ

 

ମଧ୍ୟଯୁଗୀୟ ବୈଷ୍ଣବ ପରମ୍ପରାରେ ରହିଆସିଛି ଯେ, ଜଣେ ଦୀକ୍ଷା ଗ୍ରହଣ ନକରି ବା ଗୁରୁ ପରମ୍ପରାରେ ମନ୍ତ୍ର ଗ୍ରହଣ ନକରି ବୈଷ୍ଣବ ସାଧୁମାନଙ୍କ ସମକକ୍ଷ ଆସନରେ ଆସୀନ ହୋଇପାରିବ ନାହିଁ । କିନ୍ତୁ ଅତିବଡ଼ୀ ଜଗନ୍ନାଥ ଦାସ ଦୀକ୍ଷା ଗ୍ରହଣ କରିନଥିଲେ ମଧ୍ୟ, ଶ୍ରୀ ଚୈତନ୍ୟ ତାଙ୍କୁ ନିଜର ସଖା ଭାବରେ ଗ୍ରହଣ କରି ନେଇଥିବା କଥାକୁ ଚୈତନ୍ୟଙ୍କର ଭକ୍ତ ଓ ଶିଷ୍ୟମଣ୍ଡଳୀ ସହଜରେ ଗ୍ରହଣ କରି ପାରୁନଥିଲେ । ଏହାର ପ୍ରଥମ କାରଣ ଥିଲା ସେ ଥିଲେ ଅଦୀକ୍ଷିତ ବା ଅଣଉପଦେଶିଆ । ଦ୍ୱିତୀୟତଃ ତାଙ୍କ ମତ ଗୌଡ଼ୀୟ ବୈଷ୍ଣବ ଭାବଠାରୁ ଭିନ୍ନ ରହିଥିଲା । ଏଣୁ ସେମାନେ ଚାହୁଁଥିଲେ ଶ୍ରୀ ଚୈତନ୍ୟ, ଅତିବଡ଼ୀଙ୍କୁ ପରିତ୍ୟାଗ କରନ୍ତୁ । କିନ୍ତୁ ଶ୍ରୀ ଚୈତନ୍ୟ ଆଧ୍ୟାତ୍ମ ଦିଗରୁ ବୁଝାଇ କହିଥିଲେ- “ବ୍ରାହ୍ମଣ ସର୍ବପୂଜ୍ୟ, ଯେହେତୁ ଜଗନ୍ନାଥ ଦାସ ବ୍ରାହ୍ମଣ, ତେଣୁ ତାଙ୍କ ପକ୍ଷରେ ବୈଷ୍ଣବ ଦୀକ୍ଷା ଗ୍ରହଣର ଆବଶ୍ୟକତା ନାହିଁ । ଏ ବିଷୟରେ ଦିବାକର ଦାସ ଉଲ୍ଲେଖ କରିଛନ୍ତି-

 

ଦ୍ୱାରକାପୁରେ ଭଗବାନ ।

ବ୍ରାହ୍ମଣେ କରିଛନ୍ତି ମାନ୍ୟ

ସର୍ବଦେବତା ବିଷ୍ଣୁ ଦେହେ ।

ବ୍ରାହ୍ମଣ ଦେହେ ବିଷ୍ଣୁରହେ

ଉପଦେଶହିଁ ହୋଇନାହିଁ ।

ତେବେ ହେଁ ଭକ୍ତ ଅଙ୍ଗ ସେହି

 

ବ୍ରାହ୍ମଣ ଠାରୁ ଉପଦେଶ ।

ବ୍ରହ୍ମ ଲୋକରେ ତାର ବାସ

ଯାର ଦେଖିବ ପ୍ରେମ ଭାବ ।

ଏ ଗତି ତହୁଁ ନ ଧରିବ

ଜଗନ୍ନାଥଙ୍କୁ ଆଶ୍ରେ ଯେହୁ ।

ବୈଷ୍ଣବ ମଧ୍ୟେ ଧନ୍ୟ ସେହୁ

(ଜ.ଚ.)

 

ପ୍ରଶ୍ନ ଯେତେବେଳେ ଦୀକ୍ଷା ଗ୍ରହଣକୁ ନେଇ ଉଠିଲା । ସେହିକ୍ଷଣି ଅତିବଡ଼ୀ ମଧ୍ୟ ବୈଷ୍ଣବ ଦୀକ୍ଷା ଗ୍ରହଣ କରିବାପାଇଁ କାଶୀ ମିଶ୍ରଙ୍କ ଗୃହରେ ଅବସ୍ଥାନ କରୁଥିବା ଶ୍ରୀଚୈତନ୍ୟଙ୍କ ପାଖକୁ ଯାଇ ଗୁରୁମନ୍ତ୍ର ଦେବାପାଇଁ ଅନୁରୋଧ କରିଥିଲେ । ତେବେ ପ୍ରଥମକୁ ଉତ୍କଳୀୟ ବୈଷ୍ଣବ ଓ ଗୌଡ଼ୀୟ ବୈଷ୍ଣବଙ୍କ ମଧ୍ୟରେ ୩୨ଅକ୍ଷର ଯୁକ୍ତ ମହାମନ୍ତ୍ରରେ ପାର୍ଥକ୍ୟ ରହିଥିବା ହେତୁ, ଜଗନ୍ନାଥ ଦାସ କେଉଁ ମନ୍ତ୍ରରେ ଦୀକ୍ଷା ଗ୍ରହଣ କରିବେ ସେ ନେଇ ଉଭୟଙ୍କ ମଧ୍ୟରେ ଶାସ୍ତ୍ରୀୟ ଚର୍ଚ୍ଚା ହେବା ପରେ, ଶ୍ରୀ ଚୈତନ୍ୟ ବୁଝିପାରିଲେ ‘ହରେକୃଷ୍ଣ’ ମନ୍ତ୍ରକୁ ସେ ଗ୍ରହଣ କରିବେ ନାହିଁ । ତେଣୁ ଉପଦେଶ ଦେଇ, ଜ୍ୟେଷ୍ଠ ବଳରାମ ଦାସଙ୍କ ପାଖକୁ ଦୀକ୍ଷା ନେବାପାଇଁ ପ୍ରେରଣ କରିଥିଲେ-। ଜଗନ୍ନାଥ ଦାସ ମଧ୍ୟ ଉତ୍କଳୀୟ ପରମ୍ପରା ଆଧାରିତ “ହରେ ରାମ ହରେ ରାମ ରାମ ରାମ ହରେ ହରେ । ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ” ମନ୍ତ୍ରକୁ ଗ୍ରହଣ କରିଥିଲେ । ଗୁରୁ ଭାବରେ ଅଗ୍ରଜ ବଳରାମ ଦାସଙ୍କଠାରୁ “ହରେରାମକୃଷ୍ଣ” ମନ୍ତ୍ରରେ ଦୀକ୍ଷିତ ହୋଇଥିଲେ ମଧ୍ୟ ଯୋଗଭିତ୍ତିକ ଜ୍ଞାନମିଶ୍ରା ସାଧନ ମାର୍ଗକୁ ସେ ତ୍ୟାଗ କରିନଥିଲେ । ରାଧାକୃଷ୍ଣ ଚେତନାକୁ ହୃଦୟରେ ଧାରଣ କରିଥିଲେ ହେଁ ତାକୁ ଲୌକିକ ସ୍ତରରୁ ଊର୍ଦ୍ଧ୍ୱକୁ ନେଇଯାଇ ପାରଲୌକିକ ସ୍ତରରେ ପିଣ୍ଡବ୍ରହ୍ମାଣ୍ଡ ତତ୍ତ୍ୱ ମାଧ୍ୟମରେ ଉପସ୍ଥାପିତ କରିଥିଲେ । ଏପରିକି ଏହି ନାମତତ୍ତ୍ୱକୁ ନେଇ ଶ୍ରୀକ୍ଷେତ୍ରଠାରେ ଦୁଇ ସଂପ୍ରଦାୟ ମଧ୍ୟରେ ମନୋମାଳିନ୍ୟ ମଧ୍ୟ ଘଟିଥିଲା । ଚୈତନ୍ୟଙ୍କ ଭକ୍ତ ଶିବାନନ୍ଦ ପ୍ରଭୃତି ହରେ କୃଷ୍ଣ ମନ୍ତ୍ରକୁ ସମର୍ଥ କରୁଥିବା ସ୍ଥଳେ କହ୍ନେଇ ଖୁଣ୍ଟିଆ ପ୍ରଭୃତି ‘ହରେରାମ’ ମନ୍ତ୍ରକୁ ସ୍ୱୀକାର କରୁଥିଲେ । ଏହାର ସମାଧାନପାଇଁ ଉଭୟ ଗୋଷ୍ଠୀ ସ୍ୱରୂପ ଦାମୋଦରଙ୍କ ନିକଟକୁ ଗଲେ । ସ୍ୱରୂପ ସେମାନଙ୍କୁ ନେଇ ଜଗନ୍ନାଥ ଦାସ ଓ ଶ୍ରୀଚୈତନ୍ୟଙ୍କ ନିକଟରେ ପହଞ୍ଚିଥିଲେ । ଶ୍ରୀଚୈତନ୍ୟ ଏହାର ସମାଧାନପାଇଁ ରାୟରାମାନନ୍ଦ, ବାସୁଦେବ ସାର୍ବଭୌମ ଓ କାଶୀମିଶ୍ରଙ୍କ ସହାୟତା ଲୋଡ଼ିଲେ । ସମସ୍ତେ ଉତ୍ତରପାର୍ଶ୍ୱ ମଣ୍ଡପ (ବର୍ତ୍ତମାନର ଉତ୍ତରପାର୍ଶ୍ୱ ମଠ) ଠାରେ ସମବେତ ହୋଇ ଏ ବିଷୟରେ ଶାସ୍ତ୍ରାର୍ଥ କଲେ । ବହୁ ଆଲୋଚନା ଓ ଯୁକ୍ତି ପରେ ସଭାର ପୁରୋଧା ଥିବା ଶ୍ରୀ ଚୈତନ୍ୟ ନିଷ୍ପତ୍ତି ଶୁଣାଇ ‘ହରେରାମ ମନ୍ତ୍ର’ ହିଁ ଶ୍ରେଷ୍ଠ ବୋଲି କହିଥିଲେ । କାରଣ ଏହା ନୀଳାଚଳରେ ପୂର୍ବରୁ ଚଳିଆସୁଅଛି । ତେବେ ଗୌଡ଼ୀୟ ବୈଷ୍ଣବମାନଙ୍କୁ ସନ୍ତୁଷ୍ଟ କରିବାପାଇଁ ଏକଥା ମଧ୍ୟ କହିଥିଲେ ଯେହେତୁ ବଙ୍ଗରେ ‘ହରେ କୃଷ୍ଣ’ ମନ୍ତ୍ର ଚଳିଆସୁଛି । ଉଭୟ ଗୋଷ୍ଠୀ ନିଜ ନିଜର ମନ୍ତ୍ର ଚଳାଇବାରେ ଆପତ୍ତି ନାହିଁ । ଏହି ଭେଦକୁ ସମସ୍ତେ ସ୍ୱୀକାର କରିନେଲେ । ଏ ବିଷୟରେ ବୈଷ୍ଣବ ଲୀଳାମୃତ ଗ୍ରନ୍ଥରେ ବିସ୍ତୃତ ଭାବରେ ଆଲୋଚନା ରହିଛି ।

Image

 

ଅତିବଡ଼ୀ ସଂପ୍ରଦାୟର ପ୍ରତିଷ୍ଠା

 

ମହାମନ୍ତ୍ରକୁ ନେଇ ବିବାଦର ସମାଧାନ ପରେ ପୂର୍ବରୁ ରହିଥିବା ଉତ୍କଳୀୟ ବୈଷ୍ଣବ ଚେତନାକୁ ଆହୁରି ଅଧିକ ପୁଷ୍କଳ ଏବଂ ପ୍ରଚାରିତ କରିବାପାଇଁ ଜଗନ୍ନାଥ ଦାସ ଯେଉଁ ଦାର୍ଶନିକ ଓ ତାତ୍ତ୍ୱିକ ସଂପ୍ରଦାୟର ମୂଳଦୁଆ ପକାଇଥିଲେ ତାହା ତାଙ୍କର ଉପାଧିକୁ ଆଧାର କରି ପ୍ରଚାରିତ ହୋଇଥିଲା । କ୍ରମଶଃ ତାହା ଅତିବଡ଼ୀ ସଂପ୍ରଦାୟ ଭାବରେ ହିଁ ପ୍ରଚାରିତ, ପ୍ରସାରିତ ଓ ପ୍ରତିଷ୍ଠିତ ହେବାରେ ଲାଗିଲା ।

 

ପୁରୀସ୍ଥ ବଡ଼ ଓଡ଼ିଆ ମଠ ସୂତ୍ରରୁ ଜଣାଯାଏ ଯେ, ସାଧକ ଅତିବଡ଼ୀ ଜଗନ୍ନାଥ ଦାସ ଏହି ସଂପ୍ରଦାୟର ପ୍ରାରମ୍ଭ ୧୫୧୨ ଖ୍ରୀଷ୍ଟାବ୍ଦରୁ କରିଥିଲେ । ସେ ପ୍ରଥମେ ଷୋହଳ ଜଣ ଶିଷ୍ୟଙ୍କୁ ଏହି ସଂପ୍ରଦାୟର ଦୀକ୍ଷାରେ ଦୀକ୍ଷିତ କରାଇ ସ୍ୱତନ୍ତ୍ର ଭାବରେ ଏକ ନୂତନ ସଂପ୍ରଦାୟର ଅୟମାରମ୍ଭ କରିଥିଲେ । ଯେଉଁ ଷୋହଳ ଜଣ ଶିଷ୍ୟଙ୍କ ନାମୋଲ୍ଲେଖ ବଡ଼ ଓଡ଼ିଆ ମଠର ପୂର୍ବତନ ଅଧିକାରୀ ବୃନ୍ଦାବନ ଦାସ ଗୋସ୍ୱାମୀଙ୍କଦ୍ୱାରା ସଂପାଦିତ ପୁସ୍ତିକା- “ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଷୋଡ଼ଶ ଶିଷ୍ୟ ଓ ମଞ୍ଜରୀ ପରମ୍ପରାରେ”, ରହିଛି ସେମାନେ ହେଲେ- (୧) ଉଦ୍ଧବ ଦାସ (୨) ରାମଚନ୍ଦ୍ର ଦାସ (୩) ଗୋପୀନାଥ ଦାସ (୪) ହରି ଦାସେ (୫) ନନ୍ଦିନୀ ଆଚାର୍ଯ୍ୟ (୬) ବାମନ ଆଚାର୍ଯ୍ୟ ମହାପାତ୍ର (୭) ରାଣୀ ଗୌରମଣି ପାଟ୍ଟ ମହାଦେଈ (୮) ଗୋପାଳ ଦାସ (୯) ଆଖଣ୍ଡଳ ମେକାପ (୧୦) ଜନାର୍ଦ୍ଦନ ପତି (୧୧) କୃଷ୍ଣ ଦାସ (୧୨) ବନମାଳୀ (୧୩) ଗୋବର୍ଦ୍ଧନ ଦାସେ (୧୪) କହ୍ନେଇ ଖୁଣ୍ଟିଆ (୧୫) ପୂର୍ଣ୍ଣଶିଷ୍ୟ ଜଗନ୍ନାଥ ଦାସ ଏବଂ (୧୬) ମଧୁସୂଦନ ଦାସ । ତେବେ ଅତିବଡ଼ୀ ପରିକ୍ରମାରେ କୁରାମଣି ପାଠୀଶର୍ମା ଦେଇଥିବା ବିବରଣୀରେ ସାମାନ୍ୟ ଭିନ୍ନତା ରହିଛି । ତାଙ୍କ ବିବରଣୀ ଅନୁସାରେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ, ନିତ୍ୟାମୃତ ଦାସ, ଚନ୍ଦନୀ ଦାସଙ୍କ ନାମ ଥିବାସ୍ଥଳେ ମଠ ପ୍ରକାଶିତ ଗ୍ରନ୍ଥରେ ଏହି ତିନିନାମ ସ୍ଥାନରେ ଗୌରୀମଣି ପାଟ୍ଟମହାଦେଇ, ନନ୍ଦିନୀ ଆଚାର୍ଯ୍ୟ ଏବଂ ବାମନୀ ଆଚାର୍ଯ୍ୟ ମହାପାତ୍ରଙ୍କ ନାମ ରହିଛି ।

 

ଅତିବଡ଼ୀ ସଂପ୍ରଦାୟର ଶିଷ୍ୟ ପରମ୍ପରାକୁ ମଞ୍ଜରୀ ପରମ୍ପରା ଭାବରେ ଗ୍ରହଣ କରାଯାଇଥିଲା । ତେଣୁ ପ୍ରଥମ ଷୋଡ଼ଶ ଶିଷ୍ୟଙ୍କୁ ଷୋଡ଼ଶ ମଞ୍ଜରୀ ନାମରେ ନାମିତ କରାଯାଇଥିଲା । ଯଥାକ୍ରମେ ସେହି ନାମଗୁଡ଼ିକ ହେଉଛି- (୧) ଅନଙ୍ଗ ମଞ୍ଜରୀ (୨) ଭ୍ରମର ମଞ୍ଜରୀ (୩) କନକ ମଞ୍ଜରୀ (୪) ଶଶିରେଖା ମଞ୍ଜରୀ (୫) ତିଳୋତ୍ତମା ମଞ୍ଜରୀ (୬ )ତୁଳସୀ ମଞ୍ଜରୀ (୭) କୁନ୍ଦରେଖା ମଞ୍ଜରୀ (୮) ପ୍ରେମ ମଞ୍ଜରୀ (୯) ନିତ୍ୟା ମଞ୍ଜରୀ (୧୦) ସିଦ୍ଧ ଦାରତି ମଞ୍ଜରୀ (୧୧) ଗତି ମଞ୍ଜରୀ (୧୨) ମୁଖ ମଞ୍ଜରୀ (୧୩) ଆନନ୍ଦ ମଞ୍ଜରୀ (୧୪) କେଳି ମଞ୍ଜରୀ (୧୫) ରାସ ମଞ୍ଜରୀ ଏବଂ (୧୬) ଜ୍ୟୋତି ମଞ୍ଜରୀ ।

 

ସଂପ୍ରଦାୟର ପ୍ରତିଷ୍ଠାତା-ଅତିବଡ଼ୀ ଜଗନ୍ନାଥ ଦାସ । ଇଷ୍ଟଦେବତା-ଅବତାରୀ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ । ମହାମନ୍ତ୍ର-ହରେରାମକୃଷ୍ଣ । ପ୍ରଧାନ ଶାସ୍ତ୍ର-ଭାଗବତ ଏକାଦଶ ସ୍କନ୍ଧ । ଗାୟତ୍ରୀ-ଯୁଗଳ ଗାୟତ୍ରୀ । କୃଷ୍ଣବଲ୍ଲଭା-ବୃନ୍ଦାବତୀ । ସାଧନବିଧି-ଜ୍ଞାନମିଶ୍ରାଭକ୍ତି ମାର୍ଗ । ପ୍ରୀତି-ସ୍ୱକୀୟା । ସ୍ନାନ-ମହୋଦଧି ସ୍ନାନ । ସେବା-ନିର୍ମାଲ୍ୟ । ମସ୍ତକର ଚିହ୍ନ-ହରିମନ୍ଦିର ଚିତା । ତରୁ-କଳ୍ପବଟ । ସାଧ୍ୟ-ମୁକ୍ତି । ବାହୁଦ୍ୱୟରେ-ଶଙ୍ଖଚକ୍ର ଚିହ୍ନିତ ତିଳକ ଧାରଣ ।

 

ଅତିବଡ଼ୀ ସଂପ୍ରଦାୟର ତତ୍ତ୍ୱ ମିମାଂସା ଦୃଷ୍ଟିରୁ ବିଚାର କଲେ ଏହା ଶଙ୍କରାଚାର୍ଯ୍ୟଙ୍କ ନିର୍ବିଶେଷାଦ୍ୱୈତବାଦ ସହିତ ବସ୍ତୁତଃ ସମାନ । ତାଙ୍କ ଦୃଷ୍ଟିରେ ବ୍ରହ୍ମ ବା ଶ୍ରୀଜଗନ୍ନାଥ ହିଁ ଏକମାତ୍ର ପରମ ସତ୍ୟ । ସିଏ ହିଁ ପରମାର୍ଥିକ ସତ୍ତା। ତାଙ୍କ ବ୍ୟତୀତ ଜଗତର ସବୁକିଛି ଅଜ୍ଞାନ ବା ମାୟା । ଧର୍ମତଃ ଶ୍ରୀଜଗନ୍ନାଥ ହିଁ ସମସ୍ତ ସୃଷ୍ଟିର ମୂଳଭୂତ କାରଣ । ତାଙ୍କରିଠାରୁ ଅବତାର ମାନେ ଜାତ ହୁଅନ୍ତି । ଶ୍ରୀରାମ, ଶ୍ରୀକୃଷ୍ଣାଦି ତାଙ୍କରି ଅବତାର ମାତ୍ର । ଶ୍ରୀକ୍ଷେତ୍ର ହିଁ ନିତ୍ୟ ଗୋଲକ, ପରମ ତୀର୍ଥ-। ମୁକ୍ତି ମାର୍ଗରେ ଯାଇ ଜ୍ଞାନ ସହିତ ଭକ୍ତିକୁ ସେ ଯୁକ୍ତ କରାଇ କହିଛନ୍ତି-କେବଳ ଜ୍ଞାନଦ୍ୱାରା ବା ଅଜ୍ଞାନୀ ଥାଇ ଭକ୍ତିଦ୍ୱାରା ମୁକ୍ତି ମିଳିବ ନାହିଁ । ଜ୍ଞାନଯୁକ୍ତ ଭକ୍ତି ହେଉଛି ମୁକ୍ତି ସାଧନାର ପ୍ରକୃଷ୍ଟ ପଥ-। ଏହି କାରଣରୁ ରାଧାଭାବ, ଗୋପୀଭାବ ମାଧୁର୍ଯ୍ୟ ତତ୍ତ୍ୱକୁ ସେ ଆଧ୍ୟାତ୍ମ ଦୃଷ୍ଟିରୁ ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ୱ ଭିତରକୁ ନେଇ ଯାଇଥିଲେ । ତାଙ୍କ ଦୃଷ୍ଟିରେ ଲୋକାଚାର ଯୁକ୍ତ ରାଧାକୃଷ୍ଣ ମିଳନରୂପକ ରାସଠାରୁ ଜୀବ-ପରମର ମିଳନ ଶତଦଳ ଚକ୍ରରେ ହିଁ ପ୍ରକୃତ ରାସ ।

 

ଏହି କାରଣରୁ ଗୋଲକ ହିଁ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ଏବଂ ଏହାହିଁ ନିତ୍ୟ ବୃନ୍ଦାବନ ବୋଲି ସ୍ୱୀକାର କରୁଥିଲେ । ପ୍ରକୃତି-ପୁରୁଷଙ୍କ ମିଳିତ ବିଗ୍ରହ ବା ରାଧା ହ୍ଲାଦିନୀ ଶକ୍ତି (ମହାମାୟା) ଏବଂ ଶ୍ରୀକୃଷ୍ଣ ପୁରୁଷ ଶକ୍ତି ମିଳିତ ହୋଇ ଏକକ ଶ୍ରୀଜଗନ୍ନାଥ ଅଟନ୍ତି । ଯିଏ ଗୋପ ଓ ମଥୁରା ଯାଇ କୃଷ୍ଣାବତାରରେ ଲୀଳା ବିସ୍ତାର କରିଥିଲେ । ତେଣୁ ନିତ୍ୟ ଗୋଲକର ଭାର୍ଗବୀ ନଦୀକୁ ଯମୁନା, ଶ୍ରୀକ୍ଷେତ୍ରର ପୂର୍ବକୁ ଥିବା ବେଲେଶ୍ୱର ଅଞ୍ଚଳକୁ ବୃନ୍ଦାବନର ଉପବନ, ଗୁଣ୍ଡିଚା ମନ୍ଦିରକୁ ଗୋବର୍ଦ୍ଧନ ଗିରି, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀକୁ ରାଧାକୁଣ୍ଡ ଏବଂ ଶ୍ୟାମ କୁଣ୍ଡ, ମାର୍କଣ୍ଡେୟ ତୀର୍ଥକୁ ଗୁପ୍ତ କାଳିନ୍ଦୀ, ଅଠରନଳାକୁ କଦମ୍ବଘାଟ, ଗୁଣ୍ଡିଚା ମନ୍ଦିରର ଦକ୍ଷିଣ ପାଶ୍ୱର୍କୁ ଗୋପ ଓ ମଥୁରା, ବଳଗଣ୍ଡି ଅଞ୍ଚଳକୁ ଅଯୋଧ୍ୟା ଓ ଦ୍ୱାରକା, ବାଙ୍କି ମୁହାଣକୁ ଗଙ୍ଗାସାଗର ସଙ୍ଗମ, ଶ୍ୱେତଗଙ୍ଗାଙ୍କୁ ଅଷ୍ଟାଧାର ପ୍ରବାହିନୀ ଗଙ୍ଗାଙ୍କର ଗୋଟିଏ ଧାରା ରବିକୁଣ୍ଡ, ଚନ୍ଦ୍ରକୁଣ୍ଡ ଏବଂ ପୁଷ୍କରତୀର୍ଥ ନରେନ୍ଦ୍ର ପୁଷ୍କରିଣୀ ଅନ୍ତର୍ଗତ ବୋଲି ବିଶ୍ୱାସ କରି ତାହାର ବର୍ଣ୍ଣନା ବିଭିନ୍ନ ଗ୍ରନ୍ଥରେ କରିଥିଲେ । ଏହି କାରଣରୁ ଭାଗବତରେ ଜଗନ୍ନାଥ ଦାସ ଲେଖିଛନ୍ତି-

 

ସକଳ ତୀର୍ଥ ତୋ ଚରଣେ ।

ବଦ୍ରିକା ଯିବି କି କାରଣେ

Image

 

ଜଗନ୍ନାଥ ଦାସଙ୍କ ଅଲୌକିକତା

 

ବିଶ୍ୱ ଇତିହାସକୁ ଅବଲୋକନ କଲେ ଗୋଟିଏ କଥା ସ୍ପଷ୍ଟ ବୁଝିହୁଏ ଯେ, ପ୍ରତ୍ୟେକ ସମୟରେ ଯେଉଁ ମହାପୁରୁଷ, ସାଧୁ ସନ୍ଥ, ଧର୍ମପ୍ରଚାରକ ବା ଦିବ୍ୟ ବ୍ୟକ୍ତିତ୍ୱ ଜନ୍ମ ନେଇଛନ୍ତି- ସେମାନଙ୍କଠାରେ କିଛି ନା କିଛି ଅଲୌକିକ ଶକ୍ତି ଥିବାର ଲକ୍ଷ୍ୟ କରାଯାଏ । ଏହି ପାରଲୌକିକ ଶକ୍ତି ହିଁ ସେମାନଙ୍କ ପ୍ରତି ସାଧାରଣ ମନୁଷ୍ୟର ଭାକ୍ତିକ ଭାବନାକୁ ଅଧିକ ଦୃଢ଼ କରିଥାଏ । ଏହି ଅଲୌକିକ ଶକ୍ତିକୁ କେହି କେହି ଈଶ୍ୱରୀୟ ସତ୍ତାର ବିଭୂତିଭାବେ ଗ୍ରହଣ କରି ନେଇଥାନ୍ତି । ଧାର୍ମିକ ବିଶ୍ୱାସକୁ ଆଧାର କରି ପରବର୍ତ୍ତୀ ସମୟରେ ସନ୍ଥ ମହାପୁରୁଷମାନଙ୍କ ସଂପର୍କରେ ବହୁ ଉପାଦାନ ଲୋକଚେତନାରେ ରହି ଆସିଛି । ଏହି କ୍ରମରେ ଦେଖିଲେ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ସଂପର୍କରେ ମଧ୍ୟ ବହୁ ପାରଲୌକିକ ଘଟଣାର ଦୃଷ୍ଟାନ୍ତ ଦେଖିବାକୁ ମିଳିଥାଏ । ସେଥିରୁ ଉଦାହରଣ ଭାବରେ ଏଠାରେ କିଛି ଦିଆଯାଇପାରେ ।

 

କ) ଅଷ୍ଟଭୁଜ ପ୍ରଦର୍ଶନ - ଶ୍ରୀଚୈତନ୍ୟଙ୍କ ଷଡ଼ଭୂଜ ପ୍ରଦର୍ଶନକୁ ତାଙ୍କର ଅନୁଗାମୀମାନେ ଯେଉଁଭଳି ଭାବରେ ପ୍ରଚାର କରାଇ ଚାଲିଛନ୍ତି ତାହା କିନ୍ତୁ ଜଗନ୍ନାଥ ଦାସଙ୍କ କ୍ଷେତ୍ରରେ ମୋଟେ ଘଟିନାହିଁ । ଅଲୌକିକତା ଦୃଷ୍ଟିରୁ ଯଦିଓ ଜଗନ୍ନାଥ ଦାସ ତାଙ୍କଠାରୁ ପାଦେ ଆଗରେ ଥିଲେ । ଚୈତନ୍ୟଙ୍କ ଷଡ଼ଭୁଜ ପ୍ରଦର୍ଶନ ପରି ଜଗନ୍ନାଥ ଦାସଙ୍କର ଅଷ୍ଟଭୁଜ ପ୍ରଦର୍ଶନ ଏକ ଅଲୌକିକ ଘଟଣା ।

 

ଏକଦା ଗଜପତି ପ୍ରତାପରୁଦ୍ର ଦେବ ତାଙ୍କ ପାରିଷଦମାନଙ୍କ ଗହଣରେ ଶ୍ରୀଜଗନ୍ନାଥଙ୍କୁ ରତ୍ନସିଂହାସନରେ ଦର୍ଶନ ସାରି ବେହରଣ ଦ୍ୱାର ଦେଇ ମୁକ୍ତିମଣ୍ଡପ ବା ବ୍ରହ୍ମାସନ ପର୍ଯ୍ୟନ୍ତ ଯିବା ପରେ ସେଠାରେ ଉପସ୍ଥିତ ପଣ୍ଡିତ ବ୍ରାହ୍ମଣମାନେ ତାଙ୍କୁ ଆଶୀର୍ବାଦ କରିଥିଲେ । ତାପରେ ରାଜା ବ୍ରାହ୍ମଣ ତଥା ପାର୍ଷଦବର୍ଗଙ୍କ ସହ ବଟବୃକ୍ଷ ପାଖକୁ ଗଲାବେଳେ ଦେଖିଲେ ଜଗନ୍ନାଥ ଦାସ ପୁରାଣ ପାଠ କରୁଛନ୍ତି । ତାଙ୍କ ସଂପର୍କରେ ପଣ୍ଡିତମାନଙ୍କୁ ପ୍ରଶ୍ନ କରିବା କ୍ଷଣି - ଯେଉଁ ଉତ୍ତର ପାଇଲେ ତାହା ରାଜାଙ୍କ ହୃଦୟରେ ଭାବାବେଗ ସୃଷ୍ଟି କଲା । ସେ ଶ୍ରଦ୍ଧା, ଭକ୍ତି ଓ ଭାବ ବିହ୍ୱଳ ଦୃଷ୍ଟିରେ ଜଗନ୍ନାଥ ଦାସଙ୍କଆଡ଼କୁ ଦୃଷ୍ଟି ନିକ୍ଷେପ କରିବା କ୍ଷଣି ଅନୁଭବ କଲେ ଜଗନ୍ନାଥ ଦାସ ଅଷ୍ଟଭୁଜ ଧାରଣ କରି ତାଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଛନ୍ତି । ତାଙ୍କର ଚାରିହାତରେ ଶଙ୍ଖ, ଚକ୍ର, ଗଦା, ପଦ୍ମ, ଦୁଇ ହାତରେ ଧନୁଶର, ଆଉ ଦୁଇ ହାତରେ ବଂଶୀବାଦନ ଅବସ୍ଥାରେ ଅଛନ୍ତି । ଅର୍ଥାତ୍ ଏକାଧାରରେ ଶ୍ରୀଜଗନ୍ନାଥ, ଶ୍ରୀରାମ, ଶ୍ରୀକୃଷ୍ଣଙ୍କର ମିଳିତ ରୂପ ତାଙ୍କ ଭିତରେ ସମାହିତ ହୋଇଯାଇଛି ।

 

ଏହି ବିଷୟରେ ଜୀବ ଗୋସ୍ୱୀମା ତାଙ୍କ ସୁଧ୍‌ତ୍ରୟ ଗ୍ରନ୍ଥରେ ଉଲ୍ଲେଖ କରି ଲେଖିଛନ୍ତି ରାଜା ପ୍ରତାପରୁଦ୍ର ଦେବ ଜଗନ୍ନାଥ ଦାସଙ୍କ ରୂପକୁ ତନ୍ମୟାବସ୍ଥାରେ କିପରି ଦେଖିଥିଲେ-

 

ଅଷ୍ଟବାହୁ ଜଗନ୍ନାଥ ଶଙ୍ଖ ଚକ୍ର ଗଦା ପଦ୍ମ ।

ଦାସେ ବଂଶୀ ଧନୁଃଶରଂ ବିଭ୍ରଚ୍ଛ୍ୟାମୋ ଭବେତ୍ତଦା

 

ଦିବାକର ଦାସ ମଧ୍ୟ “ଜଗନ୍ନାଥ ଚରିତାମୃତ”ରେ ଏହି ଅଲୌକିକତାର ଉଲ୍ଲେଖ କରିଛନ୍ତି ।

 

ଖ) ମେଧା ସୁମେଧା ଉପାଖ୍ୟାନ - ଜଗନ୍ନାଥ ଦାସ ପ୍ରତ୍ୟହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହଡ଼ ପରେ ମଠକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ମଠକୁ ପ୍ରତ୍ୟାବର୍ତ୍ତନ ପରେ ସେ ସିଦ୍ଧାବସ୍ଥାରେ ସ୍ଥିତ ରହିବା ସମୟରେ ମେଧା, ସୁମେଧା ନାମକ ଦୁଇଜଣ ସ୍ୱର୍ଗକନ୍ୟା ଆଗମନ କରି ଅତିବଡ଼ୀଙ୍କର ସେବା କରିଥାନ୍ତି । ଏ ବିଷୟରେ ପଦ୍ମପାଦ ସୁଧାନିଧିରେ ଉଲ୍ଲେଖ ଅଛି ଯେ-

 

ଏମନ୍ତ ଶ୍ରୀ ଗୁରୁସ୍ୱାମୀ ଜଗନ୍ନାଥ ଦାସ ।

ଜଗନ୍ନାଥଙ୍କର ସେବା ବଡ଼ ଅବକାଶ

ମହାପ୍ରସାଦ ହସ୍ତରେ ଘେନିକରି ଆସି ।

ଯାଇ ମଠେ ପ୍ରବେଶ ହୋଇଲେ ସ୍ୱାମୀ ଆସି

ସ୍ୱର୍ଗରୁ ଦୁଇ ସଖୀ ପ୍ରବେଶ ପାଖରେ ।

ପାଦପଦ୍ମ ଧୋଇ ବସ୍ତ୍ର ଧୋଇ ଶୁଖାଇଲେ

ମେଧା ସୁମେଧା ଦୁଇସଖୀ ଉଭାହୋଇ ।

ସ୍ୱାମୀଙ୍କୁ ମେଲାଣି ମାଗି ଅନ୍ତର୍ଦ୍ଧାନ ଯାଇ

 

ଏହି ଘଟଣାକୁ ନେଇ ଅତିବଡ଼ୀ ବହୁ ସମସ୍ୟାରେ ମଧ୍ୟ ପଡ଼ିଥିଲେ । ସନ୍ଥଙ୍କ ନାମରେ ବହୁ କୁତ୍ସାରଟନା କରାଯାଇ ରାଜାଙ୍କୁ ଅବଗତ କରାଯାଇଥିଲା । ମଧ୍ୟରାତ୍ରିରେ ରାଜା ଗୋପନରେ ମଠକୁ ବିଜେ କରିବା ସହ ସମସ୍ତ ଘଟଣା ଦେଖି ପ୍ରଥମେ ଦୁଃଖିତ ହୋଇଥିଲେ ଏବଂ ସେମାନଙ୍କୁ ସପ୍ରମାଣ ଧରିବାକୁ ଚେଷ୍ଟା କରିବାକ୍ଷଣି ସେମାନେ ଶୂନ୍ୟରେ ଅଦୃଶ୍ୟ ହୋଇଗଲେ । ଏହି ଅଲୌକିକ ଘଟଣା ରାଜାଙ୍କୁ ବିସ୍ମିତ କରିଥିଲେ । ସେ ତତ୍‌କ୍ଷଣାତ୍ ଅନୁଭବ କରିପାରିଲେ ଜଗନ୍ନାଥ ଦାସଙ୍କ ମହିମା ଓ ଐଶୀସତ୍ତାକୁ । ସେହିକ୍ଷଣି ସେ ମହାତ୍ମା ଦାସଙ୍କୁ କ୍ଷମା ମାଗିବା ସହ ତାଙ୍କ ପ୍ରତି ଶ୍ରଦ୍ଧା, ସମ୍ମାନ, ଭକ୍ତିଭାବ ପ୍ରକାଶ କରିଥିଲେ ।

 

ମେଧା ସୁମେଧାଙ୍କ ପ୍ରସଙ୍ଗରେ ଯୁଗାବଧିଗୀତାରେ ମହାପୁରୁଷ ଅଚ୍ୟୁତାନନ୍ଦ ଉଲ୍ଲେଖ କରିଛନ୍ତି ଜଗନ୍ନାଥ ଦାସ ନିଜେ ଶ୍ରୀରାଧାଙ୍କର ଅଂଶାବତାର ଏବଂ ମେଧା ସୁମେଧା ଦୁହେଁ ସଖୀ ବିଶାଖା ଏବଂ ଲଳିତା ଅଟନ୍ତି । ଏମାନଙ୍କ ନିତ୍ୟ ସମ୍ବନ୍ଧ ରହିଥିବା ହେତୁ, ରାଧାଙ୍କୁ ଛାଡ଼ି ରହିପାରିବେ ନାହିଁ ବୋଲି ପ୍ରତି ରାତିରେ ଚାଲିଆସିଥାନ୍ତି । ଆସିବାର ମୁଖ୍ୟ କାରଣ ତାଙ୍କୁ ପୂର୍ବଜନ୍ମ ସ୍ମରଣ କରାଇବା ।

ଗ) ସ୍ତ୍ରୀଭାବ ପ୍ରକଟନ - ଜଗନ୍ନାଥ ଦାସ ଏକଦା ରାସ ପଞ୍ଚାଧ୍ୟାୟୀ ପାଠ କାଳରେ ରାଣୀ ଅନ୍ତଃପୁରର ରମଣୀଗଣ କୃଷ୍ଣ ପ୍ରେମର ବଶବର୍ତ୍ତୀ ହୋଇ ଅତିବଡ଼ୀଙ୍କୁ ଆଲିଙ୍ଗନ କଲେ । ଦାସେ ମଧ୍ୟ ରାଧାରାଧା ଚିତ୍କାର କରି ସେମାନଙ୍କ ସହ ନୃତ୍ୟ କରିଚାଲିଲେ । ଏକଥା ରାଜାଙ୍କ ପାଖରେ ପହଞ୍ଚାଇବା ପରେ ତାଙ୍କୁ ବନ୍ଦୀ କରାଗଲା । ତା ପରଦିନ ବିଚାର ହେବାପାଇଁ ଧାର୍ଯ୍ୟ ହେଲା । ପରଦିନ କାରାଗାରରେ ଦେଖିଲାବେଳକୁ ଜଗନ୍ନାଥ ଦାସଙ୍କ ସ୍ଥାନରେ ଏକ ରମଣୀ ଅଛନ୍ତି । ଏଥିରେ ସଭାଷଦଗଣ ପରିହାସ କରି କହିଥିଲେ ଆତ୍ମରକ୍ଷାପାଇଁ ଏକ ପ୍ରହସନ ଆରମ୍ଭ କରିଛନ୍ତି ଦାସେ ।

କିନ୍ତୁ ଜଗନ୍ନାଥ ଦାସ ତାଙ୍କ ସ୍ତ୍ରୀତ୍ୱ କଥା କହିବା କ୍ଷଣି ପରୀକ୍ଷା କରି ଦେଖାଗଲା ବାସ୍ତବରେ ନାରୀର ସମସ୍ତ ଲକ୍ଷଣ ତାଙ୍କ ପାଖରେ ରହିଛି । ରାଜା ଓ ପାରିଷଦ ବର୍ଗ ସ୍ତବ୍‌‌ଧ ହୋଇଯାଇଥିଲେ । ତା ସହିତ ସେ ପାକସ୍ପର୍ଶ ମଧ୍ୟ ହୋଇଥିଲେ । ଏ ବିଷୟରେ ଦାଢ଼୍ୟତାଭକ୍ତିରେ ଉଲ୍ଲେଖ ଅଛି-

ମର୍ମସ୍ଥଳରୁ ଶ୍ରୋଣୀ ବହି ।

ବସନ ବିବର୍ଣ୍ଣ ଦିଶଇ

ଜଗନ୍ନାଥ ଦାସ ମଧ୍ୟ ସ୍ୱ ମତ ଦେଇ କହିଥିଲେ-

ପୁରୁଷେ ପୁରୁଷ ସ୍ତିରୀଙ୍କ ସଙ୍ଗତେ ସ୍ତିରୀ ।

ଏଣୁ ଭୟ ନଥାଇ ମୋହରି

ଜଗନ୍ନାଥ ଦାସଙ୍କ ସ୍ତ୍ରୀଭାବ ବିଷୟରେ ଦିବାକର ଦାସ ଲେଖିଛନ୍ତି-

ବୋଇଲେ ରାଜା ମୁଖଚାହିଁ ।

ଜଗନ୍ନାଥଙ୍କ ଦାସୀ ମୁହିଁ

ପୁରୁଷ ଅଙ୍ଗେ ସ୍ତିରୀ ହୋଇ

ଏକଥା ଦେଖାଶୁଣା ନାହିଁ ।

ସତେଇଶ ଦିନ ପୁରୁଷ ।

ତିନି ଦିନ ସ୍ତ୍ରୀ ବେଶ

ଜଗନ୍ନାଥ ଦାସଙ୍କ ନାରୀ ସ୍ୱଭାବ ସଂପର୍କରେ “ନିତ୍ୟଗୁପ୍ତ ଚୂଡ଼ାମଣି”ରେ ଉଲ୍ଲେଖ ଅଛି ଯେ, ପାଟ ମହାରାଣୀ ଗୌରୀଦେବୀଙ୍କୁ ଦୀକ୍ଷା ପ୍ରଦାନ ନିମନ୍ତେ ସେ ନାରୀ ଶରୀର ଧାରଣ କରିଥିଲେ ।

ଘ) ଚନ୍ଦନଲାଗି ପ୍ରସଙ୍ଗ - କାଶୀର ଜଣେ ବ୍ୟବସାୟୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଚନ୍ଦନ ଲାଗି କରାଇବାପାଇଁ ଅତି ଉତ୍କୃଷ୍ଟ ଧରଣର ଚନ୍ଦନ କାଠ ଗଜପତି ପ୍ରତାପରୁଦ୍ରଙ୍କୁ ଅର୍ପଣ କରିଥିଲେ । ଅତିବଡ଼ୀଙ୍କ ସେବା ଓ ଭକ୍ତି ଭାବରନାରେ ଆକୃଷ୍ଟ ଗଜପତି ଚନ୍ଦନ ଲାଗି ଦାୟିତ୍ୱ ଦାସଙ୍କୁ ଅର୍ପଣ କରିଥିଲେ । ମାତ୍ର ଜଗନ୍ନାଥ ଦାସ ଚନ୍ଦନ କାଠକୁ ଘୋରି ମଠ କାନ୍ଥରେ ଲେପି ଦେଇଥିଲେ । ଏକଥା ରାଜାଙ୍କ କାନକୁ ଯିବାପରେ ରାଜା କ୍ଷୁବ୍‌ଧ ଓ ଦୁଃଖିତ ହୋଇ ଏ ସଂପର୍କରେ ଦାସଙ୍କୁ ପ୍ରଶ୍ନ କରିବାରେ ସେ ଦୃଢ଼ତାର ସହିତ କହିଥିଲେ ମଠ କାନ୍ଥରେ ନୁହଁ ଶ୍ରୀଜଗନ୍ନାଥଙ୍କ ଅଙ୍ଗରେ ହିଁ ସେ ଚନ୍ଦନ ଲେପନ କରିଛନ୍ତି । ଏହାର ସତ୍ୟାସତ୍ୟ ପରୀକ୍ଷାପାଇଁ ପଣ୍ଡିତ ବ୍ରାହ୍ମଣମାନଙ୍କୁ ପ୍ରେରଣ କରାଗଲା । ସେମାନେ ଦେଖି ଆସିଲେ ଜଗନ୍ନାଥ ଦାସଙ୍କ ଉକ୍ତି ଅନୁସାରେ ମହାପ୍ରଭୁ ଚନ୍ଦନ ଚର୍ଚ୍ଚିତ ହୋଇ ରହିଛନ୍ତି । ଏହି ଘଟଣାରୁ ମଧ୍ୟ ଅତିବଡ଼ୀଙ୍କ ଅଲୌକିକ ଭାକ୍ତିକତାର ନିଦର୍ଶନ ଦେଖିବାକୁ ମିଳିଥାଏ ।

ଙ) ପଣସ ଗଛ ପ୍ରସଙ୍ଗ - ଯଶୋବନ୍ତ ଦାସଙ୍କ ଶିଷ୍ୟ ସୁଦର୍ଶନ ଦାସଙ୍କ ବିରଚିତ ଚୌରାଶୀ ଆଜ୍ଞା ଗ୍ରନ୍ଥରେ ଏହି ପ୍ରସଙ୍ଗ ବର୍ଣ୍ଣିତ ଅଛି । ତଦନୁସାରେ ମୁକ୍ତିମଣ୍ଡପଠାରେ ସାର୍ବଭୌମ, ଚୈତନ୍ୟ ଓ ପଞ୍ଚସଖାଦି ଥିବା ସମୟରେ ପ୍ରତାପରୁଦ୍ର ଦେବ ନିଜନିଜର ଅଲୌକିକ ଶକ୍ତିର ପରିଚୟ ଦେବାକୁ କହିଥିଲେ । ଶ୍ରୀ ଚୈତନ୍ୟ ଗୋଟିଏ ପଣସ ମଞ୍ଜି ଜଗନ୍ନାଥ ଦାସଙ୍କ ହାତକୁ ଦେଇଥିଲେ । ଏହାକୁ ସାଙ୍ଗେ ସାଙ୍ଗେ ଗଛରେ ପରିଣତ କରି ଫଳଭାରାରେ ଅବନତ କରାଇ ଦେଇଥିଲେ ଜଗନ୍ନାଥ ଦାସ ଓ ପଞ୍ଚସଖା ସାଧକଗଣ ଏହାଦେଖି ରାଜା ମହାଯୋଗୀ ଜଗନ୍ନାଥ ଦାସଙ୍କ ପଦବନ୍ଦନା କରିଥିଲେ ।

ଏତଦ୍‌ବ୍ୟତୀତ ସାତଲହଡ଼ି ମଠ ସ୍ଥାପନାପାଇଁ ସମୁଦ୍ରକୁ ସାତୋଟି ଲହଡ଼ି ପରିମିତ ସ୍ଥାନ ପଛକୁ ଘୁଞ୍ଚାଇଦେବା । ଛତ୍ରଧାରୀ ବ୍ରହ୍ମାନନ୍ଦ ସନ୍ୟାସୀଙ୍କୁ ପରାସ୍ତ କରିବା ଓ ପରିଶେଷରେ ଶ୍ରୀଜଗନ୍ନାଥଙ୍କ ଶରୀରରେ ମହାପ୍ରୟାଣ କାଳରେ ଧ୍ୟାନାବସ୍ଥାରେ ଲୀନ ହୋଇଯିବା ଆଦି ବହୁ ଅଲୌକିକ ଘଟଣାମାନ ଅତିବଡ଼ୀଙ୍କ ଜୀବନୀରୁ ଦେଖିବାକୁ ମିଳିଥାଏ ।

Image

 

ଜଗନ୍ନାଥ ଦାସଙ୍କ ଆଧ୍ୟାତ୍ମ ସାହିତ୍ୟ ସମ୍ଭାର

 

ସଂସ୍କୃତ ବାଙ୍‌ମୟ ଜଗତରେ ଗୋଟିଏ କଥା ପାଣ୍ଡିତ୍ୟ ଓ ପ୍ରଜ୍ଞାପାଇଁ ବ୍ୟବହାର କରାଯାଇଥାଏ । ତାହା ହେଲା “ବିଦ୍ୟାବତାଂ ଭାଗବତେ ପରୀକ୍ଷା” ଅର୍ଥାତ୍ ଭାଗବତ ମହାପୁରାଣ ଅଧ୍ୟୟନ ଓ ଶାସ୍ତ୍ରାର୍ଥ ପ୍ରବେଶରୁ ଜଣକର ପାଣ୍ଡିତ୍ୟର ପରିଚୟ ମିଳିଥାଏ । ଏ ଦୃଷ୍ଟିରୁ ଦେଖିଲେ ମାତ୍ର ଅଷ୍ଟାଦଶ ବର୍ଷ ବୟସବେଳକୁ ଜଗନ୍ନାଥ ଦାସ ଶ୍ରୀମଦ୍ ଭାଗବତକୁ ସଂପୂର୍ଣ୍ଣ ହୃଦୟଙ୍ଗମ କରିସାରି ଏହାର ଦଶମସ୍କନ୍ଧ ପର୍ଯ୍ୟନ୍ତ ଓଡ଼ିଆରେ ଅନୁବାଦ କରିସାରିଥିଲେ । ଏଥିରୁ ସ୍ପଷ୍ଟ ବୁଝିହୁଏ ଏହି ବାଳୁତ ବୟସବେଳକୁ ହିଁ ସେ ବହୁ ଶାସ୍ତ୍ରଦର୍ଶୀ ହୋଇସାରିଥିଲେ ।

 

ଓଡ଼ିଶାର ଧର୍ମ ଓ ଦର୍ଶନ ଯୁଗରେ ଅର୍ଥାତ୍ ପଞ୍ଚଦଶ, ଷୋଡ଼ଶ ଶତାବ୍ଦୀର ପରମ ବିସ୍ମୟ ଥିଲେ କବି ଜଗନ୍ନାଥ ଦାସ । ଓଡ଼ିଆ ସାହିତ୍ୟର ଅଭ୍ୟୁଦୟ କାଳରେ ସେ ଯେଉଁ ମାନକ ଭାଷାର ଭଣ୍ଡାର ‘ଓଡ଼ିଆ ଭାଗବତ’ ଆମକୁ ଦେଇ ଯାଇଛନ୍ତି ତାହା ଅଦ୍ୟାବଧି ନିତ୍ୟ ନୂତନ ଭାବରେ ଆମ ନିକଟରେ ଉଦାହରଣୀୟ ହୋଇ ରହିଛି । ଓଡ଼ିଆ ଭାଗବତ ହେଉଛି ଏ ଯୁଗର ଏକ କ୍ରାନ୍ତିକାରୀ ଘଟଣା । ନିଜକୁ ଓଡ଼ିଆ ଭାଷାଠାରୁ ସମୃଦ୍ଧ ଏବଂ ଉନ୍ନତ ବୋଲି ଗର୍ବ କରୁଥିବା ପଡ଼ୋଶୀ ବଙ୍ଗୀୟ ସାହିତ୍ୟ ଓଡ଼ିଆ ଭାଗବତ ରଚନାର ଦେଢ଼ଶହ ବର୍ଷ ପରେ ଅର୍ଥାତ୍ ସପ୍ତଦଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧବେଳକୁ ଭାଗବତର ବଙ୍ଗଳା ଅନୁବାଦ ଆରମ୍ଭ କରି ମଧ୍ୟ ସଫଳ ହୋଇପାରି ନଥିଲେ। ତେଣୁ ଅନୁବାଦକ ସନାତନ ଗୋସ୍ୱାମୀ ଦଶମସ୍କନ୍ଧକୁ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତର ନକଲକୁ ବଙ୍ଗୀୟ ଅକ୍ଷରରେ ଲେଖି ସ୍ୱୀକାରୋକ୍ତି ମଧ୍ୟ ପ୍ରଦାନ କରିଥିଲେ । ଭାଗବତ ରଚନା ମାଧ୍ୟମରେ ଓଡ଼ିଆ ଜନଜୀବନକୁ ସୁଦୃଢ଼ କରିବାପାଇଁ ଜଗନ୍ନାଥ ଦାସ ବିଷ୍ଣୁପୁରାଣ, ବ୍ରହ୍ମବୈବର୍ତ୍ତ ପୁରାଣ, ପଦ୍ମପୁରାଣ ପ୍ରଭୃତିର ବଳିଷ୍ଠ ଚରିତ୍ରମାନଙ୍କର ଅଭିନବ ନାମକରଣ କରି ଅନୂଦୀତ ଭାଗବତର ଭିନ୍ନ ଭିନ୍ନ ସ୍ଥାନରେ ସଂଯୋଜିତ କରିଛନ୍ତି । ଯାହା ଫଳରେ କି ମୂଳ ଗ୍ରନ୍ଥର ୧୮୦୦୦ ଶ୍ଳୋକ ସ୍ଥାନରେ ଓଡ଼ିଆ ଭାଗବତର ପଦ ସଂଖ୍ୟା ୭୧୦୦୦ରୁ ଅଧିକା ହୋଇଯାଇଛି ।

ଜଗନ୍ନାଥ ଦାସ ନିଜର ପ୍ରଜ୍ଞା ଓ ପାଣ୍ଡିତ୍ୟକୁ ସଂସ୍କୃତ ରଚନାମାନଙ୍କରେ ଯେତିକି ପ୍ରଦର୍ଶିତ କରିଛନ୍ତି ତାହାର ବିପରୀତରେ ଓଡ଼ିଆ ରଚନାରେ ଦୁରୂହ ଏବଂ କ୍ଳୀଷ୍ଟ ଶବ୍ଦ ସଂଯୋଜନା ନକରି ଓଡ଼ିଆ ଭାଷା ଓ ସାହିତ୍ୟରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି । ଜଗନ୍ନାଥ ଦାସଙ୍କ ସାହିତ୍ୟ କୃତି ଅତ୍ୟନ୍ତ ବିଶାଳ । ଯାହା ବିଭିନ୍ନ ଦିଗରୁ ଆଲୋଚିତ ହୋଇପାରେ । ତାଙ୍କର ସମଗ୍ର ସଂସ୍କୃତ ରଚନା ଏବଂ ଓଡ଼ିଆ ରଚନା କୃତିକୁ ଦେଖିଲେ ସ୍ୱତଃ ମନରେ ପ୍ରଶ୍ନ ଉଠିଥାଏ ଯେ, ତତ୍କାଳୀନ ସମୟରେ ତାଳପତ୍ରରେ ଲୁହା ଲେଖନୀ ସାହାଯ୍ୟରେ ଏହି ବିଶାଳ ସୃଷ୍ଟି ସମ୍ଭାର ଜଣକ ପକ୍ଷରେ ସମ୍ଭବତଃ? ଏଥିପାଇଁ ବହୁ ଗବେଷକ ଏବଂ ଆଲୋଚକ ତାଙ୍କ ରଚନାଗୁଡ଼ିକ ମଧ୍ୟରୁ ଅନେକ ରଚନାକୁ ଭାଷା, ଭାବ, ଦର୍ଶନ ଓ ତତ୍ତ୍ୱ ଦିଗରୁ ପରବର୍ତ୍ତୀ ସମୟରେ ଲେଖାଯାଇ ଜଗନ୍ନାଥ ଦାସଙ୍କ ନାମରେ ଭଣିତା କରାଯାଇଥାଇପାରେବୋଲି ଅନୁମାନ କରିଥାନ୍ତି । ତେବେ ଯେଉଁ ପର୍ଯ୍ୟନ୍ତ ଏହି ବିବଦମାନ କଥାଟି ସ୍ଥିର ସିଦ୍ଧାନ୍ତରେ ନପହଞ୍ଚିଛି ସେ ପର୍ଯ୍ୟନ୍ତ ତାଙ୍କ ନାମରେ ଥିବା ରଚନାକୁ ଆମକୁ ଗ୍ରହଣ କରିବାକୁ ପଡ଼ିବ ।

କ) ଓଡ଼ିଆ ରଚନାବଳୀ :

୧) ଅନାମୟ କୁଣ୍ଡଳୀ- ଦଶ ଅଧ୍ୟାୟ ବିଶିଷ୍ଟ ଏହି ପୁସ୍ତକଟି ନବାକ୍ଷରୀ ବୃତ୍ତରେ ରଚିତ-। ଏଥିରେ ମହାନିତ୍ୟ ରାସଲୀଳା ଏବଂ ଶୂନ୍ୟସାଧନା ଉପରେ ତାତ୍ତ୍ୱିକ ବର୍ଣ୍ଣନା ରହିଛି । ଗ୍ରନ୍ଥ ମାଧ୍ୟମରେ ଯିଏ ରାଧା ସିଏ ହିଁ ବୃନ୍ଦାବତୀବୋଲି ସିଦ୍ଧ କରାଯାଇଛି ।

୨) ଅନନ୍ତ ବ୍ରହ୍ମ ଏକାକ୍ଷର- ଏହାକୁ ବ୍ରହ୍ମ ଏକାକ୍ଷର ଗୀତାବୋଲି ମଧ୍ୟ କୁହାଯାଇଥାଏ । ବ୍ରହ୍ମତତ୍ତ୍ୱ ଆଧାରରେ ନଅଗୋଟି ପଦରେ ଏହା ରଚିତ ।

୩) ଅନନ୍ତ ଲୀଳା- ମାଳିକା ଆକାରରେ ରଚିତ । ଏଥିରେ ପଞ୍ଚସଖା, ଶ୍ରୀ ଚୈତନ୍ୟ ଏବଂ କଳିଯୁଗର ସାମାଜିକ ଅବସ୍ଥାକୁ ନେଇ ଭବିଷ୍ୟତ ବାଣୀ ରହିଛି ।

୪) ଅର୍ଥକୋଇଲି- ମାର୍କଣ୍ଡ ଦାସଙ୍କ “କେଶବ କୋଇଲି”କୁ ଉପଜୀବ୍ୟ କରି ପିଣ୍ଡବ୍ରହ୍ମାଣ୍ଡତତ୍ତ୍ୱ ଦୃଷ୍ଟିରୁ ଏକ ତାତ୍ତ୍ୱିକ ସମାଲୋଚନା ଏଥିରେ କରାଯାଇଛି । ଯଦି ସାହିତ୍ୟ ଦୃଷ୍ଟିରୁ ଦେଖିବା ତେବେ ଓଡ଼ିଆ ସାହିତ୍ୟର ପ୍ରଥମ ସମାଲୋଚନା ହେବ ଅର୍ଥ କୋଇଲି ଓ ପ୍ରଥମ ସମାଲୋଚକ ହେବେ ଜଗନ୍ନାଥ ଦାସ । କେଶବ କୋଇଲିର ତାତ୍ତ୍ୱିକ ବ୍ୟାଖ୍ୟା ଅର୍ଜୁନଙ୍କ ପ୍ରଶ୍ନ ଏବଂ ଶ୍ରୀଭଗବାନଙ୍କ ଉତ୍ତର ଛଳରେ ସମସ୍ତ କଥା ବର୍ଣ୍ଣିତ ।

ଏଥିରେ ଜୀବନ, ମୃତ୍ୟୁ, ପିଣ୍ଡ ବା ଶରୀର, ଆତ୍ମା ପରମାତ୍ମା ପ୍ରଭୃତିଙ୍କ ମଧ୍ୟରେ ରହିଥିବା ରହସ୍ୟମୟ ସଂପର୍କର ତାତ୍ତ୍ୱିକ ଅର୍ଥ ପ୍ରକାଶିତ ହୋଇଛି । ଚଉଦ ଅକ୍ଷରୀ ବୃତ୍ତରେ ରଚିତ ଏହାର ଭାବକୁ ଗୋଟିଏ ଉଦାହରଣରୁ ବୁଝାଯାଇପାରେ-

ପାର୍ଥର ବଚନେ ଯେ ବୋଲନ୍ତି ଭଗବାନ ।

ଉତ୍ତମ କଥାଏ ପାର୍ଥ ପଚାରିଲୁ ପୁଣ

କୋଇଲି ବୋଲିଣ ପାର୍ଥ ଜୀବକୁଟି କହି ।

ସେହି ଜୀବ ମୁହିଁ ଜାଣ ସର୍ବତ୍ର ଅଛଇ

ଆପେ ଆସିଥିଲା ଜୀବ ଆପେ ଚଳିଗଲା ।

ସେହି ପୁତ୍ର ଗୋଟି ଆଉ ବାହୁଡ଼ି ନଇଲା

ଏହି ପୁତ୍ର ଗୋଟି ଯହୁଁ ବାହୁଡ଼ି ନଇଲା ।

ଗୋପର ସ୍ୱରୂପ ପିଣ୍ଡ ପଡ଼ିଣ ରହିଲା

୫) ଭବିଷ୍ୟ ମାଳିକା- ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ ଅପ୍ରକାଶିତ ପୋଥି । ଏଥିରେ ଭବିଷ୍ୟତ ସମୟରେ ଘଟିବାକୁ ଥିବା ଦୁର୍ବିପାକ ସଂପର୍କରେ ବର୍ଣ୍ଣନା ରହିଛି ।

୬) ଭାଗବତ ଜନ୍ମ- ଶୁକଦେବଙ୍କ ଜନ୍ମ ବୃତ୍ତାନ୍ତକୁ ଆଧାର କରି ଶିବ ପାର୍ବତୀଙ୍କ କଥୋପକଥନ ଛଳରେ ସଂସ୍କୃତ ପଦ୍ୟ ଏବଂ ଏହାର ନବାକ୍ଷରୀ ଓଡ଼ିଆ ଅନୁବାଦ ରହିଛି ।

୭) ବ୍ରହ୍ମାଣ୍ଡ ଭୁଗୋଳ- ଜଗନ୍ନାଥ ଦାସଙ୍କ ଭାଗବତର ଏକାଦଶ ସ୍କନ୍ଧରେ ରହିଥିବା ପିଣ୍ଡବ୍ରହ୍ମାଣ୍ଡ ତତ୍ତ୍ୱର ପଦଗୁଡ଼ିକର ବିଷଦ ବ୍ୟାଖ୍ୟା ଏଥିରେ କରାଯାଇଛି ।

୮) ବ୍ରହ୍ମଗାୟତ୍ରୀ- ଏହାକୁ ଅନନ୍ତ ବ୍ରହ୍ମ ଏକାକ୍ଷର ବୋଲି ମଧ୍ୟ କୁହାଯାଇଥାଏ । ଏଥିରେ ଜଗନ୍ନାଥ ଦାସ ଏବଂ ତାଙ୍କ ଶିଷ୍ୟମାନଙ୍କ ମଧ୍ୟରେ ହୋଇଥିବା ପ୍ରଶ୍ନୋତ୍ତର ଛଳରେ ରଚିତ-। ଏଥିରେ ଶିଷ୍ୟମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଜଗନ୍ନାଥଙ୍କ ବେଦରେ ଉପସ୍ଥିତି ଏବଂ ବ୍ରହ୍ମଗାୟତ୍ରୀ ଯନ୍ତ୍ର ଭେଦ ଆଦି ତତ୍ତ୍ୱର ଆଲୋଚନା ରହିଛି ।

୯) ବ୍ରହ୍ମଗୀତା- ଗଦ୍ୟ ପଦ୍ୟାତ୍ମକ ଶୈଳୀରେ ରଚିତ ପାଞ୍ଚ ଅଧ୍ୟାୟ ବିଶିଷ୍ଟ ଗ୍ରନ୍ଥଟିରେ ଯୋଗସାଧନା, ସମାଧି, ଷଡଚକ୍ର, ଜ୍ୟୋତି ଦର୍ଶନ ଆଦିର ତତ୍ତ୍ୱ ପୂର୍ଣ୍ଣ ବର୍ଣ୍ଣନାମାନ ରହିଛି ।

୧୦) ବ୍ରହ୍ମ ପଟଳ- କୃଷ୍ଣ ଓ ଉଦ୍ଧବ ସମ୍ବାଦ ମାଧ୍ୟମରେ ପଞ୍ଚମାତ୍ରା, ପଞ୍ଚତତ୍ତ୍ୱ, ପଞ୍ଚରସ, ନାମ ମାହାତ୍ମ୍ୟ, ସପ୍ତାଙ୍ଗ ଓ ଅଷ୍ଟାଙ୍ଗ ସାଧନା ଆଦି ଉପରେ ବିଷଦ ବର୍ଣ୍ଣନା ରହିଛି ।

୧୧) ଷଡ଼ରସ ଭାଗବତ- ଛ’ ଗୋଟି ଅଧ୍ୟାୟରେ ରଚିତ । ଏଥିରେ ଭକ୍ତିରସ ମୂଳକ ଗୀତ ରହିଛି ।

୧୨) ଦାଣ୍ଡଧୁଆ ଚଉତିଶା- ଚଉତିଶା ଶୈଳୀରେ ରଚିତ ବ୍ରହ୍ମଜ୍ଞାନ ମୂଳକ ରଚନା ଅଟେ ।

୧୩) ଦାରୁବ୍ରହ୍ମ ଗୀତା- କବି ବଂଶୀଧର ମହାନ୍ତିଙ୍କଦ୍ୱାରା ୧୯୪୪ରେ ଏହା ଶ୍ରୀ ମର୍ତ୍ତ୍ୟ ବୈକୁଣ୍ଠରେ ପ୍ରକାଶିତ ହୋଇଥିଲା । ତିନି ଅଧ୍ୟାୟ ବିଶିଷ୍ଟ ନବାକ୍ଷରୀ ବୃତ୍ତରେ ରଚିତ ଏହି ଗ୍ରନ୍ଥ ମାଧ୍ୟମରେ କବି ଶ୍ରୀଜଗନ୍ନାଥ ହିଁ ଦାରୁବ୍ରହ୍ମ ବୋଲି ପ୍ରତିପାଦିତ କରିଛନ୍ତି । ଶ୍ରୀଜଗନ୍ନାଥଙ୍କ ନାମ, ପୁରୁଷୋତ୍ତମ କ୍ଷେତ୍ରର ମହିମା, ଯମନିକତୀର୍ଥ, ଅପୋଡ଼ା ଭୂଇଁ, କଳ୍ପବଟ, ରୋହିଣୀ କୁଣ୍ଡ, ଭୁଷଣ୍ଡକାକ, କଣ୍ଡୁମୁନି, ସ୍ୱର୍ଗଦ୍ୱାର, ମହୋଦଧି ଆଦିର ମହାତ୍ମ୍ୟ କୀର୍ତ୍ତନ କରାଯାଇଛି । ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥ ଚେତନାମୂଳକ ସାହିତ୍ୟପାଇଁ ଏହା ଏକ ଉପାଦେୟ ଗ୍ରନ୍ଥ । ଏଥିରେ କୃଷ୍ଣଙ୍କର ମୃତ୍ୟୁ ଏବଂ ଅପୋଡ଼ା ପିଣ୍ଡ ପ୍ରସଙ୍ଗ ସହିତ ଶ୍ରୀଜଗନ୍ନାଥଙ୍କ ସୃଷ୍ଟି ରହସ୍ୟ ବିଷୟରେ ରହିଥିବା ବର୍ଣ୍ଣନାଟି ସାରଳାଦାସଙ୍କଦ୍ୱାରା ପ୍ରଭାବିତ ପରି ମନେହୁଏ ।

ଉଦାହରଣତଃ-

ନାମତା ପୁରୁଷ ଉତ୍ତମ ।

ସର୍ବକ୍ଷେତ୍ରରୁ ସେ ଉତ୍ତମ

ଦକ୍ଷିଣ ସମୁଦ୍ରର ତୀର

ନାମତାହାର ସ୍ୱର୍ଗଦ୍ୱାର

 

ନୀଳ ସୁନ୍ଦର ନାମେ ବନ ।

ଅଛଇ ଶୁଣ ହେ ରାଜନ

ତହିଁରେ ଅଛଇ ପବିତ୍ରେ ।

ସୁନ୍ଦର ଗିରି ଯଥା ଅର୍ଥେ

ବିଭୁତା ଗୁପତେ ଭିଆଇ ।

ଜନେ ମୁକତି ଦେବାପାଇଁ

୧୪) ଧୃବ ଚରିତ- ଜଗନ୍ନାଥ ଦାସଙ୍କ ନାମରେ ଭଣିତା ହୋଇଥିବା ଦୁଇଗୋଟି ଧୃବ ଚରିତ ଉପଲବ୍ଧ ହୁଏ । ଗୋଟିକରେ ଓଡ଼ିଆ ଭାଗବତରେ ରହିଥିବା ଚତୁର୍ଥ ସ୍କନ୍ଧର ଅଂଶବିଶେଷ ଏବଂ ଅପରଟି ଚତୁର୍ଦ୍ଦଶ ଅକ୍ଷରୀ ପଦ୍ୟ ଛନ୍ଦରେ ରଚିତ ।

ଆଲୋଚକମାନଙ୍କ ମତରେ ଭାଗବତ ରଚନା ପୂର୍ବରୁ ଜଗନ୍ନାଥ ଦାସ ଏହାକୁ ରଚନା କରିଥିବା ଅନୁମାନ କରାଯାଇପାରେ । କାରଣ ଭାଗବତର ଆରମ୍ଭରେ ନୃସିଂହଙ୍କର ସ୍ତୁତି କରାଯାଇଥିବାବେଳେ ଏହାର ମଙ୍ଗଳାଚରଣରେ ଗଜପତିଙ୍କୁ ବନ୍ଦନା କରାଯାଇଥିବାର ଦେଖାଯାଏ-। ଓଡ଼ିଶାର ଅନ୍ୟତମ ଲୋକପ୍ରୀୟ ଗାଥା ଭାବରେ ଏହାକୁ ଗ୍ରହଣ କରାଯାଇଥାଏ ।

୧୫) ଦୁତୀବୋଧ ବା ବ୍ରହ୍ମଗୀତା- ଉତ୍କଳ ବିଶ୍ୱବିଦ୍ୟାଳୟରେ ସଂରକ୍ଷିତ ଅପ୍ରକାଶିତ ପୋଥି । ସର୍ବମୋଟ ଅଠତିଶଟି ଚାରିପାଦଯୁକ୍ତ ପଦରେ ରହିଛି । ଏଥିରେ ପଞ୍ଚମାତ୍ରା, ପଞ୍ଚବୀଜ, ପଞ୍ଚବର୍ଣ୍ଣ ଏବଂ ମନ୍ତ୍ରରାଜ ମହାମନ୍ତ୍ର ସଂପର୍କରେ ଆଲୋଚନା ରହିଛି ।

ଏହି ରଚନାଟି ଜଗନ୍ନାଥ ଦାସ ବୈଷ୍ଣବ ଦୀକ୍ଷା ଗ୍ରହଣ କରିବା ପରବର୍ତ୍ତୀ ରଚନା ପରି ମନେହୁଏ । ଏଥିରେ ସେ ସୂଚନା ଦେଇ ଲେଖିଛନ୍ତି-

ବିପ୍ରକୂଳେ ଜନ୍ମ ହୋଇ କିଛି ନ ଜାଣଇ ।

ଅତିବଡ଼ ବୋଲିଣ ଚୈତନ୍ୟ ଚନ୍ଦ୍ର କହି

ଜଗନ୍ନାଥ ଦାସ ବୋଲି ନାମ ମୋର ହେଲା ।

ସଦ୍‌ଗୁରୁ କୃପାରେଣ ସନ୍ଦେଶ ଫିଟିଲା

୧୬) ଦୀକ୍ଷା ସମ୍ବାଦ- ଏହା ମଧ୍ୟ ଏକ ଅପ୍ରକାଶିତ ପୋଥି । ଉତ୍କଳ ବିଶ୍ୱବିଦ୍ୟାଳୟଠାରେ ସଂରକ୍ଷିତ । କୋଡ଼ିଏ ଅଧ୍ୟାୟ ବିଶିଷ୍ଟ ଏହି ଗ୍ରନ୍ଥରେ ଆଧିଭୌତିକ ଏବଂ ପାରଲୌକିକ ସତ୍ତା ବିଷୟରେ ତାତ୍ତ୍ୱିକ ବର୍ଣ୍ଣନା ରହିଛି । ଉଦାହରଣତଃ ନିତ୍ୟ, ମହାନିତ୍ୟ, ତ୍ରିକୂଟ, ଭ୍ରମର ଗୁମ୍ଫା ଆଦି ବିଷୟକ ତଥ୍ୟ ପ୍ରଦତ୍ତ ହୋଇଛି ।

୧୭) ଏକାଦଶୀ ମାହାତ୍ମ୍ୟ- ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ପୋଥି ବିଭାଗରେ ରହିଛି । ଅପ୍ରକାଶିତ ଏହି ପୁସ୍ତକରେ ଏକାଦଶୀ ତିଥିର ଧାର୍ମିକ ମହତ୍ତ୍ୱ ଓ ବିଶେଷତ୍ୱ କୃଷ୍ଣ ଯୁଧିଷ୍ଠିର ସମ୍ବାଦ ମାଧ୍ୟମରେ ବର୍ଣ୍ଣିତ ।

୧୮) ଏକାକ୍ଷର ପ୍ରଶ୍ନୋତ୍ତର- ଏ ବିଷୟଟି ପଞ୍ଚସଖା ଭଜନରେ ଶ୍ରୀ ନାରାୟଣ ଚନ୍ଦ୍ର ଦାସ ସଂକଳିତ କରିଛନ୍ତି । ତେର ଗୋଟି ଚାରିପାଦୀ ବିଶିଷ୍ଟ ଗୀତରେ କାମବୀଜ, ତ୍ରିତତ୍ତ୍ୱ, ପଞ୍ଚତତ୍ତ୍ୱ ଆଦି ବିଷୟକ ବର୍ଣ୍ଣନା ରହିଛି ।

୧୯) ଗୋପଲୀଳା- ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ ପୋଥିଟି ଅସଂପୂର୍ଣ୍ଣ । ଏଥିରେ କୃଷ୍ଣ ଏବଂ ବଳରାମଙ୍କ ବାଲ୍ୟଜୀବନ କିପରି ଗୋପରେ ରହିଥିଲା ତାହା ବର୍ଣ୍ଣିତ ।

୨୦) ଗୁପ୍ତଗୀତା- ପାଞ୍ଚ ଅଧ୍ୟାୟ ବିଶିଷ୍ଟ, ନବାକ୍ଷରୀ ବୃତ୍ତରେ ରଚିତ । ଏଥିରେ ଷଡ଼ଚକ୍ର, ଅକ୍ଷରବ୍ରହ୍ମ, ଅନାମ ବ୍ରହ୍ମ, ଅଷ୍ଟାଙ୍ଗ ଯୋଗ, ଶ୍ରୀକୃଷ୍ଣଙ୍କ ମହାପ୍ରୟାଣ ଆଦି ବିଷୟରେ ବିଷଦ ବର୍ଣ୍ଣନା ରହିଛି । ଶ୍ରୀକୃଷ୍ଣ-ଉଦ୍ଧବ ସମ୍ବାଦ କ୍ରମରେ ଉଦ୍ଧବଙ୍କର ବଦ୍ରିକାଯାତ୍ରା ପୂର୍ବରୁ ଶ୍ରୀକୃଷ୍ଣଙ୍କଠାରୁ ଉପଦେଶ ଗ୍ରହଣ କରିଛନ୍ତି ।

୨୧) ଗୁପ୍ତ ଭାଗବତ- ଭାଗବତର ସାରାଂଶକୁ ନେଇ ଚବିଶ ଅଧ୍ୟାୟରେ ରଚିତ ହୋଇଛି । ଏଥିରେ ଭୀଷ୍ମଙ୍କର ଜନ୍ମ ରହସ୍ୟ ବୃତ୍ତାନ୍ତ, ବ୍ରହ୍ମା, ବିଦୂର, ବ୍ୟାସ ଏବଂ ରାଧାଙ୍କର ଜନ୍ମ ରହସ୍ୟ ସଂପର୍କରେ ତଥ୍ୟମାନ ରହିଛି । ଯଦିଓ ଭାଗବତର ସାରାଂଶକୁ ଏଥିରେ ଗ୍ରହଣ କରାଯାଇଛି ତେବେ ରାଧାଙ୍କ ଜନ୍ମ ରହସ୍ୟଟି ନୂତନ ସଂଯୋଜନା ଅଟେ । ଗୁପ୍ତ ଭାଗବତକୁ କେହି କେହି ଭାଗବତର ଚତୁର୍ଦ୍ଦଶ ସ୍କନ୍ଧ ବୋଲି ମଧ୍ୟ କହିଥାନ୍ତି । ତେବେ ଏହାକୁ ଜଗନ୍ନାଥ ଦାସଙ୍କ ନାମରେ ଏକ ଭଣିତା ବୋଲି କୁହାଯାଇପାରେ ।

୨୨) ଇନ୍ଦ୍ରଗୋବିନ୍ଦ ଗୀତା- ଏହାକୁ ଇନ୍ଦ୍ରଗୋବିନ୍ଦ ସମ୍ବାଦ ମଧ୍ୟ କୁହାଯାଇଥାଏ । ମାଳିକା ଆକାରରେ ରଚିତ ଓ କଳିଯୁଗର ଭବିଷ୍ୟତ କଥା ଇନ୍ଦ୍ରମାଳିକା, କଳିମାଳିକା ଏବଂ ଇନ୍ଦ୍ରଗୋବିନ୍ଦ ଭବିଷ୍ୟମାଳା ଭାବରେ ବର୍ଣ୍ଣିତ ।

୨୩) ଜଗନ୍ନାଥ କାରିକା- ଏଥିରେ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ସଂପର୍କରେ ବିଷଦ୍ ବର୍ଣ୍ଣନା ରହିଥିବା ସହିତ ଦାରୁବ୍ରହ୍ମ ଉପାଖ୍ୟାନ ମଧ୍ୟ ରହିଛି । ଏହା ସହ ଶଙ୍ଖକ୍ଷେତ୍ରର ମାହାତ୍ମ୍ୟ ସଂପର୍କରେ ଉଲ୍ଲେଖ ରହିଛି ।

୨୪) ଜ୍ୱରାବଳୀ- ରାଜ୍ୟ ସଂଗ୍ରହାଳୟ, ଓଡ଼ିଶାରେ ସଂରକ୍ଷିତ ପୋଥି । ଏଥିରେ ଉଷା ଅନିରୁଧଙ୍କ ପ୍ରଣୟ ପ୍ରସଙ୍ଗ ଶିବ କର୍ତ୍ତୃକ ଜ୍ୱରର ସୃଷ୍ଟି ଏବଂ କୃଷ୍ଣଙ୍କ ସହିତ ଯୁଦ୍ଧ ସଂପର୍କିତ ବର୍ଣ୍ଣନା ରହିଛି ।

୨୫) କଳିଭବିଷ୍ୟ- ଶ୍ରୀକୃଷ୍ଣ-ଉଦ୍ଧବ ସମ୍ବାଦ ମାଧ୍ୟମରେ ଭଗବାନଙ୍କ ସୃଷ୍ଟି ରହସ୍ୟ ସଂପର୍କରେ ବର୍ଣ୍ଣନା ରହିଛି ।

୨୬) କାଳୀୟ ଦଳନ- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପୋଥି ବିଭାଗରେ ରହିଛି । ଏଥିରେ କୃଷ୍ଣଙ୍କର ଯମୁନା ନଦୀରେ କାଳୀୟ ନାଗକୁ ଦଳନ କରିବାର ବିସ୍ତୃତ ବର୍ଣ୍ଣନା ରହିଛି ।

୨୭) କ୍ଷେତ୍ରବର ଚଉତିଶା- ଚଉତିଶା ଶୈଳୀରେ ଶଙ୍ଖକ୍ଷେତ୍ରର ମହତ୍ୱ ବର୍ଣ୍ଣିତ । ଚଉଦ ଅକ୍ଷରୀ ବୃତ୍ତରେ ରଚିତ ଏହାର ଉପସଂହାରରୁ ହିଁ ମୋଟାମୋଟି ଗୋଟିଏ ଧାରଣା ଅଣାଯାଇପାରେ । ଯଥା-

ପିତାମୋର ଜଗନ୍ନାଥ ଦାସ ମହାଶୟେ ।

ପଦ୍ମାବତୀ ମାତା ମୋର ସଦ୍‌ଗୁଣ ସଞ୍ଚୟେ

କପିଳେଶ୍ୱର ପୁରଯେ ଶାସନ ଗରିଷ୍ଠ ।

ବିପ୍ରକୂଳେ ଜନ୍ମ ମୁହିଁ ଏକ ଜନ୍ମ ନିଷ୍ଠ

ଜଗନ୍ନାଥ ବିନୁ ଅନ୍ୟ ନଜାଣଇ ମୁହିଁ

କ୍ଷେତ୍ରବରକୁ ଗୋକୁଳ ବୋଲି ବିଚାରଇ

ପଞ୍ଚତୀର୍ଥ ପଞ୍ଚଧାରା ରାଧାଶ୍ୟାମ କୁଣ୍ଡ ।

ନୀଳ ଶଇଳ ଅଟଇ ଗୋବର୍ଦ୍ଧନ ଖଣ୍ଡ

ରାସକ୍ରୀଡା ସ୍ଥଳ ରତ୍ନବେଦୀ ଯେ ଅଟଇ ।

ସେହି ବେଦୀପରେ ମଥା ନିତ୍ୟମୋ ରହଇ

୨୮) ମହାଭାରତ- ସାରଳା ମହାଭାରତ ଅନୁସରଣରେ ଅଷ୍ଟାଦଶ ପର୍ବକୁ ନେଇ ଏହା ଏକ ବିରାଟ ଗ୍ରନ୍ଥ । ନବାକ୍ଷରୀ ବୃତ୍ତରେ ରଚିତ ଏହି ଗ୍ରନ୍ଥରେ ସଂପୂର୍ଣ୍ଣ ମହାଭାରତର ମୁଖ୍ୟ ଘଟଣା କ୍ରମ ସଠିକ୍ ଭାବେ ରହିଛି । ଅପରପକ୍ଷରେ କହିବାକୁ ଗଲେ ଗ୍ରନ୍ଥର ପର୍ବସଂଖ୍ୟା, ପର୍ବମାନଙ୍କ ନାମକରଣ, ବିଷୟ ସଂଯୋଜନ, ଚରିତ୍ର ଚିତ୍ରଣ, ଆଦିକୁ ନେଇ ବିଚାର କଲେ ଏହାକୁ ସାରଳା ମହାଭାରତର ଏକ ମାର୍ଜିତ ଏବଂ ସଂକ୍ଷିପ୍ତ ରୂପବୋଲି ଗ୍ରହଣ କରାଯାଇପାରେ । ତେବେ ସାରଳା ମହାଭାରତରେ ରହିଥିବା ମୌଶଳ ପର୍ବର ନୀଳଗିରି ମାହାତ୍ମ୍ୟ ପ୍ରସଙ୍ଗ ସାରଳା ମହାଭାରତଠାରୁ ସଂକ୍ଷିପ୍ତ ହେଲେ ମଧ୍ୟ ଭିନ୍ନ ଭାବରେ ପରିବେଷଣ କରାଯାଇଛି । ତଦନୁସାରେ କୃଷ୍ଣଙ୍କର ଅପୋଡ଼ା ପିଣ୍ଡ ମହୋଦଧିରେ ଭାସିଆସି ଭାସ୍କର ତୀର୍ଥଠାରେ ନୀଳମାଧବ ରୂପ ଧାରଣ କରି ଲାଗିବା ପରେ ମକର ସଂକ୍ରାନ୍ତି ଦିନ ଯମ ସେଠାକୁ ଯାଇଥିଲେ ସେଠାରୁ ନୀଳମାଧବଙ୍କୁ ଆଣି ପୂଜା କରୁଥିଲେ । ଏହାର ଶହଶହ ବର୍ଷ ପରେ ନିକଟସ୍ଥ ବଣରେ ଅଗୁରୁ ବୃକ୍ଷ ମୂଳରେ ସ୍ଥାପନା କରିଥିଲେ । ଏହି ତୀର୍ଥର ନାମ ଯମନୀକ ତୀର୍ଥ ହେଲା । ପରେ ନୀଳମାଧବଙ୍କୁ ବସୁ ନାମକ ଶବର ପୂଜା କଲେ । ଏହି ସମୟରେ କାଞ୍ଚିରାଜ ଇନ୍ଦ୍ରଦ୍ୟୁମ୍ନ ନୀଳମାଧବଙ୍କୁ ଠାବ କରିବାପାଇଁ ବ୍ରାହ୍ମଣମାନଙ୍କୁ ପଠାଇଲେ । ଜଣେ ବିପ୍ର ଯମନୀକ ତୀର୍ଥରେ ନୀଳମାଧବଙ୍କୁ ଠାବ କରି ଇନ୍ଦ୍ରଦ୍ୟୁମ୍ନଙ୍କୁ ଖବର ଦେଲେ । ଇନ୍ଦ୍ରଦ୍ୟୁମ୍ନ ବସୁ ଶବରକୁ ବାନ୍ଧି ନେଇ ନୀଳମାଧବଙ୍କୁ ପ୍ରଦାନ କରିବାକୁ କହିବାରୁ ନୀଳମାଧବ ଶୂନ୍ୟବାଣୀ କଲେ ମୁଁ ମାଧବ ରୂପରେ ଗୁପ୍ତ ପୂଜା ପାଉଥିଲି ଏବେ ଦାରୁବ୍ରହ୍ମ ରୂପରେ ପୂଜା ପାଇବି । ତଦନୁସାରେ ଇନ୍ଦ୍ରଦ୍ୟୁମ୍ନ ଯଜ୍ଞ କରି ବୃକ୍ଷ ପ୍ରାପ୍ତ ହୋଇ ବିଗ୍ରହ ନିର୍ମାଣ କଲେ । ମହାଭାରତର ସୂଚନା ଅନୁସାରେ-

ଏବେ ମାଧବ ରୂପଛାଡ଼ି ।

ବସିବି ନୀଳଗିରି ମାଡ଼ି

ହୋଇବି ଦାରୁବ୍ରହ୍ମ ରୂପ

ତହିଁ ଦେଖିବୁ ମୋତେ ନୃପ

କରିବୁ ଯେବେ ମୋତେ ପୂଜା ।

ଦେଉଳ ତୋଳ ମହାରାଜା

ଅବଶ୍ୟ ଏହାକୁ ଜଗନ୍ନାଥ ଦାସଙ୍କ ରଚନାଭାବେ ସ୍ୱୀକାର କରିବାରେ ଦ୍ୱିମତ ରହିଛି ।

୨୯) ମାଳାଗୀତା- ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ରହିଛି । ଏକ କ୍ଷୁଦ୍ର କବିତା । ପୁଷ୍ପମାଳାର ମହତ୍ୱ ଓ ବ୍ରହ୍ମଙ୍କ ସହିତ ଏକ ତୁଳନା କରାଯାଇଛି ।

୩୦) ମାଳଶ୍ରୀ ରଚନା- ମାଳଶ୍ରୀ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ସପ୍ତ ସାହିର ଏକ ଲୋକପ୍ରିୟ ଗୀତ । ଜଗନ୍ନାଥ ଦାସଙ୍କ ନାମରେ ଭଣିତା ଥିବା ନିତ୍ୟସ୍ଥଳ ମାଳଶ୍ରୀ ଏବଂ ବିମଳା ମାଳଶ୍ରୀ (ରାଜ୍ୟ ସଂଗ୍ରହାଳୟ) ମାଧ୍ୟମରେ ଶକ୍ତି ଚେତନାର ମହତ୍ତ୍ୱ ବର୍ଣ୍ଣିତ ।

୩୧) ମନବୋଧ ଗୀତା- ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ପୋଥି ବିଭାଗରେ ସଂରକ୍ଷିତ-। ଏଥିରେ ମନ ଏବଂ ପବନ ମଧ୍ୟରେ କଥୋପକଥନ ଶୈଳୀରେ ପିଣ୍ଡବ୍ରହ୍ମାଣ୍ଡତତ୍ତ୍ୱ ଏବଂ ମହାମନ୍ତ୍ର ଆଦିର ବ୍ୟାଖ୍ୟା ରହିଛି ।

୩୨) ମନଶିକ୍ଷା- ଶୁକ ଏବଂ ସନକ ସମ୍ବାଦ ମାଧ୍ୟମରେ ବୈଷ୍ଣବମାନଙ୍କ ଆଚାର ବ୍ୟବହାର ଓ ମୁକ୍ତିମାର୍ଗ ସଂପର୍କରେ ବର୍ଣ୍ଣନା ରହଛି । ଶ୍ରୀକୃଷ୍ଣଙ୍କର ବାଲ୍ୟଲୀଳା ସହିତ ଜୀବାତ୍ମା-ପରମାତ୍ମା ବିଚାର, ପରମ ଆନନ୍ଦ ପ୍ରାପ୍ତିର ମୂଳ ଚଞ୍ଚଳମନକୁ ଯୋଗ ମାଧ୍ୟମରେ କିପରି ଆୟତ୍ତ ଓ ସ୍ଥିର କରାଯାଇପାରିବ ତାହାହିଁ ଏଥିରେ ଆଲୋଚିତ ହୋଇଛି । ମନେହୁଏ ଏହି ବିଷୟଟି ଶ୍ରୀମଦ୍ ଭାଗବତ ଗୀତାର ଧ୍ୟାନଯୋଗର ବିଷୟଦ୍ୱାରା ପ୍ରଭାବିତ ହୋଇଛି ।

୩୩) ମୃଗୁଣୀ ସ୍ତୁତି- ଏଥିରେ ବିପଦରେ ପଡ଼ିଥିବା ମୃଗୁଣୀର ସ୍ତୁତି ଅତି ହୃଦୟସ୍ପର୍ଶୀ ଭାବ ଓ ଭାଷାରେ ବର୍ଣ୍ଣିତ ହୋଇଛି । ଗର୍ଭବତୀ ହରିଣୀର ଆକୁଳ ପ୍ରାର୍ଥନା ଏବଂ ଭଗବାନଙ୍କ ଠାରେ ସର୍ବୋତ୍ତଭାବେ ଆତ୍ମସମର୍ପଣ ଓ ବିଶ୍ୱାସ ରଖିବା ହିଁ ଏହାର ମୁଖ୍ୟ ଉପଜୀବ୍ୟ ବିଷୟ ।

୩୪) ଗଜସ୍ତୁତି- ଏଥିରେ ମଧ୍ୟ ଗଜର ପ୍ରାର୍ଥନା ଏବଂ ଗଜ ଉଦ୍ଧାରଣ ପ୍ରସଙ୍ଗ ଅତ୍ୟନ୍ତ ମର୍ମସ୍ପର୍ଶୀ । କରୁଣ ରସାତ୍ମକ ଏହି କ୍ଷୁଦ୍ର ପୁସ୍ତକଟିରେ କୁମ୍ଭୀରର ଆକ୍ରମଣରେ ଗଜର ଭଗବାନଙ୍କୁ କରୁଣ ଭାବରେ ଡାକିବା ଏବଂ ଲକ୍ଷ୍ମୀଙ୍କ ସହ ପଶାଖେଳରେ ମଜ୍ଜିଥିବା ନାରାୟଣ ସୁଦର୍ଶନ ଚକ୍ର ପ୍ରେରଣ କରି କୁମ୍ଭୀରର ମସ୍ତକ ଛେଦ ସହ ଗଜ ଉଦ୍ଧାର କରିବା ବିଷୟ ବର୍ଣ୍ଣିତ ।

୩୬) ନାମଚନ୍ଦ୍ରିକା- ଡଃ କୁଞ୍ଜବିହାରୀ ମହାନ୍ତିଙ୍କଦ୍ୱାରା ସମ୍ପାଦିତ ଏହି ପୁସ୍ତକଟିରେ ପିଣ୍ଡବ୍ରହ୍ମାଣ୍ଡତତ୍ତ୍ୱ, ଅନାହତ ମନ୍ତ୍ରରାଜ ଆଦି ବିଷୟ ନବାକ୍ଷରୀ ବୃତ୍ତରେ ରଚିତ ହୋଇଛି । ଏହାକୁ ମଧ୍ୟ ଗୀତନାମ ଚନ୍ଦ୍ରିକା ଏବଂ ଷୋଳନାମ ଚନ୍ଦ୍ରିକା କୁହାଯାଇଥାଏ ।

ଏକାଦଶ ଅଧ୍ୟାୟ ବିଶିଷ୍ଟ ଏହି ପୁସ୍ତକରେ ଉଦ୍ଧବଙ୍କ ପ୍ରଶ୍ନ ଓ ଶ୍ରୀକୃଷ୍ଣ-ଜଗନ୍ନାଥଙ୍କ ଉତ୍ତରଛଳରେ ରଚିତ । ମୁଖ୍ୟତଃ ନାମ ସଂକୀର୍ତ୍ତନର ମାହାତ୍ମ୍ୟ, ତାଛଡ଼ା ନାମଜପ, ଚତୁର୍ଦ୍ଧାମୂର୍ତ୍ତି ପ୍ରସଙ୍ଗ, ଷଟ୍‌ଚକ୍ର ସାଧନା, ଅବାଡ ସାଧନା, ବିରାଟ ସାଧନା, ଅନାହତ ଯୋଗ ଆଦି ସମ୍ବନ୍ଧରେ ମଧ୍ୟ ଆଲୋଚନା ରହିଛି । ତତ୍ ସହିତ ରହିଛି ଜୀବ-ପରମ ରହସ୍ୟ, ଗୁରୁଶିଷ୍ୟ ଭାବ, ଦୀକ୍ଷା ପ୍ରସଙ୍ଗ, ସହଜସାଧନା, ଏକାକ୍ଷର ବ୍ରହ୍ମତତ୍ତ୍ୱ ଆଦିର ବିଷଦ ବର୍ଣ୍ଣନା ।

୩୬) ନୀଳଗିରି ଚଉତିଶା- ଚଉତିଶା ଆକାରରେ ରଚିତ ଏହି କବିତାଟିରେ ଶ୍ରୀଜଗନ୍ନାଥଙ୍କର ରତ୍ନସିଂହାସନ ଏବଂ ମହାପ୍ରଭୁଙ୍କର ମହିମା ପ୍ରକ୍ଷାପିତ ହୋଇଛି ।

୩୭) ନିତ୍ୟଗୁପ୍ତ ଚୂଡ଼ାମଣି- ଏହି ଗ୍ରନ୍ଥଟି ଓଡ଼ିଆ ମଠଠାରେ ସଂରକ୍ଷିତ । ଶ୍ରୀଜଗନ୍ନାଥଙ୍କର ତାନ୍ତ୍ରିକ ଉପାୟରେ କରାଯାଉଥିବା ପୂଜାପଦ୍ଧତି ବିଷୟରେ ଉଲ୍ଲେଖ ରହିଛି । ଏତଦ୍‌ବ୍ୟତୀତ ଭକ୍ତିମାର୍ଗ, ସାଧନା ମାର୍ଗ, କାନ୍ତାଭାବ ଇତ୍ୟାଦିର ବର୍ଣ୍ଣନା ମଧ୍ୟ ରହିଛି ।

୩୮) ପଞ୍ଚଭୂତ ଗୀତା- ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ । ଏଥିରେ ପଞ୍ଚଭୂତାତ୍ମକ ତତ୍ତ୍ୱ ସଂପର୍କରେ ବର୍ଣ୍ଣନା ରହିଥିବା ସହିତ ଷୋଡ଼ଶାକ୍ଷର ମହାମନ୍ତ୍ର, ତ୍ରିକୂଟ, ଅର୍ଦ୍ଧମାତ୍ରା ଏବଂ ମୁକ୍ତିମଣ୍ଡପ ସଂପର୍କରେ ଆଲୋଚନା ରହିଛି ।

୩୯) ପରିଚୟ ବୋଧିନୀ- ଏଥିରେ ଜଗନ୍ନାଥ ଦାସ, ରାୟରାମାନନ୍ଦ, ଚୈତନ୍ୟ ଏବଂ ଅନ୍ୟାନ୍ୟ ବୈଷ୍ଣବମାନଙ୍କ ଜୀବନୀ ଓ ପାରସ୍ପରିକ ସଂପର୍କକୁ ନେଇ ବର୍ଣ୍ଣନା ରହିଛି । ତା ସହିତ ଜଗନ୍ନାଥ ଦାସଙ୍କ ସିଦ୍ଧାଙ୍ଗପ୍ରାପ୍ତି, ଅଷ୍ଟଭୁଜ ମୂର୍ତ୍ତି ଧାରଣ, ପୁରୁଷୋତ୍ତମ ମାହାତ୍ମ୍ୟ ଆଦି ବିଷୟରେ ଉଲ୍ଲେଖ ରହିଛି ।

୪୦) ପଶାପର୍ବ- ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ । ନବାକ୍ଷରୀ ବୃତ୍ତରେ କୁରୁ ପାଣ୍ଡବଙ୍କ ମଧ୍ୟରେ ଅନୁଷ୍ଠିତ ପଶାଖେଳ ସଂପର୍କରେ ଦୀର୍ଘ ବର୍ଣ୍ଣନା ରହିଛି ।

୪୧) ଫୁଲତୋଳା- ଏହା ପ୍ରଥମେ ଶ୍ରୀମର୍ତ୍ତ୍ୟବୈକୁଣ୍ଠ ପୁସ୍ତକର କଳିଖଣ୍ଡରେ ୧୯୩୫ରେ ପ୍ରକାଶିତ ହୋଇଥିଲା । ଗୋପୀମାନଙ୍କର ଫୁଲତୋଳା ଏବଂ କୃଷ୍ଣଙ୍କୁ ବେଶ କରିବା ପ୍ରସଙ୍ଗକୁ ନେଇ ରଚିତ ।

୪୨) ଋକ୍ମିଣୀ ମାଳିକା- କୃଷ୍ଣ ଏବଂ ଋକ୍ମିଣୀଙ୍କ କଥୋପକଥନ ଶୈଳୀରେ ରଚିତ । ଏହାର ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଉଛି ଷୋଡ଼ଶ ଶତାବ୍ଦୀର ଓଡ଼ିଶା ଇତିହାସର ଚିତ୍ର ମାଳିକା ମାଧ୍ୟମରେ ଦେଖିବାକୁ ମିଳିଥାଏ ।

୪୩) ଶୈବାଗମ ଭାଗବତ- ଉତ୍କଳ ବିଶ୍ୱବିଦ୍ୟାଳୟ ପୋଥି ବିଭାଗରେ ରହିଛି । ଏଥିରେ ଶିବ ଏବଂ ପାର୍ବତୀଙ୍କ କଥୋପକଥନ ଛଳରେ ବୈଷ୍ଣବୀୟ ତତ୍ତ୍ୱ ଏବଂ ଗୋପଲୀଳା ସଂପର୍କରେ ବର୍ଣ୍ଣନା ରହିଛି ।

୪୪) ଗୁଣ୍ଡିଚା ବିଜେ- ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ । ମହାଲକ୍ଷ୍ମୀଙ୍କୁ ନନେଇ ପ୍ରଭୁ ଜଗନ୍ନାଥ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହିତ ଗୁଣ୍ଡିଚା ମନ୍ଦିର ଯାଇ ସେଠାରେ ନଅଦିନ ଅବସ୍ଥାନ କରି ପ୍ରତ୍ୟାବର୍ତ୍ତନ କରିବାକୁ ନେଇ ବିଷଦ ବର୍ଣ୍ଣନା ରହିଛି । ଏହା ସହିତ ମହାଲକ୍ଷ୍ମୀଙ୍କ କ୍ରୋଧ ସଂପର୍କରେ ବର୍ଣ୍ଣନା ରହିଛି ।

୪୫ ପଦ ବିଶିଷ୍ଟ ଏହି ରଚନାରେ ତ୍ରିମୂର୍ତ୍ତିଙ୍କୁ ଯଥାକ୍ରମେ ହରି, ହର ଓ ବ୍ରହ୍ମା ରୂପରେ ସ୍ତୁତି କରାଯାଇଛି । ଉଦାହରଣତଃ-

ହରିହର ବ୍ରହ୍ମା ସଂୟେ ଅବତାର ନୀଳଗିରିରେ ପ୍ରକାଶ ।

ନାନା କଉତୁକେ ନୀଳା କରିବାକୁ ବଉଦରୂପେ ପ୍ରକାଶ ॥

କରେ ଶଙ୍କଚକ୍ର ଗଦାଧରି, ନୀଳକନ୍ଦରରେ ବିଜେ କରି ।

ମହୀଭାରକୁ ଉଶ୍ୱାସ କରି ହେ ॥

୪୫) ଶୂନ୍ୟ ଭାଗବତ- ଜଗନ୍ନାଥ ଦାସ ଏଥିରେ ଶୂନ୍ୟପୁରୁଷ ଭାବରେ ଶ୍ରୀଜଗନ୍ନାଥଙ୍କୁ ପ୍ରତିଷ୍ଠିତ କରିଛନ୍ତି ।

୪୬) ସଂସାର ମନବୋଧ ଚଉତିଶା- ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ । ଚଉତିଶା ଶୈଳୀରେ ରଚିତ ଶରୀର ଭେଦ ଏବଂ ବ୍ରହ୍ମଜ୍ଞାନ ସମ୍ବନ୍ଧିତ କବିତା ।

୪୭) ସତ୍‌ସଙ୍ଗ ଭାଗବତ- ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ । ପାଞ୍ଚ ଅଧ୍ୟାୟ ବିଶିଷ୍ଟ ଏହି ପୋଥିରେ ସତ୍‌ସଙ୍ଗର ଆବଶ୍ୟକତା, ସତ୍‌ସଙ୍ଗର ଫଳଶ୍ରୁତି ବର୍ଣ୍ଣିତ । ନବାକ୍ଷରୀ ବୃତ୍ତରେ ଅତି ସରଳ ଭାଷାରେ ରଚିତ ।

୪୮) ସ୍ତ୍ରୀ ପୁରୁଷବନ୍ତ- ନବାକ୍ଷରୀ ବୃତ୍ତରେ ଷୋହଳ ଚଉପଦୀରେ ରଚିତା ଏଥିରେ ଶ୍ରୀକୃଷ୍ଣ ସ୍ତ୍ରୀ ପୁରୁଷଙ୍କ ଅକ୍ଷରର ବିଭାଗୀକରଣ କରିଛନ୍ତି । ଏହାଛଡ଼ା ସପ୍ତସମୁଦ୍ର, ସପ୍ତପୃଥିବୀର ସ୍ଥିତି ବିଷୟରେ ମଧ୍ୟ ବର୍ଣ୍ଣନା ରହିଛି ।

୪୯) ଟୀକା ଭାଗବତ- ଭାଗବତର ସଂକ୍ଷିପ୍ତ ଟୀକା ମାଧ୍ୟମରେ କେବଳ ସାରାଂଶ ପ୍ରଦତ୍ତ ।

୫୦) ତଅପୋଇ- ନବାକ୍ଷରୀ ବୃତ୍ତରେ ପାଞ୍ଚ ଅଧ୍ୟାୟ ବିଶିଷ୍ଟ ଏହି ରଚନାରେ ସାଧବ ଝିଅ ତଅପୋଇ କିପରି ଭାଇମାନଙ୍କ ବିଦେଶଯାତ୍ରା କାଳରେ ଭାଉଜମାନଙ୍କଦ୍ୱାରା ଅତ୍ୟାଚାରିତା ହୋଇଛି । ପରେ ଖୁଦୁରୁକୁଣି ଓଷା କରି ନିଜର ପୂର୍ବ ମର୍ଯ୍ୟାଦା ଫେରି ପାଇଛି । ଯାହାକି ବର୍ତ୍ତମାନ ଓଡ଼ିଶାରେ ବହୁଳ ଭାବରେ ଚର୍ଚ୍ଚିତ ।

୫୧) ତୁଳାଭିଣା- ଗଦ୍ୟ ପଦ୍ୟାତ୍ମକ ଶୈଳୀରେ ରଚିତ । ଶିବ ପାର୍ବତୀଙ୍କ କଥୋପକଥନ ଛଳରେ ପିଣ୍ଡବ୍ରହ୍ମାଣ୍ଡତତ୍ତ୍ୱ, ଶୂନ୍ୟବାଦ, ଯୋଗ, ବ୍ରହ୍ମତତ୍ତ୍ୱ ଆଦିର ବିଷଦ ବ୍ୟାଖ୍ୟା ରହିଛି । ଏହି ସମସ୍ତ ବର୍ଣ୍ଣନା ଭାଗବତ ଭେଦ ଏବଂ ରାମାୟଣ ଭେଦ ନାମକ ଦୁଇ ବିଭାଗରେ ବିଭକ୍ତ କରାଯାଇଛି । ତୁଳାଭିଣାର ପ୍ରତିପାଦ୍ୟ ବିଷୟ ଏବଂ ରଚନା ଶୈଳୀ ବୌଦ୍ଧ ଦର୍ଶନର ପ୍ରଜ୍ଞା ପାରମିତା ସୂତ୍ରର ଅନୁକରଣ ବୋଲି କୁହାଯାଇପାରେ । ଏଥିରେ ଥିବା ଗଦ୍ୟର ଭାଷା ପ୍ରାୟତଃ ‘ରୁଦ୍ରସୁଧାନିଧି’ର ଗଦ୍ୟଶୈଳୀର ପ୍ରଭାବରେ ପ୍ରଭାବିତବୋଲି ମନେହୁଏ ।

୫୨) ବୈଷ୍ଣବ ଆଚରଣ- ବୈଷ୍ଣବମାନଙ୍କ ଦୈନନ୍ଦିନ ଜୀବନ କିପରି ନିର୍ବାହ କରିବେ ତାକୁ ଦିଗ ନିର୍ଦ୍ଦେଶପାଇଁ ଲେଖାଯାଇଛି । ଏହାକୁ ଏକ ଆଚରଣ ସଂହିତା କହିଲେ ଭୁଲ୍ ହେବ ନାହିଁ ।

୫୩) ଜଗନ୍ନାଥ କୋଇଲି- କୋଇଲି ସମ୍ବୋଧନ ଗୀତିଶୈଳୀରେ ରଚିତ ଜଗନ୍ନାଥଙ୍କୁ ଆଧାର କରି କୃଷ୍ଣଙ୍କପାଇଁ ଯଶୋଦାଙ୍କ ଶୋକ । ମନେହୁଏ ମାର୍କଣ୍ଡ ଦାସଙ୍କ କେଶବ କୋଇଲି ପ୍ରଭାବରେ ରଚିତ ।

୫୪) ପଦ୍ମକଳ୍ପଟୀକା- ଏଥିରେ ମାର୍କଣ୍ଡେୟ ମୁନିଙ୍କର ପାଦ୍ମକଳ୍ପ ସଂପର୍କୀୟ ଘଟଣାର ସାରକଥାକୁ ବର୍ଣ୍ଣନା କରାଯାଇଛି । ନବାକ୍ଷରୀ ବୃତ୍ତରେ ରଚିତ ଏହି ଗ୍ରନ୍ଥରେ କିଛି କିଛି ସଂସ୍କୃତ ମନ୍ତ୍ରମାନ ରହିଛି । ପ୍ରଥମରୁ ଶ୍ରୀଜଗନ୍ନାଥଙ୍କ ବନ୍ଦନା ପରେ ବିଭିନ୍ନ ବଚନିକାମାନ ରହିଛି । ବଚନିକା ମଧ୍ୟରେ ଶ୍ରୀଭଗବାନ, ଈଶ୍ୱର, ପାର୍ବତୀ, ନାରଦ ଆଦିଙ୍କ ବଚନିକା ମୁଖ୍ୟ ଅଟେ । ବିଭିନ୍ନ ମନ୍ତ୍ର ଭିତରେ ରୋଷେଇ ମନ୍ତ୍ର, ଟହଲ ମନ୍ତ୍ର, ଛାଡ଼ି ମନ୍ତ୍ର, ଗାୟକ ମନ୍ତ୍ର, ଅଧିକାରୀ ମନ୍ତ୍ର, ମହନ୍ତ ମନ୍ତ୍ର, ବିଜୟାମନ୍ତ୍ର, ହୁକାମନ୍ତ୍ର, ଗୋପାଳମନ୍ତ୍ର ଆଦି ରହିଛି ।

ଗ୍ରନ୍ଥର ଭଣିତାରେ ଉଲ୍ଲେଖ ଅଛି ଯେ,-

“କହଇ ବିପ୍ର ଜଗନ୍ନାଥ ।

ମୁଁ ପାପୀ ଅଟଇ ଅନାଥ ॥

ଉପାଧି ଗର୍ବେ ମତ୍ତହୋଇ ।

ଲେଖିଲି ପଦ୍ମକଳ୍ପ ଏହି ॥

ମୋହର ଏଥି ନାହିଁ ଦୋଷ ।

ହୃଦେ ମୋ କମଳା ବିଳାସ ॥

ପଦ୍ମକଳ୍ପର ଟୀକାରସ ।

ମାର୍କଣ୍ଡ ମୁନି ଉପଦେଶ ॥

ତହିଁରୁ ସାରସ୍ୱତ ବାଣୀ ।

ମୁଁ ଏବେ ଗ୍ରନ୍ଥ କଲିଆଣି ॥

ସୁଜନେ କ୍ଷମାକର ଦୋଷ ।

ଭଣଇ ଜଗନ୍ନାଥ ଦାସ ॥

୫୫) ଶ୍ରୀମଦ୍ ଭାଗବତ ମହାପୁରାଣ- ଜଗନ୍ନାଥ ଦାସଙ୍କ ସମଗ୍ର ଗ୍ରନ୍ଥ ସମ୍ଭାର କାହିଁକି, ବିଗତ ପାଞ୍ଚଶହ ବର୍ଷର ସମଗ୍ର ଓଡ଼ିଆ ସାହିତ୍ୟକୁ ଅବଲୋକନ କଲେ ଆମେ ଅନ୍ତଃ କରଣରେ ସ୍ୱୀକାର କରିବା ଯେ, ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ଠାରୁ ସାମଗ୍ରିକ ଦୃଷ୍ଟିକୋଣରୁ ଅନ୍ୟକୌଣସି କୃତି ଆଗକୁ ବଢ଼ିଯାଇ ନାହିଁ ।

ଓଡ଼ିଆ ଭାଗବତରେ ପରିପୂର୍ଣ୍ଣ ମାତ୍ରାରେ ରହିଛି କବିଙ୍କର ଅସୀମ ଜ୍ଞାନବତ୍ତା, ଧୈର୍ଯ୍ୟ, ପ୍ରଜ୍ଞା, ଦାର୍ଶନୀକତା ଏବଂ ଲୋକଚରିତ୍ର ଅନୁଧ୍ୟାନର ପାରଙ୍ଗତା । ଏହାକୁ ମୂଳ ସଂସ୍କୃତ ଭାଗବତର ଅନୁବାଦ କହିଲେ ଆମେ ଭୁଲ୍ କରି ବସିବା । ମୂଳ କଥାବସ୍ତୁକୁ ଯଥାଯୋଗ୍ୟ ଭାବରେ ଉପସ୍ଥାପନା କରିବା ସହିତ ସମସାମୟିକ ସମାଜର ଲୋକ ଚରିତ୍ରର ଆବଶ୍ୟକତା ନେଇ ସରଳ, ସୁଶ୍ରାବ୍ୟ, ବୋଧଗମ୍ୟ ଭାଷା ଏବଂ ଭାବପ୍ରକାଶ ଏଥିରେ ଯଥାର୍ଥ ଭାବରେ ଘଟାଇଛନ୍ତି । ପ୍ରକାଶକୀୟ ସରଳତା, ଆହରଣ ଏବଂ ସମୀକରଣର କୃତିତ୍ୱ, ଯୋଗାଯୋଗ କୁଶଳତା, ଅନୁସୃଜନର ବଳିଷ୍ଠ ମୌଳିକତାପାଇଁ ହିଁ ଭାଗବତକୁ ଓଡ଼ିଆ ଜାତୀୟ ଜୀବନର କର୍ଣ୍ଣଧାର ଭାବରେ ଏଯାବତ୍ ସ୍ୱୀକାର କରାଯାଉଛି । ଏହି କାରଣରୁ ହିଁ ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ନିକଟରୁ ଆଦର ପାଇ ଆସୁଛି ।

ଭାଗବତର ଲୋକପ୍ରିୟତା କାରଣରୁ ହିଁ ଓଡ଼ିଶାରେ ପ୍ରାଥମିକ ଶିକ୍ଷାର ଅପରିହାର୍ଯ୍ୟ ଅଙ୍ଗରୂପେ ଗୃହୀତ ହୋଇଥିଲା । ଫଳରେ ପ୍ରାନ୍ତୀୟ ପ୍ରଦେଶମାନଙ୍କର ସାକ୍ଷରତା ହାରଠାରୁ ଓଡ଼ିଶାର ସାକ୍ଷରତା ହାର ଥିଲା ବହୁ ଅଧିକ ।

ଓଡ଼ିଆ ଭାଗବତ, ଗୋଷ୍ଠୀଗତ, ଧର୍ମଗତ, ସଂକୀର୍ଣ୍ଣତାଠାରୁ ବହୁ ଊର୍ଦ୍ଧ୍ୱରେ ମାନବଧର୍ମର କଥା ପ୍ରଚାର କରିଛି । ତା ସହିତ ଏଥିରେ ରହିଛି ମୁକ୍ତିଲାଭପାଇଁ ଜ୍ଞାନଯୋଗ, ଆତ୍ମାର କର୍ଷଣ, ସାଧନ ପନ୍ଥା ନିରୂପଣ ଏବଂ ସଂସାର ନିର୍ବାହ ସହିତ ବିଭୁପ୍ରାପ୍ତିର ସନ୍ଦେଶ । ଜଗନ୍ନାଥ ଦାସଙ୍କ ମତରେ ନିଷ୍କାମ ଉପାସନାଠାରୁ ସକାମ ଉପାସନା ମଧ୍ୟ ଗୌଣ ନୁହେଁ । ସତ୍ୟ ଓ ଶିବର ଉପାସନାପାଇଁ ଏକାଦଶ ସ୍କନ୍ଧ ଏକ ଜ୍ୱଳନ୍ତ ନମୂନା ।

ଜଗନ୍ନାଥ ଦାସ ଶ୍ରୀଧର ଦାସଙ୍କ ‘ଭାବାର୍ଥ ଦୀପିକା’ ଟୀକାକୁ ଆଧାର କରି ଭାଗବତ ରଚନା କରିଥିଲେ । ଶ୍ରୀଧର ଦାସ ଥିଲେ ଅଦ୍ୱୈତବାଦୀ । ଜଗନ୍ନାଥ ଦାସଙ୍କ ଭାଗବତର ମୁଖ୍ୟ ସ୍ୱର ଅଦ୍ୱୈତବାଦ ହେଲେ ମଧ୍ୟ, ଶୂନ୍ୟ ନିରଞ୍ଜନର ପରିକଳ୍ପନା, ଯୋଗ ସାଧନା, ମନ୍ତ୍ରଯନ୍ତ୍ରର ସୂଚନା ସବୁକିଛି ଏଥିରେ ରହିଛି । ତା ସହିତ ରହିଛି ପଞ୍ଚସଖାଙ୍କ ଆଦର୍ଶ-ପିଣ୍ଡବ୍ରହ୍ମାଣ୍ଡ ତତ୍ତ୍ୱ, ସଗୁଣ ଓ ନିର୍ଗୁଣ ଉପାସନା, ଐଶ୍ୱର୍ଯ୍ୟ ଜ୍ଞାନମିଶ୍ରା ଭକ୍ତି ପୁଣି ରହିଛି ଐଶ୍ୱର୍ଯ୍ୟ ଜ୍ଞାନଶୂନ୍ୟା ବା ବିଶୁଦ୍ଧା ଭକ୍ତି । ଏ ସମସ୍ତ ଦାର୍ଶନିକ ତତ୍ତ୍ୱ ଅତି ସରଳ ଭାବରେ ଶୁକ-ପରୀକ୍ଷିତ, ନାରଦ-ବସୁଦେବ, ନିମି-ଅବଧୂତ, ଯଦୁରାଜା-ଅମ୍ବରୀଷ, କୃଷ୍ଣ-ଉଦ୍ଧବ, ସୂତ-ଶୌନକାଦିଙ୍କ କଥୋପକଥନ ଛଳରେ ବର୍ଣ୍ଣିତ ହୋଇଅଛି-

ମୋଟାମୋଟି ଭାବରେ କହିବାକୁ ଗଲେ ଓଡ଼ିଆ ଭାଗବତ ହେଉଛି- ଜ୍ଞାନବିଜ୍ଞାନ, ସମାଜ, ଧର୍ମ, ଦର୍ଶନ, ନ୍ୟାୟ, ଲୋକାଚାର, ଲୋକଶିକ୍ଷା, ଚରିତ୍ର ଗଠନ, ମାନସିକ ଦୃଢତା, ଐକାନ୍ତିକ ଭକ୍ତି ଆଦିର ଏକ ଜୀବନ୍ତ ବିଶ୍ୱକୋଷ। ଏହି କାରଣରୁ ଓଡ଼ିଆ ଭାଗବତର ଛତ୍ରଛାୟା ତଳେ ସମଗ୍ର ଓଡ଼ିଆ ଜାତି ନିଜର ସ୍ଥିତିକୁ ବହୁ ଦୁର୍ବିପାକ ସମୟରେ ମଧ୍ୟ ସୁରକ୍ଷିତ ରହିଆସିଛି ।

୫୬) ରାସକ୍ରୀଡ଼ା- ଭାଗବତରେ ବର୍ଣ୍ଣିତ ଶରତ ରାସର ପାଞ୍ଚଗୋଟି ଅଧ୍ୟାୟ ଯାହାକି ରାସପଞ୍ଚାଧ୍ୟାୟୀ ଭାବରେ ପରିଚିତ ତାହା ହିଁ ଏହି ରଚନାରେ ସ୍ଥାନିତ ହୋଇଛି । ଏଥିରେ ଗୋପୀମାନଙ୍କ ମଣ୍ଡଳୀ ଭିତରୁ ଶ୍ରୀକୃଷ୍ଣଙ୍କର ଅନ୍ତର୍ଦ୍ଧାନ, ଗୋପୀମାନଙ୍କ କରୁଣ ରସାଶ୍ରୀତ ବିଳାପ, ଶ୍ରୀକୃଷ୍ଣ ବିଜୟ ଏବଂ ଗୋପୀମାନଙ୍କ କାମନାପୂର୍ଣ୍ଣ ହେବାର ବିବରଣୀ ରହିଛି ।

୫୭) ଅଳସୁଆ ଭାଗବତ- ଭାଗବତ ବାଣୀରେ ରଚିତ ମାତ୍ର ୧୦୦ ଗୋଟି ପଦ ମାଧ୍ୟମରେ ସମଗ୍ର ଓଡ଼ିଆ ଭାଗବତର ସାର ସଂଗ୍ରହ କରାଯାଇଛି । ନାମକରଣ ଏପରି ହେବାର ମୁଖ୍ୟ କାରଣ ହେଲା ସମଗ୍ର ଭାଗବତ ପାଠକୁ କୁଣ୍ଠା ପ୍ରକାଶ କରୁଥିବା ଲୋକ ଏହା ପାଠ କରିବେ-। ଏ ବିଷୟରେ ଏଥିରେ ସୂଚନା ରହିଛି ଯେ,-

ଶ୍ରୀ ଭାଗବତ ପାଦ ଗୂଢ଼ ।

କି ଅବା ବୁଝିବ ଏ ମୂଢ଼ ॥

ଶ୍ରୀ ଭାଗବତ ତତ୍ତ୍ୱ ବାଣୀ ।

ଶହେ ପଦରେ ପରିମାଣି ॥

ଅଳସଜନଙ୍କ ପ୍ରମାଣ ।

କଲି ମୁଁ ଗୀତଠାବେ ଜାଣ ॥

ପଢ଼ିଲେ ଭକତି ଉଦୟ ।

ହୋଇବ ଏହାଟି ନିଶ୍ଚୟ ॥

୫୮) ଉଷାହରଣ- ଡଃ ବଂଶୀଧର ମହାନ୍ତିଙ୍କଦ୍ୱାରା ସଂଗୃହୀତ ଏହି କାବ୍ୟଟି ୮ ଛାନ୍ଦ ବିଶିଷ୍ଟ ଏବଂ ଚଉଦ ଅକ୍ଷରୀ ବୃତ୍ତରେ ରଚିତ । ଏହା ଜଗନ୍ନାଥ ଦାସଙ୍କଦ୍ୱାରା ରଚିତ ବୋଲି ଡଃ ମହାନ୍ତି ଉଲ୍ଲେଖ କରିଛନ୍ତି ।

 

(ଖ) ସଂସ୍କୃତ ରଚନାବଳୀ:

 

ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଓଡ଼ିଆ ରଚନା ବ୍ୟତୀତ ସଂସ୍କୃତ ଏବଂ ବ୍ରଜବୋଲି ଭାଷାରେ ମଧ୍ୟ କିଛି ରଚନା ରହିଛି । ଅବଶ୍ୟ ତାଙ୍କ ରଚିତ ସଂସ୍କୃତ ଗ୍ରନ୍ଥ ମଧ୍ୟରୁ ଅନେକର ଓଡ଼ିଆ ଅର୍ଥ ମଧ୍ୟ ସେ ନିଜେ କରି ଦେଇଛନ୍ତି । ତାଙ୍କର କିଛି ସଂସ୍କୃତ ରଚନା ସଂପର୍କରେ ଏଠାରେ ଆଲୋଚନା କରାଯାଇପାରେ ।

 

୧) ଭାଗବତ ଜନ୍ମ- ଶିବ ପାର୍ବତୀଙ୍କ କଥୋପକଥନ ଛଳରେ ଶୁକଦେବଙ୍କ ଜନ୍ମ ପ୍ରସଙ୍ଗକୁ ନେଇ ଏହା ରଚିତ । ଏଥିରେ ସଂସ୍କୃତ ଶ୍ଳୋକ ସହ ନବାକ୍ଷରୀ ବୃତ୍ତରେ ଓଡ଼ିଆ ଭାବାର୍ଥକୁ କବି ନିଜେ ଅନୁବାଦ କରିଛନ୍ତି ।

 

୨) ହରିଣୀ ସ୍ତୁତି- ଓଡ଼ିଆରେ ରହିଥିବା ମୃଗୁଣୀ ସ୍ତୁତିର ମୂଳ ସଂସ୍କୃତ ରଚନା ଅଟେ ।

 

୩) ନିତ୍ୟାଚାର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପୋଥି ବିଭାଗରେ ରହିଛି । ଅତିବଡ଼ୀ ସଂପ୍ରଦାୟର ଆଚାର, ବିଚାର, ନୀତି, ନିୟମ, ଉପାସ୍ୟ, ତିଳକ ଧାରଣ, ଧାମ, ନାମ ଆଦି ବିଷୟରେ ଏକ ପଥପ୍ରଦର୍ଶକ ଗ୍ରନ୍ଥ ଅଟେ । ଏହାଛଡ଼ା ଶିଷ୍ୟ ପରମ୍ପରା ଏବଂ ଅତିବଡ଼ୀଙ୍କ ପ୍ରଥମ ଷୋଡ଼ଶ ଶିଷ୍ୟଙ୍କ ସୂଚନା ମଧ୍ୟ ଲିପିବଦ୍ଧ ହୋଇଛି ।

 

୪) ନିତ୍ୟ ନୀଳାଦ୍ରି ବିଳାସ- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ତଥା ଓଡ଼ିଆ ମଠଠାରେ ପୋଥି ଆକାରରେ ସଂରକ୍ଷିତ । ଏଥିରେ ସ୍ୱୟଂ ଶ୍ରୀଜଗନ୍ନାଥ ହିଁ ରାଧାକୃଷ୍ଣଙ୍କ ମିଳିତ ରୂପ । ଏଥିରେ ମନ୍ତ୍ରରାଜ ମହାମନ୍ତ୍ର, ବୀଜମନ୍ତ୍ର ପ୍ରସଙ୍ଗ, ନିତ୍ୟରାସ ଲୀଳା କ’ଣ ଆଦିର ବିଷଦ ବର୍ଣ୍ଣନା ସହିତ ଶ୍ରୀଜଗନ୍ନାଥଙ୍କ ଅନାଦିତ୍ୱ ଓ ଅନନ୍ତତ୍ୱ ସଂପର୍କରେ ୧୬ଟି ବିଳାସ ବା ଅଧ୍ୟାୟରେ ରଚିତ ହୋଇଛି ।

 

ଏଥିରେ ଥିବା ୧୮୦ ଗୋଟି ଶ୍ଳୋକ ମଧ୍ୟରେ ଶ୍ରୀଜଗନ୍ନାଥ କିପରି ରାଧାକୃଷ୍ଣଙ୍କ ମିଳିତ ରୂପ ତାହାର ବିଶ୍ଳେଷଣ କରାଯାଇଛି । ତେବେ ଶ୍ରୀଜଗନ୍ନାଥଙ୍କୁ ସର୍ବୋଚ୍ଚ ଗୁରୁତ୍ୱ ପ୍ରଦାନ କରାଯାଇଛି । ଉଦାହରଣତଃ-

 

ନମୋଽସ୍ତୁତେ ଦୀନ ଜନାର୍ତ୍ତିଧ୍ୱଂସିନ୍ ।

ଲକ୍ଷ୍ମୀପତେ ନୀଳ ନଗେନ୍ଦ୍ର ବାସିନ୍ ॥

କ୍ଷୀରାବ୍‌ଧି ବାସିନ୍ ଦୟିତା ବିଳାସିନ୍ ।

ପଲାଦରାଶିନ୍ ହରଧା ତୃଶାସିନ୍ ॥

 

୫) ପୂର୍ଣ୍ଣରାସ ଚନ୍ଦ୍ରିକା- ଏହାକୁ ପୂର୍ଣ୍ଣାମୃତ ଚନ୍ଦ୍ରିକା ବୋଲି ମଧ୍ୟ ଉଲ୍ଲେଖ କରାଯାଇଛି । ସଂସ୍କୃତରେ ରଚିତ ଏହି ପୁସ୍ତିକାରେ ତ୍ରିତତ୍ତ୍ୱ, ନାଦ, ବିନ୍ଦୁ, ତ୍ରିବିଜ ଓ ମହାମନ୍ତ୍ର ବିଷୟକ ବ୍ୟାଖ୍ୟା ରହିଛି ।

 

୬) ରାଧା ମଞ୍ଜରୀ- ଉଭୟ ସଂସ୍କୃତ ଏବଂ ଓଡ଼ିଆରେ ରଚିତ । ଏଥିରେ ରାଧାତତ୍ତ୍ୱ ଏବଂ ଯୁଗଳ ରହସ୍ୟ ଭେଦ କରାଯାଇଛି । ଉତ୍କଳୀୟ ପରମ୍ପରା ଅନୁଯାୟୀ ରାଧାକୃଷ୍ଣଙ୍କ ମିଳିତ ଯୁଗଳ ଅଙ୍ଗ ସଂପର୍କିତ ତାତ୍ତ୍ୱିକ ବିବରଣୀ ରହିଛି । ବୁଝିବାପାଇଁ ମୂଳ ସଂସ୍କୃତରେ ରଚିତ ଓ କବିଙ୍କଦ୍ୱାରା ଅନୁବାଦିତ ଓଡ଼ିଆର ଗୋଟିଏ ଉଦାହରଣ ନିଆଯାଇପାରେ-

 

ସହସ୍ରାର ଚକ୍ର ନୀଳ ଗଗନର ପ୍ରାୟେ ।

ଘୋଟି ଅଛି ନୀଳ ଜଳ ସମୁଦ୍ରର ପ୍ରାୟେ ॥

ତାହା ମଧ୍ୟେ ଆଜ୍ଞା ଚକ୍ର ଦୀପଶିଖା ପରି ।

ଜ୍ୟୋତି ମିଳନ ଯୁଗଳ ତତ୍ତ୍ୱ ହିଁ ଆବୋରି ॥

ନିତ୍ୟରାସ ବୋଲି ତାହା ରାଣୀ ଗୋ ମଣିବ ।

ରାଧାକୃଷ୍ଣ ଏକତତ୍ତ୍ୱ ବୋଲିଟି ଜାଣିବ ॥

ରାଧା ତତ୍ତ୍ୱରେ ଯେ ନିତ୍ୟ କରୁଥାଇ ଧ୍ୟାନ ।

ଶୁଦ୍ଧା ଭକ୍ତି ଅଟଇଟି ତାହାର ପ୍ରମାଣ ॥

 

୭) ଶରଦରାସ- ମୂଳ ସଂସ୍କୃତ ଏବଂ ବ୍ରଜବୋଲି ଅନୁବାଦ ସହ ରଚିତ । ଉତ୍କଳ ବିଶ୍ୱବିଦ୍ୟାଳୟ ପାଠାଗାରରେ ସଂରକ୍ଷିତ ଏହି ପୁସ୍ତକଟି ମୁଖ୍ୟତଃ ରାଧାକୃଷ୍ଣ ଲୀଳା ଉପରେ ଆଧାରିତ । କିନ୍ତୁ ଏକ ତାତ୍ପର୍ଯ୍ୟପୂର୍ଣ୍ଣ କଥା ହେଲା ଉଭୟ ରାଧା ଏବଂ ବୃନ୍ଦାବତୀ ଏହି ରାସରେ ରହିଛନ୍ତି ।

 

୮) ଷୋଡ଼ଶ ଚତୁଷ୍ପଦୀ- ସଂସ୍କୃତ ଶ୍ଳୋକ ଏବଂ ଓଡ଼ିଆ ଅନୁବାଦ ମାଧ୍ୟମରେ ପରମତତ୍ତ୍ୱ ବା ପରମଜ୍ୟୋତି ଶ୍ରୀଜଗନ୍ନାଥ ଶ୍ରୀରାଧାକୃଷ୍ଣ ଯୁଗଳମୂର୍ତ୍ତି ଅଟନ୍ତି । ଉଭୟ ପୁରୁଷ ଓ ପ୍ରକୃତି ମିଳିତ ହୋଇ ଶ୍ରୀଜଗନ୍ନାଥସ୍ୱରୂପ ହୋଇଛନ୍ତି । ତା ସହିତ ରହିଛି ତ୍ରିମୂର୍ତ୍ତି ନାମ ତତ୍ତ୍ୱ କ’ଣ, ମହାମନ୍ତ୍ର, ଚଉଷଠୀ ଯନ୍ତ୍ର, ବୈଷ୍ଣବ ଲକ୍ଷଣ ଆଦି ବିଷୟକ ବର୍ଣ୍ଣନା ।

 

ପୁରୁଷୋତ୍ତମ ଜଗନ୍ନାଥଙ୍କ ମୂର୍ତ୍ତିରେ ହିଁ ଷୋଳସହସ୍ର ଗୋପନାରୀ, ଷୋଡ଼ଶ ସଖୀ, ଅଷ୍ଟନାୟିକାମାନଙ୍କ ଗହଣରେ ରାଧାକୃଷ୍ଣ ନିତ୍ୟରାସରେ ନିମଗ୍ନ ଅଛନ୍ତି ବୋଲି ପ୍ରତିପାଦିତ କରାଯାଇଛି । “ଓଁ ହୀଂ କ୍ଳୀଂ ଗୋପୀଜନ ବଲ୍ଲଭାୟ ସ୍ୱାହା କ୍ଳୀଂ ହ୍ରୀଂ ଶ୍ରୀଂ”-ଏହି ଷୋଡ଼ଶ ବିଜାକ୍ଷରକୁ ନେଇ ଷୋଳ ଚଉପଦୀ ରଚନା କରାଯାଇଛି । ଷୋଳଟି ଚଉପଦୀ ମଧ୍ୟରୁ କୌଶିକ ରାଗରେ ଗୋଟିଏ (୬), ଗୁଜ୍ଜରୀ ରାଗରେ ଚାରୋଟି (୧,୩,୪,୫) ଚୋଖୀ ବୃତ୍ତରେ ଆଠଟି (୨,୯ଠାରୁ୧୫) ଓ ବସନ୍ତ ରାଗରେ ତିନୋଟି (୭,୮,୧୬) ଗୀତ ରଚନା କରାଯାଇଛି ।

 

ଏହି ଷୋଡ଼ଶ ଚତୁଷ୍ପଦୀଟି ଶ୍ରୀଜଗନ୍ନାଥଙ୍କ ଶ୍ରେଷ୍ଠତ୍ୱ ଓ ଭକ୍ତିତତ୍ତ୍ୱକୁ ଆଧାର କରି ଲେଖାଯାଇଥିବା କଥା ଦିବାକର ଦାସ ‘ଜଗନ୍ନାଥ ଚରିତାମୃତ’ରେ ଉଲ୍ଲେଖ କରିଛନ୍ତି ।

 

୯) ଶ୍ରୀକୃଷ୍ଣ ଭକ୍ତିଲତା ଫଳମ୍- ଭଗବାନ ଶ୍ରୀକୃଷ୍ଣଙ୍କୁ ଭକ୍ତି କଲେ କ’ଣ କ’ଣ ଫଳ ମିଳିଥାଏ ତାହା ଏହି ଗ୍ରନ୍ଥରେ ସୂଚିତ ଅଛି । ଛଅଗୋଟି ଅଧ୍ୟାୟକୁ ଷଢ଼ ଆସ୍ୱାଦ ନାମରେ ନାମିତ କରାଯାଇଛି । ବିଭିନ୍ନ ଶାସ୍ତ୍ର, ପୁରାଣ, ତନ୍ତ୍ର, ସଂହିତାଦିର ବାକ୍ୟାବଳୀକୁ ଉଦ୍ଧାର କରି ଏଥିରେ ଯଥାକ୍ରମେ ଗୁରୁଶିଷ୍ୟ ଲକ୍ଷଣ ଏବଂ ତତ୍ତ୍ୱାତତ୍ତ୍ୱ ବିଚାର, ନବଧାଭକ୍ତି ଓ ନିର୍ଗୁଣଭକ୍ତି, ସ୍ୱାନୁଭୁତ ଭକ୍ତି, ଭଗବତ୍ ସିଦ୍ଧାନ୍ତ ଆଦି ବିଷୟରେ ତାତ୍ତ୍ୱିକ ବର୍ଣ୍ଣନା ରହିଛି ଏଥିପାଇଁ ବହୁଶାସ୍ତ୍ର ଗ୍ରନ୍ଥମାନଙ୍କୁ ପ୍ରାମାଣିକତା ଭାବରେ ଗ୍ରହଣ କରାଯାଉଛି ।

 

ପ୍ରତିପାଦ୍ୟ ବିଷୟ ଦୃଷ୍ଟିରୁ ଭକ୍ତି ସମ୍ବନ୍ଧରେ ଏହାକୁ ଏକ ଉପାଦେୟ ପ୍ରାମାଣିକ ଗ୍ରନ୍ଥ ଭାବରେ ସ୍ୱୀକାର କରାଯାଇପାରେ ।

 

୧୦) ଶ୍ରୀ ନିତ୍ୟଗୁପ୍ତ ଚୂଡ଼ାମଣି- ଶ୍ରୀଜଗନ୍ନାଥଙ୍କ ପୂଜାପଦ୍ଧତି ଉପରେ ଏହା ଆଧାରିତ । ଏତଦ୍‌ବ୍ୟତୀତ ଦ୍ୱାବିଂଶ ବା ୨୨ଗୋଟି ଆସ୍ୱାଦ୍ୟ (ଅଧ୍ୟାୟ)ରେ ବିଭକ୍ତ ଏହି ଗ୍ରନ୍ଥରେ ଶୁଦ୍ଧାଭକ୍ତି, ପ୍ରେମଭକ୍ତି, ନବଧାଭକ୍ତିତତ୍ତ୍ୱ ଗୁରୁଶିଷ୍ୟ ପ୍ରଶ୍ନୋତ୍ତର କ୍ରମରେ ରଚିତ । ଏହି ଗ୍ରନ୍ଥରେ ଶ୍ରୀମଦ୍ ଭାଗବତ, ଗୌତମୀତନ୍ତ୍ର, ବାମନ ପୁରାଣ, ବ୍ରହ୍ମପୁରାଣ, ଶିବପୁରାଣ, ମାର୍କଣ୍ଡେୟ ପୁରାଣ, ବ୍ରହ୍ମସଂହିତା, ବଳଭଦ୍ର ସଂହିତା, ନାରଦ ପଞ୍ଚରାତ୍ର, ପ୍ରେମରସାର୍ଣ୍ଣବ, ଭକ୍ତି ରସାର୍ଣ୍ଣବ ଆଦିର ବାକ୍ୟାବଳୀକୁ ପ୍ରମାଣ ରୂପରେ ଗ୍ରହଣ କରାଯାଇଛି ।

 

ଏହି ଗ୍ରନ୍ଥର ୨୦ତମ ଆସ୍ୱାଦ୍ୟରେ ଜଗନ୍ନାଥ ଦାସ ସ୍ତ୍ରୀ ରୂପଧାରଣ କରି ପ୍ରତାପରୁଦ୍ରଙ୍କ ରାଣୀ ଗୌରୀମଣି ଦେବୀଙ୍କୁ ଦୀକ୍ଷାଦେବା କଥା ବର୍ଣ୍ଣିତ । ଏହାଛଡ଼ା ଶୌଚାଚାର ବିଧି, ବୈଷ୍ଣବ ବନ୍ଦନା, ପୁରୁଷୋତ୍ତମ ମାହାତ୍ମ୍ୟ ଏବଂ ବିଭିନ୍ନ ଦେବଦେବୀ ସ୍ତୁତି ରହିଛି ।

 

୧୧) ଉପାସନା ଶତକମ୍- ଜଗନ୍ନାଥ ଦାସଙ୍କଦ୍ୱାରା ବିରଚିତ ଉପାସନା ଶତକମ୍ ସଂସ୍କୃତ ଆଧ୍ୟାତ୍ମ ଜଗତପାଇଁ ଏକ ଶ୍ରେଷ୍ଠ ରଚନା । ୧୦୨ ପଦ ବିଶିଷ୍ଟ ଏହା ଏକ କୃଷ୍ଣଭକ୍ତି ମୂଳକ ରଚନା । ଏହାର ପ୍ରଥମ ଷାଠିଏଟି ଶ୍ଳୋକ ବିଶୁଦ୍ଧ ପ୍ରେମଲକ୍ଷଣାଭକ୍ତି ପ୍ରସଙ୍ଗ ବର୍ଣ୍ଣିତ । ତେବେ ଜଗନ୍ନାଥ ଦାସ ଏଥିରେ ତ୍ରିମୂର୍ତ୍ତି ତତ୍ତ୍ୱ ସହିତ ରାଧାକୃଷ୍ଣ ଗୋଲକଧାମର ନିତ୍ୟ ବିହାର ତତ୍ତ୍ୱକୁ ସମ୍ମିଶ୍ରିତ କରାଇ ଦେଇଛନ୍ତି । କାରଣ ପ୍ରଥମ ଶ୍ଳୋକରେ ହିଁ କହିଛନ୍ତି- ଜଗତର ସମସ୍ତ ଜୀବଙ୍କ ମଧ୍ୟରେ ହିରଣ୍ୟଗର୍ଭ ରୂପରେ ଶ୍ରୀଜଗନ୍ନାଥ, ସୁଭଦ୍ରା ଓ ସୁଦର୍ଶନ ରହିଛନ୍ତି । ସେହିପରି ଜ୍ୟୋତିର୍ମୟ ବ୍ରହ୍ମଲୋକରେ ଶ୍ରୀକୃଷ୍ଣ ଆଦ୍ୟାଶକ୍ତି ଶ୍ରୀରାଧାଙ୍କ ସହିତ ନିତ୍ୟ ବିହାର କରୁଛନ୍ତି । ପୁନଶ୍ଚ ସପ୍ତମ ଓ ଅଷ୍ଟମ ଶ୍ଳୋକରେ କହିଛନ୍ତି ନୀଳାଦ୍ରିନାଥ ଜଗନ୍ନାଥ ଏବଂ ଯମୁନାତୀରବାସୀ ରାଧାକୃଷ୍ଣ ଅଭିନ୍ନ ଅଟନ୍ତି । କୂଟସ୍ଥ ଜଗନ୍ନାଥଙ୍କ ପ୍ରକାଶ୍ୟରୂପ ଭାବରେ ବୃନ୍ଦାବନରେ ରାଧାକୃଷ୍ଣ ନିତ୍ୟଲୀଳା କରୁଛନ୍ତି । ଦଶମ ଶ୍ଳୋକଠାରୁ ରାଧା ଓ କୃଷ୍ଣଙ୍କ ପ୍ରକୃତି ପୁରୁଷତତ୍ତ୍ୱ, ଦିବ୍ୟବୃନ୍ଦାବନ, ଚଉଷଠୀ କଳା ପୂର୍ଣ୍ଣ ପୂର୍ଣ୍ଣବ୍ରହ୍ମତତ୍ତ୍ୱ, ଜୀବ ଜଗତର ଭକ୍ତି ଲକ୍ଷଣ, ଶ୍ରୀରାଧାଙ୍କ ହ୍ଲାଦିନୀ ଶକ୍ତି ଲକ୍ଷଣ, ଚତୁର୍ବ୍ୟୂହବାଦ, ତ୍ରିସ୍ଥାନ-ତ୍ରିସର୍ଗ-ତ୍ରୟାକ୍ଷର-ତ୍ରିମାତ୍ର ଏବଂ ଅର୍ଦ୍ଧମାତ୍ର ଲକ୍ଷଣ ଆଦିର ବର୍ଣ୍ଣନା ଷାଠିଏ ଶ୍ଳୋକ ମଧ୍ୟରେ ରହିଛି । ଏହାପରେ ତତ୍ତ୍ୱ ପଞ୍ଚଶ୍ଳୋକୀ ଭାବରେ ଚଉଷଠୀରୁ ଅଠଷଠୀ ଶ୍ଳୋକ ମଧ୍ୟରେ ମନ୍ତ୍ରମୟ ବିଗ୍ରହଙ୍କ ତତ୍ତ୍ୱ ବର୍ଣ୍ଣିତ । ଏହାପରେ ଗୋଲକ ବୈକୁଣ୍ଠ ଧାମର ଅଭିଷ୍ଟ ଦେବତା, ବତିଶ ଅବତାରର ସୂଚନା, ଶ୍ରୀକୃଷ୍ଣ ଓ ଶ୍ରୀଜଗନ୍ନାଥଙ୍କ ଅଭେଦତ୍ୱ, ପୁରୁଷୋତ୍ତମ କ୍ଷେତ୍ରର ନିତ୍ୟ ବୃନ୍ଦାବନତ୍ୱ, ପ୍ରଳୟ କାଳରେ ଶ୍ରୀକ୍ଷେତ୍ରର ଅବିଚଳିତ ସ୍ଥିତି, ମହୋଦଧି ଓ ପୁରୁଷୋତ୍ତମ କ୍ଷେତ୍ରର ମାହାତ୍ମ୍ୟ, ଜୀବାତ୍ମାର ପରମାତ୍ମାଙ୍କ ସହିତ ମିଳନ ରହସ୍ୟ ଆଦିର ସୁନ୍ଦର ବର୍ଣ୍ଣନା ରହିଛି ।

 

୧୨) ପାଷଣ୍ଡ ଦଳନମ୍- ଏହାକୁ ଜଗନ୍ନାଥ ଦାସଙ୍କ ସ୍ୱକୀୟ ରଚନା ଭାବରେ ଆମେ ଗ୍ରହଣ କରିପାରିବା ନାହିଁ । ଏଥିରେ ବୈଷ୍ଣବ ଆଚାର, ଧର୍ମଭାବନା ଆଦିକୁ ଆଧାର କରି ବିଭିନ୍ନ ପୁରାଣଗ୍ରନ୍ଥରୁ ୭୪ ଗୋଟି ସଂସ୍କୃତ ଶ୍ଳୋକ ଉଦ୍ଧାର କରାଯାଇଛି ଏବଂ ତା ସହିତ ଓଡ଼ିଆରେ ମଧ୍ୟ ପଦ୍ୟାନୁବାଦ ଦେଇଛନ୍ତି । ଏହାର ଆରମ୍ଭରେ କୌଣସି ମଙ୍ଗଳାଚରଣ ନାହିଁ କିମ୍ବା ଶେଷରେ ମଧ୍ୟ କୌଣସି ପୁଷ୍ପିକା ନାହିଁ । ଏପରିକି ଜଗନ୍ନାଥ ଦାସଙ୍କ ନାମ ଭଣିତା ମଧ୍ୟ ହୋଇନାହିଁ । କେବଳ ପରମ୍ପରାକ୍ରମେ ଜଗନ୍ନାଥ ଦାସଙ୍କ ରଚନାଭାବେ ଅନୁମାନ କରାଯାଇ ଆସୁଛି ।

 

୧୩) ନୀଳାଦ୍ରି ଚନ୍ଦ୍ରିକା- ୧୧୯ ଶ୍ଳୋକ ବିଶିଷ୍ଟ ଏହି କ୍ଷୁଦ୍ର ପୁସ୍ତକଟିରେ ଗୁରୁଶିଷ୍ୟ ପ୍ରଶ୍ନୋତ୍ତର କ୍ରମରେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିରେ ଶ୍ରୀରାଧାକୃଷ୍ଣଙ୍କ ଯୁଗଳତତ୍ତ୍ୱ, ଯନ୍ତ୍ର ଓ ମନ୍ତ୍ରରୂପ ଶ୍ରୀଜଗନ୍ନାଥ ତତ୍ତ୍ୱ, ଷୋଡ଼ଶାକ୍ଷର ମନ୍ତ୍ର ପ୍ରସଙ୍ଗ ଆଲୋଚିତ । ମାତ୍ର ଏଥିରେ ଜଗନ୍ନାଥ ଦାସଙ୍କ ନାମରେ ଭଣିତା ନାହିଁ କେବଳ ଏହା ତାଙ୍କ ରଚନା ବୋଲି ପ୍ରଚଳିତ ହୋଇଆସୁଛି ।

 

(ଗ) ବ୍ରଜବୋଲି ରଚନା

 

ଅତିବଡ଼ୀ ଜଗନ୍ନାଥ ଦାସ ବ୍ରଜବୋଲିରେ ମଧ୍ୟ କିଛି କୃତି ଛାଡ଼ି ଯାଇଛନ୍ତି । ଯାହାର ସଂକ୍ଷେପ ଆଲୋଚନା ଏଥିରେ କରାଯାଇପାରେ-

 

୧) ବ୍ରଜବୋଲି ପଦାବଳୀ- ଅତିବଡ଼ୀ ଜଗନ୍ନାଥ ଦାସ ଅନେକଗୁଡ଼ିଏ ଦାର୍ଶନିକ ଭାବସଂପନ୍ନ, ଭକ୍ତି ରସାତ୍ମକ କବିତା ବ୍ରଜବୋଲି ଭାଷାରେ ରଚନା କରିଥିଲେ । ଦୁର୍ଭାଗ୍ୟକୁ ତାହା ଆମପାଇଁ ଦୁଃସ୍ପ୍ରାପ୍ୟ ହୋଇଯାଇଥିଲେ ହେଁ ଡଃ ସୁକୁମାର ସେନ୍ ବ୍ରଜବୋଲି ସାହିତ୍ୟର ଇତିହାସ ପୁସ୍ତକରେ ଏଥିରୁ କିଛି ସଂକଳିତ କରି ରଖିଛନ୍ତି ।

 

୨) ଶରତ ରାସ- ଯଦିଓ ଏହା ସଂସ୍କୃତରେ ରଚିତ କିନ୍ତୁ ଏହାର ଅର୍ଥକୁ ଜଗନ୍ନାଥ ଦାସ ବ୍ରଜବୋଲି ଭାଷାରେ ପଦ୍ୟ ଆକାରରେ ଲେଖିଛନ୍ତି । ନବାକ୍ଷରୀ ବୃତ୍ତର ଏ ରଚନାକୁ ବ୍ରଜବୋଲିରେ ପହଲି ବୋଲି ଉଲ୍ଲେଖ କରାଯାଇଛି ।

 

୩) ରାହାସ- ଉତ୍କଳ ବିଶ୍ୱବିଦ୍ୟାଳୟ ପୋଥି ବିଭାଗରେ ସଂରକ୍ଷିତ । ଏହା ଓଡ଼ିଆ ଚଉତିଶା ଶୈଳୀରେ ରଚିତ । ଚଉତ୍ରିଶ ଗୋଟି ଚତୁଃପାଦୀରେ ରାସକ୍ରୀଡାକୁ ସଂପୂର୍ଣ୍ଣ ସଂକ୍ଷେପରେ ପ୍ରଦାନ କରିଛନ୍ତି । ମୁଖ୍ୟ କଥା ହେଲା ଏଥିରେ ବୃନ୍ଦାବତୀଙ୍କ ଶ୍ରେଷ୍ଠତ୍ୱ ରହିଛି ।

 

ଉପରୋକ୍ତ ରଚନାଗୁଡ଼ିକ ବ୍ୟତୀତ ଆହୁରି ଅନେକ ରଚନା ଜଗନ୍ନାଥ ଦାସଙ୍କ ନାମରେ ଭଣିତା ହୋଇ ନଥିଲେ ମଧ୍ୟ ଲୋକ ପ୍ରଚାରରେ ଜଗନ୍ନାଥ ଦାସଙ୍କର ବୋଲି ରହିଆସିଛି ଯାହା ଏଠାରେ ଉଲ୍ଲେଖ କରାଯାଇନାହିଁ ।

Image

 

ଜଗନ୍ନାଥ ଦାସଙ୍କ ସାଧନୀ ପୀଠ

 

ଅତିବଡ଼ୀ ଜଗନ୍ନାଥ ଦାସଙ୍କ ସାଧନାର କ୍ଷେତ୍ର ଭାବରେ ଆମେ ତିନିଗୋଟି ସ୍ଥାନକୁ ଗ୍ରହଣ କରି ପାରିବା । ପ୍ରଥମତଃ ଶ୍ରୀଜଗନ୍ନାଥ ମନ୍ଦିର ଭିତର ବେଢାସ୍ଥ ବଟ ଗଣେଶଙ୍କ ନିକଟସ୍ଥ ସ୍ଥାନ । ଦ୍ୱିତୀୟରେ ପ୍ରତାପରୁଦ୍ର ଦେବଙ୍କ ପାଟ୍ଟରାଣୀଙ୍କଠାରୁ ପ୍ରାପ୍ତ ରାଣୀ ନଅର ଯାହା ବଡ଼ଓଡ଼ିଆ ମଠ ଭାବରେ ପରିଚିତ । ତୃତୀୟଟି ସ୍ୱର୍ଗଦ୍ୱାର ନିକଟବର୍ତ୍ତୀ ସାତଲହଡ଼ି ମଟ, ଯେଉଁଠାରେ ସାଧନାରତ ଅବସ୍ଥାରେ ସେ ବ୍ରହ୍ମଲୀନ ହୋଇଥିଲେ ।

 

୧) ଜଗନ୍ନାଥ ଦାସଙ୍କ ଆଦ୍ୟ ସାଧନା ସ୍ଥଳୀ- ମାଧବ ପଟ୍ଟନାୟକଙ୍କ ରଚିତ ବୈଷ୍ଣବ ଲୀଳାମୃତ ଅନୁସାରେ ଜଗନ୍ନାଥ ଦାସ ତାଙ୍କ ସର୍ବଶ୍ରେଷ୍ଠ ଗ୍ରନ୍ଥ ଭାଗବତର ବିଶ୍ଳେଷଣ ଓ ଭାଗବତର ଓଡ଼ିଆ ଅନୁବାଦର ଅୟମାରମ୍ଭ ବଟଗଣେଶଙ୍କ ନିକଟରୁ ଆରମ୍ଭ କରିଥିଲେ । ଜଗନ୍ନାଥ ଦାସଙ୍କ ସଖା ଓ ପରେ ଶିଷ୍ୟତ୍ୱ ଗ୍ରହଣ କରିଥିବା କହ୍ନାଇ ଖୁଣ୍ଟିଆ, ବଟଗଣେଶଙ୍କ ନିକଟରେ ଏକ ରାହାସ ମଣ୍ଡପ ନିର୍ମାଣ କରି ଦେଇଥିଲେ । ମଣ୍ଡପ ମଧ୍ୟରେ କ୍ଷୁଦ୍ର ସିଂହାସନ ଉପରେ ରାଧାକୃଷ୍ଣ ମୂର୍ତ୍ତି ସ୍ଥାପନା କରି ସେହିଠାରେ ଜଗନ୍ନାଥ ଦାସଙ୍କ ରହିବାର ବ୍ୟବସ୍ଥା କରି ଦେଇଥିଲେ । କବିଙ୍କ ଭାଷାରେ-

 

ପୁରାଣ ପାଠ ଏଥେ ହୋଇ ।

ସ୍ୱାମୀ ଭାଗବତ ରଚଇ ॥

ତତ୍ତ୍ୱ ପ୍ରସଙ୍ଗ ଚର୍ଚ୍ଚା କରେ ।

କୃଷ୍ଣର ଲୀଳା ମଧୁ ଝରେ ॥

 

କେବଳ ପୁରାଣ ଚର୍ଚ୍ଚା ବା ସାହିତ୍ୟ ସାଧନା ଏଠାରେ ହେଉନଥିଲା । ଶ୍ରୀଚୈତନ୍ୟଙ୍କ ଶ୍ରୀକ୍ଷେତ୍ର ଆଗମନର ଯଥେଷ୍ଟ ପୂର୍ବରୁ ଏଠାରେ ନାମ ସଂକୀର୍ତ୍ତନ ଏବଂ ନାମ ସଂକୀର୍ତ୍ତନର ଶିକ୍ଷା ପ୍ରଦାନ ମଧ୍ୟ କରୁଥିଲେ । ଓଡ଼ିଶୀ ସଂକୀର୍ତ୍ତନର ଧାରାକୁ ଏଠାରେ ରାହାସ ଭାବରେ ଉଲ୍ଲେକ କରାଯାଇଛି । ବୈଷ୍ଣବ ଲୀଳାମୃତର ବର୍ଣ୍ଣନା ଅନୁସାରେ-

 

କହ୍ନାଇ ଏହା ନିର୍ମାଣିଲା ।

ସ୍ୱାମୀ ରାହାସ ଶିକ୍ଷା ଦେଲା ॥

ବଳରାମ ଅଚ୍ୟୁତ ଯଶୋବନ୍ତ ।

ଅନନ୍ତ ସଖାପଣେ ଖ୍ୟାତ ॥

ଗୋପାଳ ଗୁରୁ ଯେ କହ୍ନାଇ ।

ରାସ ମଣ୍ଡପେ ମେଳ ହୋଇ ॥

ରଚନ୍ତି ସଂକୀର୍ତ୍ତନ ନୀତି ।

ରାତ୍ର ଦିବସ ନଜାଣନ୍ତି ॥

 

ପୁନଶ୍ଚ-

କଲେକ ରାସ ଅହର୍ନିଶ ।

ଭଗତ ଜନଙ୍କ ଆଶ୍ୱାସ ॥

ଝାଞ୍ଜ ମୃଦଙ୍ଗ କଳରୋଳ ।

ଗମ୍ଭୀରା ମଧ୍ୟ ଯେ ଚହଳ ॥

 

ମନେହୁଏ ରାହାସ ମଣ୍ଡପର ଉପର ବର୍ଣ୍ଣିତ ଘଟଣାକ୍ରମ ହିଁ ପରବର୍ତ୍ତୀ ସମୟରେ ସେଠାକୁ ଚୈତନ୍ୟଙ୍କୁ ଟାଣି ଆଣିଥିଲା । ତାପରେ ଜଗନ୍ନାଥ ଦାସ ଏବଂ ଚୈତନ୍ୟଙ୍କ ମଧ୍ୟରେ ସଂପର୍କର ଦୃଢ଼ତା ବଢ଼ିଥିଲା । ଯେଉଁ କାରଣରୁ ମାନ୍ୟତା ପ୍ରଦର୍ଶନପୂର୍ବକ ଜଗନ୍ନାଥ ଦାସଙ୍କୁ ଚୈତନ୍ୟ ସ୍ୱାମୀବୋଲି ସମ୍ବୋଧନ କରୁଥିଲେ ଏବଂ ଜଗନ୍ନାଥ ଦାସ ଚୈତନ୍ୟଙ୍କୁ ପ୍ରଭୁବୋଲି ସମ୍ବୋଧିତ କରୁଥିଲେ ।

 

ଚୈତନ୍ୟଙ୍କ ସହିତ ସାକ୍ଷାତ୍‍ ପରେ ଐଶ୍ୱର୍ଯ୍ୟ ଜ୍ଞାନମିଶ୍ରା ଭକ୍ତିର ସାଧକ ଜଗନ୍ନାଥ ଦାସଙ୍କର ପରିସର ଓ ପ୍ରସିଦ୍ଧି ବଢ଼ିବା ସହିତ ଅତିବଡ଼ୀ ସଂପ୍ରଦାୟର ସୃଷ୍ଟି ହୋଇଥିଲା । ସାଧକ ଜଗନ୍ନାଥ ଦାସଙ୍କ ସାଧନା, ଜ୍ଞାନ, ପରାକାଷ୍ଠା ଓ ଅଲୌକିକତାରେ ମୁଗ୍‌ଧ ପ୍ରତାପରୁଦ୍ର ଦେବ ଏବଂ ତାଙ୍କ ରାଣୀ ଗୌରୀମଣି ପାଟ୍ଟ ମହାଦେବୀ ତାଙ୍କୁ ଏକ ମହତ୍ତର ଆସନ ପ୍ରଦାନ କରିଥିଲେ । ଏପରିକି ରାଣୀ ତାଙ୍କର ପ୍ରଥମ ଷୋଡ଼ଶ ଶିଷ୍ୟମାନଙ୍କ ମଧ୍ୟରୁ ଅନ୍ୟତମା ଭାବରେ ରାଣୀ ନଅରକୁ ସାଧନା ସ୍ଥଳୀ କରିବାପାଇଁ ଜଗନ୍ନାଥ ଦାସଙ୍କୁ ପ୍ରଦାନ କରିଥିଲେ ।

 

୨) ବଡ଼ ଓଡ଼ିଆ ମଠ- ଅତିବଡ଼ୀ ଜଗନ୍ନାଥ ଦାସଙ୍କ ମୁଖ୍ୟ ସାଧନାପୀଠ ଭାବରେ ବଡ଼ ଓଡ଼ିଆ ମଠକୁ ହିଁ ଗ୍ରହଣ କରାଯାଇପାରେ । ଜଗନ୍ନାଥ ଦାସ ଥିଲେ ଅତିବଡ଼ୀ ସଂପ୍ରଦାୟର ସ୍ରଷ୍ଟା । ପ୍ରଥମେ ସେ ଅଦ୍ୱୈତବାଦୀ ଶ୍ରୀଧର ସ୍ୱାମୀଙ୍କ ଭାବ ଗ୍ରହଣ କରିଥିଲେ ହେଁ ପରବର୍ତ୍ତୀ ସମୟରେ ଦ୍ୱୈତବାଦୀ ମାଧ୍ୱାଚାର୍ଯ୍ୟଙ୍କ ବୈଷ୍ଣବୀୟ ଦର୍ଶନକୁ ଆଧାର କରି ନିଜର ଏକ ସ୍ୱତନ୍ତ୍ର ଶାଖା ବା ସଂପ୍ରଦାୟର ଅୟମାରମ୍ଭ କରିଥିଲେ ।

 

ଏହି ଶାଖାର ଚିହ୍ନ ଥିଲା ମସ୍ତକରେ ହରିପଦାକୃତ ଚିତ୍ତା । ଯାହାକି ଦେଖିବାକୁ ଇଂରାଜୀ କ୍ୟାପିଟାଲ ଅକ୍ଷର ‘ଟି’ ଭଳି । ହୃଦୟରେ ପୂର୍ଣ୍ଣବ୍ରହ୍ମ, ବାହୁରେ ଅର୍ଦ୍ଧଚକ୍ର, ବାହୁର ଦଣ୍ଡରେ ହରି ପଦାକୃତି ତିଳକ (ଅତିବଡ଼ୀ ସଂପ୍ରଦାୟ ସଂପର୍କୀୟ ବିଷଦ ବିବରଣୀ ଏହି ପୁସ୍ତକସ୍ଥ “ଜଗନ୍ନାଥ ଦାସଙ୍କ ଅତିବଡ଼ୀ ପରମ୍ପରା ଓ ସଂପ୍ରଦାୟ” ପ୍ରବନ୍ଧରେ ରହିଛି) । ସଂପ୍ରଦାୟ ପ୍ରତିଷ୍ଠା ହେବା ପରଠାରୁ ବଡ଼ ଓଡ଼ିଆ ମଠରେ ଅବସ୍ଥାନ କରି ଜଗନ୍ନାଥ ଦାସ, ତାଙ୍କର ସମସ୍ତ ଆଧ୍ୟାତ୍ମ କୃତିକୁ ରଚନା କରିବା ସହିତ ଶ୍ରୀ ଚୈତନ୍ୟ, ରାୟରାମାନନ୍ଦ, ସାର୍ବଭୌମ ଭଟ୍ଟାଚାର୍ଯ୍ୟ, କାଶୀ ମିଶ୍ର ପ୍ରଭୃତି ସନ୍ଥ ଏବଂ ପଣ୍ଡିତ ମଣ୍ଡଳୀକୁ ନେଇ ‘ଇଷ୍ଟଗୋଷ୍ଠୀ’ ଗଠନ କରିଥିଲେ । ଏହି ଇଷ୍ଟ ଗୋଷ୍ଠୀରେ ବଳରାମ ଦାସ, ଲୋଲ୍ଲ ଲକ୍ଷ୍ମୀଧର, ସ୍ୱରୂପ ଦାମୋଦର, କହ୍ନାଇ ଖୁଣ୍ଟିଆ, ଶିବାନନ୍ଦ ସେନ ପ୍ରଭୃତି ସନ୍ଥ ଏବଂ ସାଧକଗଣ ମଧ୍ୟ ଉତ୍ତର ପାର୍ଶ୍ୱ ମଣ୍ଡପ ଉପରେ ବସି ଶାସ୍ତ୍ରାର୍ଥ କରିବା ସହିତ ପରସ୍ପର ପରସ୍ପରର କୃତିକୁ ଆଲୋଚନା କରୁଥିଲେ । ଏହି ମଣ୍ଡପଠାରେ ହିଁ ହରେ ରାମକୃଷ୍ଣ ମନ୍ତ୍ର ସଂପର୍କରେ ବିବାଦର ସମାଧାନ କରାଯାଇଥିଲା ।

 

ବୈଷ୍ଣବ ଲୀଳାମୃତର ବର୍ଣ୍ଣନା ଅନୁସାରେ କୃଷ୍ଣଦେବ ରାୟଙ୍କ ସହିତ ପ୍ରତାପରୁଦ୍ର ଦେବଙ୍କର ଯୁଦ୍ଧ ଚାଲିଥିବା ସମୟରେ ଲୋକଚେତନାରେ ସୃଷ୍ଟି ହୋଇଥିବା ଅରାଜକତା ଏବଂ ଅସୁରକ୍ଷାର ଭାବ ଦୂର କରି ନୈତିକତାର ମନ୍ତ୍ର ପ୍ରଦାନ କରିବାପାଇଁ ଇଷ୍ଟଗୋଷ୍ଠୀ ଗ୍ରାମ ଗ୍ରାମ ବୁଲି କୀର୍ତ୍ତନ କରିବା ଆରମ୍ଭ କରିଥିଲେ । ଏହା ଥିଲା ପ୍ରାୟ ୧୫୧୬-୧୭ ଖ୍ରୀଷ୍ଟାବ୍ଦବେଳର ଘଟଣା । ତେବେ ୧୫୧୯ ମସିହା ବେଳକୁ କୃଷ୍ଣ ଦେବରାୟଙ୍କ ସହିତ ସନ୍ଧି କରିବା ପରେ ଭଗ୍ନ ମନୋରଥ ପ୍ରତାପରୁଦ୍ର ଦେବ ବୈଷ୍ଣବ ଗୋଷ୍ଠୀର ନିକଟବର୍ତ୍ତୀ ହେବାକୁ ଲାଗିଲେ । ରାଜାଙ୍କ ମାନସିକ ଶାନ୍ତିପାଇଁ ଜଗନ୍ନାଥ ଦାସଙ୍କ ନେତୃତ୍ୱରେ ଓଡ଼ିଆ ମଠ ପରିସରରେ ସଂକୀର୍ତ୍ତନର କାର୍ଯ୍ୟକ୍ରମ ଆରମ୍ଭ ହେଲା । ପ୍ରତାପରୁଦ୍ରଙ୍କ ବିକଳଭାବ ସଂପର୍କରେ ବର୍ଣ୍ଣନା କରି ମାଧବ ପଟ୍ଟନାୟକ ଲେଖିଛନ୍ତି-

 

ସ୍ୱାମୀପାଦେଣ ଶିର ଥାପି ।

ପ୍ରଭୁ ପାଦେଣ ଶିର ଥାପି ॥

ସ୍ୱାମୀକୁ ବୋଲେ ନାମ ଦିଅ ।

ପ୍ରଭୁକୁ ବୋଲେ ସମଜାଅ ॥

ଭକତି ତତ୍ତ୍ୱ ସେ ଶୁଣିଲେ ।

ମନକୁ କେତେ ପ୍ରବୋଧିଲେ ॥

ବଳରାମ ଅଚ୍ୟୁତ ଅନନ୍ତ ।

ଯଶୋବନ୍ତ ଯେ ଜଗନ୍ନାଥ ॥

ମଧ୍ୟେଣ ଚୈତନ୍ୟରହଇ ।

କୀର୍ତ୍ତନ ନୃତ୍ୟ ସେ କରଇ ॥

 

ଏହାପରେ ଅର୍ଥାତ୍ ୧୫୨୦ ଖ୍ରୀଷ୍ଟାବ୍ଦଠାରୁ ଚୈତନ୍ୟଙ୍କ ମହାପ୍ରୟାଣ ପର୍ଯ୍ୟନ୍ତ ପ୍ରାୟ ବାର ତେର ବର୍ଷ ଧରି ଇଷ୍ଟଗୋଷ୍ଠୀ ଓଡ଼ିଶାର ବିଭିନ୍ନ ସ୍ଥାନରେ ବୁଲି ସଂକୀର୍ତ୍ତନ କରିବାକୁ ଯାଉଥିଲେ । ଯାହାର ନେତୃତ୍ୱ ନେଉଥିଲେ ପ୍ରଭୁ ଏବଂ ସ୍ୱାମୀ । ଅର୍ଥାତ୍ ଚୈତନ୍ୟ ଏବଂ ଜଗନ୍ନାଥ ଦାସ । ଏହି ଗୋଷ୍ଠୀ ଆଷାଢ଼ କୃଷ୍ଣ ପ୍ରତିପଦାଠାରୁ ଯାଇ ରାୟ ରାମାନନ୍ଦଙ୍କ ଗୃହ ବେଣ୍ଟପୁରଠାରେ ଅବସ୍ଥାନ କରି ଅଲାରନାଥଙ୍କ ଦର୍ଶନ ସହ କୀର୍ତ୍ତନ କରିଥାନ୍ତି । ଆଷାଢ଼ ଆମାବାସ୍ୟାକୁ ପୁରୀ ଫେରି ରଥଯାତ୍ରା ଶେଷ ପର୍ଯ୍ୟନ୍ତ ପୁରୀଠାରେ, ଗୁଣ୍ଡିଚା ମନ୍ଦିର ଏବଂ ରଥ ସମ୍ମୁଖରେ କୀର୍ତ୍ତନ କରୁଥିଲେ । ପୌଷ ପୂର୍ଣ୍ଣମୀ ତିଥିରେ ଏକାମ୍ର କ୍ଷେତ୍ର ଯାଇ ଅନନ୍ତ ବାସୁଦେବ ମନ୍ଦିରରେ ଅବସ୍ଥାନ କରି କୀର୍ତ୍ତନ କରିବା ସହ କୃତ୍ତିବାସକୁ ତୁଳସୀ ଓ ବେଲପତ୍ରରେ ପୂଜା କରୁଥିଲେ । ସେଠାରୁ ନିଆଳି ମାଧବ ଯାତ୍ରା କରି ପ୍ରାଚୀରେ ସ୍ନାନ କରି ମାଧବଙ୍କ ପାଖରେ କୀର୍ତ୍ତନ କରୁଥିଲେ । ଏଠାରେ ମକର ମେଳା ପ୍ରସିଦ୍ଧ ଥିଲା । ତେଣୁ ସେହି ଅବସରରେ କୀର୍ତ୍ତନ ମାଧ୍ୟମରେ ଆଧ୍ୟାତ୍ମିକ ଭାବର ପ୍ରଚାର କରୁଥିଲେ । ସେଠାରୁ ଜୟଦେବଙ୍କ ଗ୍ରାମ କେନ୍ଦୁଲିକୁ ଯାଇ କୀର୍ତ୍ତନ ରସ ପ୍ରସାର କରିବା ପରେ ଚନ୍ଦ୍ରଭାଗାକୁ ଯାତ୍ରା କରୁଥିଲେ । ଚନ୍ଦ୍ରଭାଗାଠାରେ ତିଳ ସପ୍ତମୀ ଅବସରରେ ଅନୁଷ୍ଠିତ ମେଳାରେ ସଂକୀର୍ତ୍ତନ ସହ ସୂର୍ଯ୍ୟ ଉପାସନା କରୁଥିଲେ ।

 

ଚନ୍ଦ୍ରଭାଗାରେ କୀର୍ତ୍ତନ ସାରି କାକଟପୁର ମଙ୍ଗଳାଙ୍କଠାରେ କୀର୍ତ୍ତନ କରିବା ସହ ଠାକୁରାଣୀଙ୍କୁ ଦର୍ଶନ କରୁଥିଲେ ତତ୍‌ପଶ୍ଚାତ୍ ପୁରୀ ଫେରି ଆସୁଥିଲେ । ପୁନଶ୍ଚ ପ୍ରତିବର୍ଷ ଦୋଳପୂର୍ଣ୍ଣମୀ ବେଳକୁ କଟକ ଯାତ୍ରା କରି ଗଜପତିଙ୍କ ନଅର ମେଳାରେ ଯୋଗଦେଇ କୀର୍ତ୍ତନ କରୁଥିଲେ । ଏଠାରେ ସ୍ୱୟଂ ରାଜା ଏବଂ ରାଣୀ ବୈଷ୍ଣବମାନଙ୍କ ସେବାରେ ନିଜକୁ ସମର୍ପିତ କରୁଥିଲେ । ସେଠାରୁ ଚୈତ୍ର ମାସରେ ବିରଜା କ୍ଷେତ୍ରକୁ ଯାତ୍ରା କରୁଥିଲେ । ବୈକୁଣ୍ଠ ପଟ୍ଟନାୟକଙ୍କ ଭାଷାରେ-

 

ତହିଁ ଚଳନ୍ତି ବିରଜାଇ ।

ବୈତରଣୀରେ ଅବଗାହୀ ॥

ଦଶାଶ୍ୱମେଧ ଘାଟେ ଥାନ ।

କରନ୍ତି ବୈଷ୍ଣବେ କୀର୍ତ୍ତନ ॥

 

ଏଠାରୁ ପୁରୀ ଫେରିବା ପଥରେ ତୁଳସୀ କ୍ଷେତ୍ରକୁ ଯାଇ କୀର୍ତ୍ତନ କରୁଥିଲେ । କୀର୍ତ୍ତନର ଶୈଳୀ, ପଦଚାଳନା ଓ ତାଳ ଆଦି ବିଷୟରେ ନିର୍ଦ୍ଦେଶ ଦେଉଥିଲେ ଜଗନ୍ନାଥ ଦାସ । ବୈଷ୍ଣବ ଲୀଳାମୃତ ବର୍ଣ୍ଣନା ଅନୁସାରେ-

ସ୍ୱାମୀ ଯେ ଅଟଇଟି ଗୁରୁ ।

କୀର୍ତ୍ତନ ରସ ମହାମେରୁ ॥

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଥିଲା ଶ୍ରୀଚୈତନ୍ୟ, ତଥା ଇଷ୍ଟଗୋଷ୍ଠୀ ଯେଉଁ ସ୍ଥାନକୁ କୀର୍ତ୍ତନ କରିବାକୁ ଯାଉଥିଲେ, ସେଠାରେ ପ୍ରଥମେ ସ୍ୱାମୀଙ୍କ (ଜଗନ୍ନାଥ ଦାସଙ୍କ ଭାଗବତ) ପୋଥିକୁ ଆସନ ଉପରେ ରଖି ଦେବତା ଭଳି ପୂଜା କରାଯାଉଥିଲା ଏବଂ ତା ଚାରିପାଖରେ ବୈଷ୍ଣବ ଗୋଷ୍ଠୀ କୀର୍ତ୍ତନ କରୁଥିଲେ । ଯେଉଁ ସ୍ଥାନରେ ଅବସ୍ଥାନ କରୁଥିଲେ ସେଠାରେ ଭାଗବତ ପାଠ ଓ ପ୍ରଚାର କରାଯାଉଥିଲା । ମାଧବ ପଟ୍ଟନାୟକଙ୍କ ଭାଷାରେ-

ସ୍ୱାମୀର ଭାଗବତ ପୋଥି ।

ଦେବତା ଭିଆଣ ପୁଜନ୍ତି ॥

ଶ୍ରୀ ଭାଗବତ ପୋଥି ଯେତେ ।

ଲେଖାଇ ନିଅନ୍ତି ଅନେକେ ॥

ଭାଗବତ ଗ୍ରାମେ ପଢଇ ।

ପୂଜନ୍ତି ଆସନେ ବସାଇ ॥

ସ୍ୱାମୀର ପଦ ଗୀତ ଗାଇ ।

ନୃତନ୍ତି ଖୋଳ ତାଳ ବାଇ ॥

ସାଧକ ସ୍ୱାମୀ ଜଗନ୍ନାଥ ଦାସ ସାଧନାର ବିଭିନ୍ନ ପର୍ଯ୍ୟାୟରେ ଭିନ୍ନ ଭିନ୍ନ ସ୍ଥାନକୁ ଯାତ୍ରା କରୁଥିଲେ ମଧ୍ୟ, ତାଙ୍କ ମୁଖ୍ୟ ସାଧନାପୀଠ ବଡ଼ ଓଡ଼ିଆ ମଠ ତଥା ଶିଷ୍ୟ ପ୍ରଶିଷ୍ୟମାନଙ୍କୁ ସାଧନ ମାର୍ଗ ସଂପର୍କରେ ଦିଗ୍‌ଦର୍ଶନ ଦେଉଥିଲେ । ତତ୍ ସହିତ ସାଧନା ପୀଠର ଉପାସ୍ୟ ଦେବତା ଶ୍ରୀଜଗନ୍ନାଥ, ଇଷ୍ଟ ବିଗ୍ରହ ରାଧାମଣି, ମହାଲକ୍ଷ୍ମୀ, ଆଣ୍ଠୁଆ ଗୋପାଳ, ଲକ୍ଷ୍ମୀନୃସିଂହ, ଅନନ୍ତ ଶୟନ, ଶ୍ରୀ ନାରାୟଣ, ଶ୍ରୀଗୋପୀନାଥଙ୍କ ଉପାସନା ମଧ୍ୟ ମଠ ମଧ୍ୟରେ କରୁଥିଲେ । ସାହିତ୍ୟ ସାଧନା, ଧର୍ମ ସାଧନା ଏବଂ କୀର୍ତ୍ତନ ସେବା ପ୍ରାୟ ୧୫୩୩ ଖ୍ରୀଷ୍ଟାବ୍ଦର ପ୍ରଥମ ପର୍ଯ୍ୟନ୍ତ ଠିକ୍ ଭାବରେ ଚାଲିଥିଲା । ତେବେ ୧୫୩୩ ଖ୍ରୀଷ୍ଟାବ୍ଦ ପ୍ରାୟ ମାର୍ଚ୍ଚ ମାସ (ଫାଲ୍‌ଗୁନ ଶୁକ୍ଳ ଦଶମୀ)ବେଳକୁ ଅତିବଡ଼ୀ ଦୀକ୍ଷାଗୁରୁ ତଥା ପଞ୍ଚସଖା ଗୋଷ୍ଠୀର ଜ୍ୟେଷ୍ଠ ସାଧକ ମତ୍ତ ବଳରାମ ଦାସଙ୍କ ମହାପ୍ରୟାଣ ଘଟିଗଲା । ସେହି ୧୫୩୩ ମସିହା ଅକ୍ଷୟତୃତୀୟା ଦିନ ଅର୍ଥାତ୍ ବଳରାମ ଦାସଙ୍କ ଦେହାନ୍ତର ଦୁଇ ମାସ ପୂର୍ବରୁ ଶ୍ରୀଚୈତନ୍ୟ ଶେଷ ନିଃଶ୍ୱାସ ତ୍ୟାଗ କଲେ । ବଳରାମ ଦାସଙ୍କ ମୃତ୍ୟୁରେ ସ୍ତବ୍ଧ ହୋଇ ଯାଇଥିବା ଅତିବଡ଼ୀ ଶ୍ରୀଚୈତନ୍ୟଙ୍କ ମୃତ୍ୟୁ ପରେ ଖୁବ୍ ଚିତ୍କାର କରି କାନ୍ଦିଥିଲେ । ସେହି ୧୫୩୩ ମସିହା ଫେବୃୟାରୀରେ ସ୍ୱରୂପ ଦାମୋଦରଙ୍କର ମଧ୍ୟ ଦେହାନ୍ତ ହୋଇଯାଇଥିଲା । ତେବେ ଅତିବଡ଼ୀଙ୍କ ପ୍ରରୋଚନାରେ ଆଷାଢ଼ ଶୁକ୍ଳ ସପ୍ତମୀ ତିଥିରେ ଚୈତନ୍ୟ ବ୍ରହ୍ମଲୀନ ହେବାର ଘୋଷଣା ତାତ୍କାଳୀକ ରାଜକୀୟ ଆବଶ୍ୟକତା ଦୃଷ୍ଟିରୁ ପ୍ରତାପରୁଦ୍ରଙ୍କଦ୍ୱାରା ମିଥ୍ୟା ଘୋଷଣା କରାଗଲା ।

ସେହି ୧୫୩୩ ଖ୍ରୀଷ୍ଟାବ୍ଦ ରଥଯାତ୍ରା ପରେ ଭାଦ୍ରବ କୃଷ୍ଣ ଅଷ୍ଟମୀ ଦିନ ଇଷ୍ଟଗୋଷ୍ଠୀ ବସୁଥିବା ମଣ୍ଡପ ଉପରେ ବିଷର୍ଣ୍ଣ ବଦନରେ ସମସ୍ତେ ବସିଥିବାବେଳେ, ହା କୃଷ୍ଣ ବୋଲି ଡାକଟିଏ ଦେଇ ରାୟରାମାନନ୍ଦ ଟଳି ପଡ଼ିଲେ। ମାତ୍ର ସାତ ଆଠ ମାସ ମଧ୍ୟରେ ଆଧ୍ୟାତ୍ମ ସଖାମାନଙ୍କ ଦେହାନ୍ତ ଜଗନ୍ନାଥ ଦାସ ତଥା ଅନ୍ୟମାନଙ୍କୁ ବିଷାଦଗ୍ରସ୍ତ କରି ତୋଳିଲା । ବିଶେଷ ବାବରେ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ମଧ୍ୟରେ ସଂପୂର୍ଣ୍ଣ ବୈରାଗ୍ୟ ଭାବ ଆସିଗଲା । ସେହି ଦିନଠାରୁ ସେ ମନ୍ଦିର ଯିବା ଛାଡ଼ିଦେଲେ । ମାଧବ ପଟ୍ଟନାୟକଙ୍କ ଭାଷାରେ-

ସ୍ୱାମୀ ବୋଇଲେ ନ ଆସିବି ।

ସମୁଦ୍ର କୂଳେଣ ରହିବି ॥

୩) ସାତ ଲହଡ଼ି ମଠ- ସଂସାର ପ୍ରତି ସଂପୂର୍ଣ୍ଣ ବୈରାଗ୍ୟ ଆସିଯିବା ପରେ, ଶିଷ୍ୟ ପ୍ରଶିଷ୍ୟ ତଥା ଭକ୍ତମାନଙ୍କ ଗହଳିରେ ପରିପୂର୍ଣ୍ଣ ବଡ଼ ଓଡ଼ିଆ ମଠ ତ୍ୟାଗ କରି ସ୍ୱର୍ଗଦ୍ୱାର (ଶ୍ମଶାନ) ନିକଟବର୍ତ୍ତୀ ସମୁଦ୍ର କୂଳକୁ ହିଁ ଜୀବନର ଶେଷ ସାଧନା ପୀଠ ଭାବରେ ଗ୍ରହଣ କରି ନେଇ ଏକାନ୍ତ ବାସକୁ ହିଁ ଶ୍ରେୟସ୍କର ମଣିଥିଲେ । ପରିଶେଷରେ ଏହି ସାତଲହଡ଼ି ମଠ ହିଁ ତାଙ୍କର ସମାଧି ପୀଠ ଭାବରେ ପରିଚିତ ହୋଇଥିଲା ।

ଜନଶ୍ରୁତି ଅନୁସାରେ ସମୁଦ୍ରକୁ ସାତଟି ଲହଡ଼ି ପରିମିତ ଭୂମି ତ୍ୟାଗ କରିବାକୁ ଅନୁରୋଧ କରି ସେହି ସ୍ଥାନରେ ଅବଢ଼ା କୁଡୁଆମାନଙ୍କୁ ସଜାଇ ଏକ କୁଟୀର ନିର୍ମାଣ କରି ସେ ଅବସ୍ଥାନ କଲେ । ଏହିଠାରେ ହିଁ ଯୋଗମାର୍ଗ ଓ ପିଣ୍ଡବ୍ରହ୍ମାଣ୍ଡ ତତ୍ତ୍ୱର ବ୍ୟାଖ୍ୟାନ କରୁଥିଲେ । ଅବସ୍ଥାନର ୧୭ ବର୍ଷ ପରେ ୧୫୫୦ ଖ୍ରୀଷ୍ଟାବ୍ଦ ମାଘ ଶୁକ୍ଳ ସପ୍ତମୀ ଦିନ ଶ୍ରୀଜଗନ୍ନାଥଙ୍କ ଠାରେ ବ୍ରହ୍ମ ଲୀନ ହୋଇଗଲେ ।

Image

 

ସହାୟକ ଗ୍ରନ୍ଥସୂଚୀ

 

୧.

ଅତିବଡ଼ୀ ଜଗନ୍ନାଥ ଦାସ (ଇଂରାଜୀ), ସଂକଳକ-ଶ୍ରୀକ୍ଷେତ୍ର ଲେଖକ ସାମ୍ମୁଖ୍ୟ, ପୁରୀ ।

୨.

କୋଣାର୍କ ପଞ୍ଚସଖା ବିଶେଷାଙ୍କ-ଓଡ଼ିଆ ସାହିତ୍ୟ ଏକାଡେମୀ ।

୩.

ବୈଷ୍ଣବ ଲୀଳାମୃତ - ମାଧବ ପଟ୍ଟନାୟକ ।

୪.

ଅତିବଡ଼ୀ - ପ୍ରକାଶକ ଅତିବଡ଼ୀ ଜଗନ୍ନାଥ ଦାସ ସ୍ମୃତିରକ୍ଷା କମିଟି, ପୁରୀ ।

୫.

ମହାପୁରୁଷ ଜଗନ୍ନାଥ ଦାସ ଓ ଭାଗବତ ସମୀକ୍ଷା - ଅଧ୍ୟାପକ ସର୍ବେଶ୍ୱର ଦାଶ ।

୬.

ଅତିବଡ଼ୀ ଜଗନ୍ନାଥ ପରିକ୍ରମା, ସଂକଳକ-ଡଃ ନିତ୍ୟାନନ୍ଦ ଶତପଥି ।

୭.

ଓଡ଼ିଆ ଭାଗବତ - ଗୀତା ପ୍ରେସ୍‌, ଗୋରଖପୁର ।

୮.

ଜଗନ୍ନାଥ ଦାସ - ଡଃ ଭଗବାନ ପଣ୍ଡା ।

୯.

ଶ୍ରୀଜଗନ୍ନାଥ ଚରିତାମୃତ - ଦିବାକର ଦାସ ।

Image